• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ବର୍ଷ ଏକ, ଉପଲବ୍ଧି ଅନେକ

Share on FacebookShare on TwitterShare on Whatsapp

ବିଧାୟକ ଓ ସାଂସଦଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର:8/6- ମୁଁ ଖୁସି ଓ ଗଭୀର କୃତଜ୍ଞତାର ସହ ଆପଣମାନଙ୍କୁ ଆମ ରାଜ୍ୟର ସେବାରେ ଆମ ସରକାରଙ୍କ ଏକ ସଫଳ ବର୍ଷ ପୂରଣ ଅବସରରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । ପ୍ରଥମେ ମୁଁ ଆତଙ୍କବାଦ ବିରୋଧରେ ଅପରେସନ ସିନ୍ଦୂରର ସଫଳତା ପାଇଁ ଭାରତର ସେନା ବାହିନୀକୁ ସଲାମ କରୁଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ ନେତୃତ୍ୱ ପାଇଁ ଅଭିନନ୍ଦନ ଜଣାଉଛି। ମାତୃଶକ୍ତିର ମର୍ଯ୍ୟାଦାର ସୁରକ୍ଷା ପାଇଁ ମୋଦୀଜୀ ହେଉଛନ୍ତି ଦେଶର ସର୍ବକାଳୀନ ସର୍ବଶ୍ରେଷ୍ଠ ନେତା। ‘ଦେଶର ସୁରକ୍ଷା ସର୍ବୋପରି’, ଏଥିରେ କୌଣସି ସାଲିସ ନାହିଁ। ପାକିସ୍ତାନର ଆତଙ୍କବାଦର ମୁଖାକୁ ସାରା ବିଶ୍ଵରେ ଖୋଲିବା ପାଇଁ ଓଡିଶାର ଦୁଇଜଣ ସାଂସଦ ( ଅପରାଜିତା ଷଡଙ୍ଗୀ ଏବଂ ବୈଜୟନ୍ତ ପଣ୍ଡା) ଭାରତର ସଫଳ ପ୍ରତିନିଧିତ୍ଵ କରିଥିଲେ। ସେମାନଙ୍କୁ ମଧ୍ୟ ମୁଁ ଅଭିନନ୍ଦନ ଜଣାଉଛି।

ଆଜିକୁ ଏକ ବର୍ଷ ତଳେ ଅର୍ଥାତ ଜୁନ 4, 2024ରେ ଓଡିଶାର ଜନସାଧାରଣ ଆମ ଉପରେ ଆସ୍ଥା ପ୍ରକଟ କରି ଆମକୁ ସମୃଦ୍ଧି ଓ ବିକଶିତ ଓଡ଼ିଶା ଗଠନର ଦାୟିତ୍ୱ ଦେଇଥିଲେ, ଏବଂ ଜୁନ ୧୨ ତାରିଖରେ ଓଡିଶାରେ ପ୍ରଥମ ଥର ଭାବେ ଆମ ସରକାର ଗଠନ ହୋଇଥିଲା। ଏହା ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ କ୍ଷଣ ଥିଲା। ଗତ ଏକ ବର୍ଷର ଯାତ୍ରା ଏକ ସ୍ପଷ୍ଟ ଜନାଦେଶ ଏବଂ ଦୃଢ଼ ପ୍ରତିବଦ୍ଧତା ସହିତ ଆରମ୍ଭ ହୋଇଥିଲା। ଏକ ସ୍ୱଚ୍ଛ, ଉତ୍ତରଦାୟୀ ଏବଂ ଜନକଲ୍ୟାଣକାରୀ ଶାସନର ନୂତନ ଯୁଗ ଆରମ୍ଭ ହୋଇପାରିଛି। କ୍ଷେତରେ ଚାଷୀଙ୍କ ଠାରୁ ଆରମ୍ଭ କରି ଗାଁର କାରିଗର, ଶ୍ରେଣୀ ଗୃହରେ ଛାତ୍ରଙ୍କ ଠାରୁ ଆରମ୍ଭ କରି ଉଦ୍ୟୋଗୀ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ କରିବା ପାଇଁ ଆମେ ପ୍ରତିଶୃତି ଦେଇଥିଲୁ। ମୁଁ ଖୁସି ଓ ଆନନ୍ଦର ସହ କହିବାକୁ ଚାହେଁ ଯେ, ଏହି ସ୍ୱଳ୍ପସମୟ ମଧ୍ୟରେ, ଆମେ ଉଲ୍ଲେଖନୀୟ ଅଗ୍ରଗତି କରିଛୁ ଏବଂ ଆମର ପ୍ରତିଶୃତିଗୁଡ଼ିକୁ ବାସ୍ତବତାରେ ପରିଣତ କରିଛୁ। ଶାସନଭାର ସମ୍ଭାଳିବା ସହିତ ଆସିଥିଲା ଏକ ଗୁରୁ ଦାୟିତ୍ଵ। ଓଡିଶାର ସାଢେ ଚାରିକୋଟି ଜନତା ଯେଉଁ ଆଶା ଓ ଆକାଂକ୍ଷା ସହିତ ଏକ ବିକଳ୍ପ ବାଛିଥିଲେ, ତାହା ପୂରଣ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଥିଲା। ମୁଁ ଭଲ ଭାବେ ଜାଣିଥିଲି ପ୍ରଥମ ଦିନରୁ ହିଁ ଆରମ୍ଭ ହୋଇଯିବ ବିଗତ ସରକାର ସହିତ ତୁଳନା। ମୁଁ ଏହା ବି ହୃଦୟଙ୍ଗମ କରିଥିଲି ଯେ ଲୋକେ କହିବେ ଆମର ମନ୍ତ୍ରିମଣ୍ଡଳ ଏକ ଅନଭିଜ୍ଞ ମନ୍ତ୍ରିମଣ୍ଡଳ। ଆମେ ଦେଇଥିବା ପ୍ରତିଶୃତି ପୂରଣ କରିବା ପାଇଁ ସମୟ ବହୁତ କମ ଥିଲା।

ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଆଶୀର୍ବାଦରେ ଶପ ଥଗ୍ରହଣ ଉତ୍ସବ ସାରିବା ମାତ୍ରେ ପ୍ରଥମ କ୍ୟାବିନେଟ ବସିଥିଲା ଏବଂ ମାତ୍ର ୨୪ ମିନିଟରେ ଚାରିଗୋଟି ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା, ଯାହା ଆମ ପ୍ରତିଶୃତିର ଥିଲା ‘ଆତ୍ମା’। ଆଉ ସେହି ଦିନରୁ ଆରମ୍ଭ ହୋଇଥିଲା ‘ସୁଶାସନର ଯାତ୍ରା’। ତା’ ପରଦିନ ଅର୍ଥାତ, ଜୁନ ୧୩ ତାରିଖ ଦିନ ମୁଁ ମୋର ପୁରା ମନ୍ତ୍ରିମଣ୍ଡଳ ସହିତ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନରେ ଯାଇଥିଲି ଏବଂ ସେହିଦିନ ନୂତନ ସରକାରଙ୍କ ପ୍ରଥମ ନିଷ୍ଫତ୍ତି କାର୍ଯ୍ୟକାରୀ ହୋଇଥିଲା, ‘ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲିବା’। ପ୍ରଭୁଙ୍କ ଆଶୀର୍ବାଦ ନେଇ ନୂଆ ସରକାରଙ୍କ କାର୍ଯ୍ୟ କାଳ ଆରମ୍ଭ ହୋଇଥିଲା ଏବଂ ଆଜି ପ୍ରାୟ ଏକ ବର୍ଷ ପରେ ଏହି ନୂତନ ସରକାର ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ସମର୍ଥ ହୋଇଥିଲା।

ଆପଣମାନେ ଜାଣିଛନ୍ତି ପ୍ରଧାନମନ୍ତ୍ରୀ ସବୁବେଳେ କୁହନ୍ତି ଏ ଦେଶରେ ଚାରିଗୋଟି ଜାତି ଅଛନ୍ତି, ‘ଗରିବ, ଅନ୍ନଦାତା, ଯୁବା ଏବଂ ମହିଳା’। ତେଣୁ ଆମ ସରକାରଙ୍କ ସବୁ କାର୍ଯ୍ୟକ୍ରମ ଓ ଯୋଜନା ଏହି ଚାରିଜାତିଙ୍କୁ ମୁଖ୍ୟ ହିତାଧିକାରୀ ଭାବେ ବିଚାରକରି କାର୍ଯ୍ୟକ୍ରମ ଖସଡା ପ୍ରସ୍ତୁତ ହୋଇଥିଲା। ଆମର ପ୍ରତିଶୃତି, ଲୋକଙ୍କ ଆଶା, ରାଜ୍ୟର ସମ୍ବଳ ସବୁକୁ ବିଚାର କରି କେବଳ ଗୋଟିଏ ବର୍ଷ ନୁହେଁ, ‘ସମୃଦ୍ଧ ଓଡିଶା’ ପାଇଁ ଯୋଜନା ପ୍ରସ୍ତୁତ କରିଥିଲୁ। ଏହି ଯୋଜନାରେ ଥିଲା ଚାରିଗୋଟି ସ୍ତମ୍ଭ, ‘ଜୀବନ ଜୀବିକା, ଭିତ୍ତିଭୂମି, ସାମାଜିକ ସୁରକ୍ଷା ଓ ସମାଜ କଲ୍ୟାଣ ତଥା ଓଡିଆ ଅସ୍ମିତା’। ଏହି ଭାବ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ପ୍ରଥମ ବଜେଟରେ ପ୍ରତିଫଳିତ ହୋଇଥିଲା।
ପ୍ରଥମ ସ୍ତମ୍ଭ, ଜୀବନ ଜୀବିକା, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଜୀବନ ଜୀବିକାକୁ ସୁଦୃଢ କରିବା ପାଇଁ ଦୁଇଗୋଟି ମୁଖ୍ୟ ରଣନୀତି ପ୍ରସ୍ତୁତ କରଯାଇଥିଲା, କୃଷି ଏବଂ ଉଦ୍ୟୋଗ । ଆମ ରାଜ୍ୟକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେଲେ କେବଳ କୃଷିରେ ତାହା କରିହେବ ନାହିଁ, ଆମକୁ ଏକ ‘କୃଷି ଭିତ୍ତିକ ଅର୍ଥନୀତି’ ରୁ ‘ମିଶ୍ରିତ ଅର୍ଥନୀତି’ ଆଡକୁ ଅଗ୍ରସର ହେବାକୁ ପଡିବ, କାରଣ ରାଜ୍ୟର ୬୦ ପ୍ରତିଶତରୁ ବି ଅଧିକ ଲୋକେ ନିଜ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରନ୍ତି କିନ୍ତୁ ରାଜ୍ୟର ସକଳ ଉତ୍ପାଦ (GSDP) ପ୍ରତି ମାତ୍ର ୨୧ ପ୍ରତିଶତ ଅବଦାନ ଦେଇଥାନ୍ତି। ତେଣୁ, କୃଷି ଓ କୃଷକ କଲ୍ୟାଣ ସହିତ ଦୃତ ଶିଳ୍ପାୟନ ଅତ୍ୟନ୍ତ ଆବଶ୍ୟକ। ଏହାକୁ ପୂରଣ କରିବାକୁ ଆମେ ପ୍ରଥମ କ୍ୟାବିନେଟରେ ନେଇଥିବା ନିଷ୍ପତ୍ତି ‘ଧାନକିଣା ବାବଦକୁ ପ୍ରତିଶୃତି ମୁତବକ ୩୧୦୦ ଟଙ୍କା କରିଥିଲୁ, ଏବଂ ୨୦୨୪-୨୫ ଖରିଫ ଋତୁରୁ ହିଁ ତାହା ଲାଗୁହୋଇଥିଲା। ଖୁସିର କଥା ଏହି ଯୋଜନାରେ ପାଖାପାଖି ୧୭ ଲକ୍ଷ ଚାଷୀଙ୍କ ଠୁ ରେକର୍ଡ ପରିମାଣର ଧାନ କ୍ରୟ କରଯାଇଥିଲା। ‘ସମୃଦ୍ଧ କୃଷି’, ‘ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି’, ‘ସିଏମ କିଶାନ’ ଏବଂ ଯଦି ସୁଭଦ୍ରା ସହାୟତାକୁ ମିଶେଇବେ ପ୍ରତି କୃଷି ପରିବାରର ଆୟ ବାର୍ଷିକ ଅତିକମରେ ୩୦ ହଜାର ଟଙ୍କା ବୃଦ୍ଧି ହୋଇଛି, ଯାହା ବିଗତ ଦିନରେ ମାତ୍ର ୬୦ ହଜାରରୁ କିଛି ଅଧିକ ଥିଲା। ଆମ ପାଇଁ କୃଷକମାନେ କେବଳ ଚାଷୀ ନୁହନ୍ତି, ସେମାନେ ଆମ ପାଇଁ ହେଉଛନ୍ତି ‘ଆନ୍ନଡାତା’। ତାଙ୍କ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି ଚଳିତ କୃଷି ବଜେଟରେ ରେକର୍ଡ ୩୭ ହଜାର ୮୩୮ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।
ଜୀବନ ଜୀବିକାର ଦ୍ଵିତୀୟ ଖସଡା ହେଉଛି ‘ଦୃତ ଶିଳ୍ପାୟନ’। ଯଦିଓ ଓଡିଶାରେ ଶିଳ୍ପାୟନ ପାଇଁ ସବୁ ପ୍ରକାର ଅନୁକୂଳ ଉପାଦାନ ଅଛି, କୌଣସି ନା କୌଣସି କାରଣରୁ ଓଡିଶାରେ ତାହାର full potential ପ୍ରତିଫଳିତ ହୋଇନାହିଁ। ତେଣୁ, ଦୃତ ଶିଳ୍ପାୟନ ପାଇଁ ଉତ୍କର୍ଷ ଓଡିଶା- Make in Odisha ଆୟୋଜିତ ହୋଇଥିଲା। ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟୋଗପତିଙ୍କ ଗୋଟିଏ ଡକରା, ଓଡିଶାରେ ନିବେଶ କରିବା ପାଇଁ ‘ୟେହି ସମୟ ହୈ, ସହି ସମୟ ହୈ’, ୧୭ ଲକ୍ଷ କୋଟି ତାଙ୍କର ପୁଞ୍ଜି ନିବେଶପାଇଁ ଉଦ୍ୟୋଗପତିଙ୍କ ପାଇଁ ପ୍ରେରିତ କରିଥିଲା। ଏହି ପୁଞ୍ଜି ନିବେଶ ୧୩ ଲକ୍ଷ ରୋଜଗାର ସୃଷ୍ଟି କରିବ। ଏହି ସଫଳତାକୁ ଆପଣର ପ୍ରଭାବ ଆପଣ ଜାଣି ପାରିବେ, ଯଦି ଦେଖିବେ ଉତ୍କର୍ଷ ଓଡିଶା ଆୟୋଜନର କିଛି ଦିନ ଭିତରେ ଆମ ଦୁଇ ପଡୋଶୀ ରାଜ୍ୟ ଏଭଳି ଆୟୋଜନ କରିଥିଲେ, ଉଭୟ ରାଜ୍ୟ ଓଡିଶାରୁ ବଡ, କିନ୍ତୁ, ସେଠାରେ ୫ ଲକ୍ଷ କୋଟି ବି commitment ପାଇ ନ ଥିଲେ। କେବଳ MoU ସ୍ଵାକ୍ଷରିତ ନୁହେଁ, ଏହି ସବୁକୁ grounding କରାଯାଇଛି। ମାତ୍ର ୧୨୫ ଭିତରେ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ୫୬ ଗୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଓଡିଶାର ପ୍ରତି ଜିଲ୍ଲା ହେବ ଶିଳ୍ପାୟନ।

ବିକାଶର ଦ୍ଵିତୀୟ ସ୍ତମ୍ଭ ହେଉଛି ଭିତ୍ତିଭୂମି। ଭିତ୍ତିଭୂମିର ବିକାଶ ବିନା ପ୍ରଗତି ଅସମ୍ଭବ, ରୋଜଗାର ସୃଷ୍ଟି ଅସମ୍ଭବ। ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ, ଯେଉଁଠି ବୋଧହୁଏ ସବୁଠାରୁ ଅଧିକ ପ୍ରାବଧାନ ଭିତ୍ତିଭୂମି ପାଇଁ ହୋଇଛି। ଚଳିତ ବଜେଟରେ ରାଜ୍ୟ ସକଳ ଘରୋଇ ଉତ୍ପାଦର ୬.୧ ପ୍ରତିଶତ ଅର୍ଥାତ ୬୫ ହଜାର ୦୧୨ କୋଟି ଟଙ୍କା କେବଳ ପୁଞ୍ଜି ଖର୍ଚ୍ଚ ପାଇଁ ପ୍ରାବଧାନ ହୋଇଛି। ଏହା ସର୍ବକାଳୀନ ରେକର୍ଡ। ଅଧିକ ପୁଞ୍ଜି ନିବେଶ ହେଲେ ଆଧିକ ରୋଜଗାର ସୃଷ୍ଟି ହେବ ଏବଂ ରାଜ୍ୟର ବିକାଶ ତ୍ୱରାନ୍ୱିତ ହେବ। ମୁଁ କିଛି ଦିନ ତଳେ ଏକ ପ୍ରମୁଖ ଦକ୍ଷିଣ ଭାରତୀୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ଟିଭିରେ ଦେଖୁଥିଲି। ତାଙ୍କ କହିବା ଅନୁସାରେ ସେ ମାସକୁ ୫୦୦ କୋଟି ଟଙ୍କା Capital Expenditure କରିବାରେ ଅକ୍ଷମ, କିନ୍ତୁ ଆଜି ଓଡିଶାରେ ହାରାହାରି ମାସକୁ ୫ ହଜାର କୋଟିଟଙ୍କା କ୍ୟାପିଟାଲ ଏକ୍ସପେଣ୍ଡିଚର ହେଉଛି।

ଆଜି ଡବଲ ଇଞ୍ଜିନ ସରକାରର ସବୁ ସିଲିଣ୍ଡର ଫାୟାର କରୁଛି। ଏହାର ପ୍ରମାଣ ହେଉଛି ମାତ୍ର ବର୍ଷକ ଭିତରେ ରେଳ ବିକାଶ ପାଇଁ ୭୩ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି। ରାଜ୍ୟରେ ସଡକ ବିକାଶ ପାଇଁ ୧୨ ହଜାର କୋଟିରୁ ବି ଅଧିକ ପ୍ରକଳ୍ପ ଚାଲୁଅଛି। ରାଜ୍ୟରେ ଆଗାମୀ ଦିନରେ ୭୫ ହଜାର କିଲୋମିଟର ଉଚ୍ଚ ମାନର ସଡକ ନିର୍ମିତ ହେବ। ଆଗାମୀ ପାଞ୍ଚ ବର୍ଷ ଭିତରେ ୧୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ସେଚନ ଯୋଗାଇବା ପାଇଁ କାର୍ଯ୍ୟ ଜାରି ରହିଛି। ୨୦୨୬ ଶୁଦ୍ଧା ପ୍ରତି ଗ୍ରାମକୁ ଶୁଦ୍ଧ ପାନୀୟ ଜଳ ପାଇପ ଦ୍ଵାରା ଯୋଗାଇ ଦିଆଯିବ। ସହରାଞ୍ଚଳ ଭିତ୍ତି ଭୂମିରେ ପରିବର୍ତ୍ତନ ଆଣିବା ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ପାଞ୍ଚ ବର୍ଷ (୨୦୨୫-୨୦୩୦) ମଧ୍ୟରେ ୬,୦୦୦ କୋଟି ଟଙ୍କାରେ “ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା” ଆରମ୍ଭ କରୁଛୁ। ଏହି ଯୋଜନା ଦ୍ୱାରା ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପର ବିକାଶ ହେବ । ଏହି ସବୁ ଭିତ୍ତିଭୂମି ଓଡିଶାର ବିକାଶକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିବ।

ତୃତୀୟ ସ୍ତମ୍ଭ ହେଉଛି, ସାମାଜିକ ସୁରକ୍ଷା ଓ ସମାଜ କଲ୍ୟାଣ। ଏହା ହେଉଛି ଆମ ସରକାରଙ୍କ ଫୋକସ ଏରିଆ। ରାଜ୍ୟର ସାଧାରଣ ଜନତାଙ୍କୁ ମୌଳିକ ସୁବିଧା ଯୋଗାଇବା ସବୁ ସରକାରଙ୍କ ନୈତିକ ଦାୟିତ୍ଵ। ଦୁଃଖର କଥା ଯେ ଆଜି ସ୍ଵାଧୀନତାର ପ୍ରାୟ ୭୮ ବର୍ଷ ପରେ ବି ଆମେ ରୋଟି, କପଡା ଔର ମକାନ ବିଷୟରେ ଆଲୋଚନା କରୁଛୁ। କିନ୍ତୁ, ଏହା ହେଉଛି ବାସ୍ତବତା। ଏହି ଦାୟିତ୍ଵକୁ ନିଭେଇ ରାଜ୍ୟବାସୀଙ୍କୁ ଗୁଣାତ୍ମକ ମୌଳିକ ସେବା ଓ ସାମାଜିକ ସୁରକ୍ଷା ଦେବା ପାଇଁ ଆମ ପ୍ରତିଶୃତିବଦ୍ଧ। ଏହି କ୍ରମରେ ଶିକ୍ଷା, ସ୍ୱାସ୍ଥ୍ୟ, ନାରୀ ସଶକ୍ତିକରଣ, ଜନଜାତି ଓ ଅନୁସୂଚିତ ଜାତି ତଥା ପଛୁଆବର୍ଗଙ୍କ କଲ୍ୟାଣ, ରୋଜଗାର ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ।

ରାଜ୍ୟରେ ଯଦିଓ ଗାଁ ଗାଁରେ ସ୍କୁଲ କରି ଦିଆଗଲା, ଶିକ୍ଷାର ଗୁଣାତ୍ମକ ଦିଗକୁ କେହି ଗୁରୁତ୍ଵ ଦେଲେ ନାହିଁ। ଆଜି ପ୍ରାଥମିକ ସ୍ତରରେ ପିଲାଙ୍କ ଶିକ୍ଷାର ମାନ ଏତେ କମ ଯେ ମୁଁ ଚିନ୍ତା ବି କରି ପାରୁନି ସେମାନେ ସହରାଞ୍ଚଳର ପିଲାଙ୍କ ସହିତ କିପରି ପ୍ରତିଦ୍ୱନ୍ଦିତା କରି ବୈଷୟିକ ଶିକ୍ଷା କି ଚାକିରି ପାଇବେ। ତେଣୁ, ସେମାନଙ୍କ ମୂଳଦୁଆକୁ ଦୃଢ କରିବା ପାଇଁ ସରକାର ପ୍ରତି ପଞ୍ଚାୟତରେ ଗୋଟିଏ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରୁଛନ୍ତି ଯାହାର ଭିତ୍ତିପ୍ରସ୍ତର ଅଳ୍ପ ଦିନରେ କରାଯିବ। ଏହି ସବୁ ସ୍କୁଲର ଭିତ୍ତିଭୂମି କେବଳ ବିଶ୍ଵସ୍ତରୀୟ ହେବ ନାହିଁ, ଏହି ସବୁ ସ୍କୁଲରେ ବିଶେଷ ଭାବେ ପ୍ରଶିକ୍ଷିତ ଶିକ୍ଷକ ଶିକ୍ଷାଦାନ କରିବେ। ଏଥି ସହିତ ନୂତନ ଶିକ୍ଷାନୀତି, ୨୦୨୦କୁ ରାଜ୍ୟରେ ଲାଗୁ କରିବା, PM-Shree ଯୋଜନା, ଶିଶୁ ବାଟିକା ଇତ୍ୟାଦି ଚଳିତ ଶିକ୍ଷା ବର୍ଷରୁ ଲାଗୁ ହୋଇ ସାରିଛି। ଏହି ସବୁ କାର୍ଯ୍ୟକ୍ରମ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆସିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆମ ସରକାର ଅନେକ ସଂସ୍କାର ଆଣିଛନ୍ତି। ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଏକକ ଯୋଜନା ଭାବେ ଲାଗୁ କରାଯାଉଛି। ବୟୋ ବନ୍ଦନ ଯୋଜନାକୁ ମିଶେଇ ଏହି ଯୋଜନା ରାଜ୍ୟର ପ୍ରାୟ ୮୦ ପ୍ରତିଶତରୁ ଅଧିକ ଲୋକଙ୍କୁ କଭର କରାଯିବ, ଯାହା ବୋଧହୁଏ ସାରା ଦେଶରେ ସବୁଠାରୁ ଅଧିକ। ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମାନବର ସ୍ୱାସ୍ଥ୍ୟମନ୍ତ୍ରୀ ଆପଣଙ୍କୁ ସୂଚନା ଦେଇଛନ୍ତି।

ନାରୀ ସଶକ୍ତିକରଣ ଆମ ପାଇଁ କେବଳ ଏକ ସ୍ଲୋଗାନ ନୁହେଁ, ଏହା ରାଜ୍ୟର ଅଧା ଜନସଂଖ୍ୟା ପ୍ରତି ଆମର ପ୍ରତିବଦ୍ଧତା। କ୍ୟାବିନେଟର ପ୍ରଥମ ଦିନରେ ନିଆଯାଇଥିବା ସୁଭଦ୍ରା ଯୋଜନା ଆଜି ରାଜ୍ୟର ସବୁଠାରୁ ବଡ ଡିବିଟି କାର୍ଯ୍ୟକ୍ରମ। ଏଥି ସହିତ ମାନନୀୟ ମୋଦୀ ଜୀ ଙ୍କ ଦୂରଦର୍ଶୀ ‘ଲକ୍ଷପତି ଦିଦି’ କାର୍ଯ୍ୟକ୍ରମ ଓଡିଶାରେ ଲାଗୁ ହୋଇଛି ଏବଂ ସାରା ଦେଶରେ ଓଡିଶା ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡିଶା ପ୍ରଥମ। ମହିଳା ସଶକ୍ତିକରଣ ବିଷୟରେ ବିସ୍ତୃତ ଭାବେ ମାନନୀୟା ଉପମୁଖ୍ୟମନ୍ତ୍ରୀ ଆପଣଙ୍କୁ କହିଛନ୍ତି। ମୁଁ କେବଳ ଏତିକି କହିବି ଯେ, ଚଳିତ ବଜେଟରେ କେବଳ ମହିଳାଙ୍କ ପାଇଁ ୮୯ ହଜାର ୮୬୧ କୋଟି ଟଙ୍କାରୁ ବି ଉର୍ଦ୍ଧ୍ଵ ପ୍ରବଧାନ କରାଯାଇଛି। ଏହି ରେକର୍ଡ ପ୍ରାବଧାନ ରାଜ୍ୟର ମହିଳାଙ୍କ ପ୍ରତି ଆମର ପ୍ରତିବଦ୍ଧତା। ରାଜ୍ୟର ପ୍ରାୟ ୪୦ ପ୍ରତିଶତ ଜନଜାତି ଏବଂ ଅନୁସୂଚିତ ଜାତି ହେଉଛନ୍ତି ଆମ ରାଜ୍ୟର ଆତ୍ମା। ସେମାନଙ୍କ କଲ୍ୟାଣ ପାଇଁ ଆମ ସରକାର ବିଭିନ୍ନ କାର୍ଯ୍ୟକ୍ରମ ପ୍ରଣୟନ କରୁଛନ୍ତି, ଯେପରିକି ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ଧରତି ଆବା ଜନଜାତି ଗ୍ରାମ ଉନ୍ନତି ଅଭିଯାନ, ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା, OTELP ପ୍ଲସ, ପ୍ରଧାନମନ୍ତ୍ରୀ ଅନୁସୂଚିତ ଜାତି ଅଭ୍ୟୁଦୟ ଯୋଜନା ଇତ୍ୟାଦି କାର୍ଯ୍ୟକାରୀ ହେଉଛି। ଆପଣମାନେ ଜାଣି ଖୁସି ହେବେ ଯେ କେବଳ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ପାଇଁ ଚଳିତ ବଜେଟରେ ୬୮ ହଜାର ୮୮୧ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ପ୍ରବଧାନ କରାଯାଇଛି।

ଆପଣମାନେ ଜାଣିଛନ୍ତି ଯେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ ଉଦ୍ଘୋଷଣା କରିଥିଲେ ଯେ ଦେଶରେ କେହି ବି କଚ୍ଚା ଘରେ ରହିବେ ନାହିଁ। କିନ୍ତୁ, ଓଡିଶାରେ ବିଗତ ବର୍ଷମାନଙ୍କରେ ଏହାର ଅଗ୍ରଗତି ଆଖି ଦୃଶିଆ ଭାବେ ହୋଇ ପାରିନାହିଁ। କାରଣ ଆପଣମାନେ ଜାଣିଛନ୍ତି। ଏହି ଲକ୍ଷ୍ୟକୁ ପୂରଣ କରିବାକୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ ରାଜ୍ୟ ସରକାର ନିଜ ପାଣ୍ଠିରୁ ପ୍ରାୟ ୫ ଲକ୍ଷ ଅନ୍ତଦୋୟ ଗୃହ ଯୋଗାଇ ଦେବେ। ଆମ ସରକାର ଶିକ୍ଷା ଓ ଯୁବ ସଶକ୍ତୀକରଣକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦେଇଆସିଛି । ସରକାରୀ ଚାକିରି ଆଶାୟୀଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୩୨ରୁ ୪୨କୁ ବୃଦ୍ଧି କରିଛୁ ଏବଂ ପ୍ରଥମ ବର୍ଷରେ ୨୭ ହଜାର ରୁ ଅଧିକ ସରକାରୀ ଚାକିରି ପୂରଣ କରିଛୁ। ଚଳିତ ବର୍ଷ ଆହୁରି ୪୦,୦୦୦ ଖାଲି ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖିଛୁ। ସାମାଜିକ ଓ ଶିକ୍ଷାଗତ ଅନଗ୍ରସର ବର୍ଗ (SEBC)ର ପିଲାଙ୍କ ପାଇଁ ଦୀର୍ଘବର୍ଷର ଅପେକ୍ଷା ପରେ ଆମେ ସେମାନଙ୍କ ପାଇଁ ଉଚ୍ଚଶିକ୍ଷାରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛୁ। ମଣ୍ଡଳ କମିଶନ ଲାଗୁହେବାର ଦୀର୍ଘ ୩୫ ବର୍ଷ ପରେ ଓଡିଶାରେ SEBC ମାନେ ନ୍ୟାୟ ପାଇଲେ। ରାଜ୍ୟର ଗରିବ ଏବଂ ଆର୍ଥିକ ଭାବେ ଅନଗ୍ରସର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ବର୍ଦ୍ଧିତ ଦରରେ ବରିଷ୍ଠ ନାଗରିକଙ୍କୁ ପେନସନ ପ୍ରଦାନ, ଶ୍ରମିକ ତଥା କେନ୍ଦୁ ପତ୍ର ତୋଳାଳୀଙ୍କ ପାଇଁ ସ୍ଵତନ୍ତ୍ର ସହାୟତା ଲାଗୁ କରାଯାଇଛି। ଯୁବବର୍ଗଙ୍କ ପାଇଁ ବୈଷୟିକ ଶିକ୍ଷା ସହିତ ତାଙ୍କୁ industry-ready କରିବା ପାଇଁ ‘ସ୍କିଲ୍ଡ-ଇନ୍-ଓଡ଼ିଶା’ ଅଭିଯାନ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ହୋଇପାରିଛି ଏବଂ ଭବିଷ୍ୟତ ଅର୍ଥନୀତିର ଚାହିଦା ପାଇଁ ଆମର ଯୁବକମାନଙ୍କୁ ପ୍ରସ୍ତୁତ କରି ଓଡ଼ିଶାକୁ ଏକ ଆଇଟି ଏବଂ ଗ୍ଲୋବାଲ କ୍ୟାପାବିଲିଟି ସେଣ୍ଟର ହବ୍ ରେ ପ୍ରତିଷ୍ଠା କରିବା ପାଇଁ ଆମେ ସକ୍ରିୟ ଭାବରେ କାର୍ଯ୍ୟ କରୁଛୁ।

ଆମ ବିକାଶର ଚତୁର୍ଥ ସ୍ତମ୍ଭ ହେଉଛି ଓଡିଆ ଅସ୍ମିତା। ଓଡିଆ ଭାଷା, ସାହିତ୍ୟ ପରମ୍ପରା ଏବଂ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ସହିତ ଏହାର ପ୍ରଚାର ପ୍ରସାର ଆମର ଏକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରତିଶୃତି ଥିଲା। ତେଣୁ, ପ୍ରଥମ କ୍ୟାବିନେଟରେ ଚାରିଦ୍ଵାର ଖୋଲିବା ସହିତ ୫୦୦ କୋଟି ତାଙ୍କର କର୍ପସ ଫଣ୍ଡ ଶ୍ରୀମନ୍ଦିର ପାଇଁ ବ୍ୟବସ୍ଥା କରିଥିଲୁ। ଜଗନ୍ନାଥ ସଂସ୍କୃତିର ଆତ୍ମା, ଗୀତିକବି ଜୟଦେବଙ୍କ ଜୟନ୍ତୀକୁ ମହା ସମାରୋହରେ ପାଳନ କରିଥିଲୁ, ଯାହାଙ୍କୁ ପୂର୍ବରୁ ଅଣଦେଖା କରାଯାଇଥିଲା। ଜଗନ୍ନାଥ ସଂସ୍କୃତି ସହିତ ଓଡିଆ ଭାଷା ସାହିତ୍ୟ ପାଇଁ ସରକାର ଯାହା ସବୁ ସମ୍ଭବ ତାହା କରୁଛନ୍ତି। ଏହି ଦିଗରେ ଓଡିଆ ସଂସ୍କୃତି ପ୍ରତିଷ୍ଠାନ ଖୋଲା ଯାଇଛି। ବର୍ତ୍ତମାନ ଅଧିକାଂଶ ସରକାରୀ କାର୍ଯ୍ୟ ଓଡିଆରେ ହେଉଛି। କେଜି ରୁ ପିଜି ପର୍ଯ୍ୟନ୍ତ ଓଡିଆ ଭାଷାରେ ଶିକ୍ଷାଦାନ କରିବା ପାଇଁ କାର୍ଯ୍ୟ ଜାରି ରହିଛି। ଆଦିବାସୀ ସମ୍ପ୍ରଦାୟର ଜୀବନ୍ତ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଆମେ ଆଦିବାସୀ ସ୍ୱାଭିମାନ ଭବନ ଏବଂ ଆଦିବାସୀ ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ ମଧ୍ୟ ଖୋଲିଛୁ।

ସରକାରଙ୍କ ଏହି ସବୁ ଯୋଗୋପୋଯୋଗୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଏକ ଦୃଢ, ସ୍ଵଚ୍ଛ ଏବଂ ଦୁର୍ନୀତିବିହୀନ ଶାସନ-ପ୍ରଶାସନ ଆବଶ୍ୟକ। ମୁଁ ଗର୍ବର ସହିତ କହିବାକୁ ଚାହେଁ ଯେ , ମୁଁ ପୁନର୍ବାର repeat କରୁଛି ଯେ ଗୋଟିଏ ବି ଦୁର୍ନୀତିର ଅଭିଯୋଗ ବିରୋଧୀ ଦଳ ବି ଆଣି ନାହିଁ। ମୁଁ ଏଥିପାଇଁ ମୋର ମନ୍ତ୍ରିମଣ୍ଡଳ ସହଯୋଗୀଙ୍କୁ ଧନ୍ୟବାଦ ଜଣାଉଛି, ଆପଣମାନେ ସମସ୍ତେ ରାଜନୈତିକ ସୂଚକାଙ୍କକୁ ସବୁବେଳେ ଉର୍ଦ୍ଧ୍ଵରେ ରଖିଛନ୍ତି। ଆଜି ଆପଣମାନେ ଜାଣି ଖୁସି ହେବେ ଯେ ଆପଣଙ୍କ ସରକାରକୁ ଓଡିଶାବାସୀ ‘ଲୋକଙ୍କ ସରକାର’ ର ଆଖ୍ୟା ଦେଇଛନ୍ତି, କାରଣ ଆମେ ‘ତୃତୀୟ ମହଲା’ ଓ ‘ଜନତା’ ଭିତରେ ଥିବା ଖାଇକୁ ସଂପୂର୍ଣ୍ଣ ଭାବେ ଧୂଳିସାତ କରିଦେଇଛୁ। ଏହା ସମ୍ଭବ ହୋଇଛି, ଆମର ଜନ ଶୁଣାଣି କାର୍ଯ୍ୟକ୍ରମ ମାଧ୍ୟମରେ। ଗତ ଏକ ବର୍ଷରେ ମୁଁ ନିଜେ ୧୧ ଗୋଟି ଜନ ଶୁଣାଣି କାର୍ଯ୍ୟକ୍ରମ ମଧ୍ୟମରେ ୧୨ ହଜାର ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ ଏବଂ ଅଧିକାଂଶ ସମସ୍ୟାର on-the-spot ସମାଧାନ କରିଥିଲି। ଏଥିପାଇଁ ମୋ ମନ୍ତ୍ରୀମଣ୍ଡଳର ସଦସ୍ୟ ତଥା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ମୁଁ ଧନ୍ୟବାଦ ଦେବି।

ଲୋକଙ୍କ ସରକାର ଉପାଧି ପାଇବାର ଅନ୍ୟ ଏକ କାରଣ ଅଛି। ଗତ ଏକ ବର୍ଷ ଭିତରେ ମୁଁ ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲାକୁ ଗସ୍ତ କରି ଲୋକଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲି ଏବଂ ସେମାନଙ୍କ ସୁଖଦୁଖରେ ସାମିଲ ହୋଇଥିଲି। ସରକାରର ଦ୍ଵିତୀୟ ବର୍ଷରେ ମୁଁ ରାଜ୍ୟର ପ୍ରତି ବିଧାନସଭା ମଣ୍ଡଳୀ ଗସ୍ତ କରିବା ପାଇଁ ଯୋଜନା କରିଛି। ଯୋଜନାର ସଫଳ ରୂପାୟନ ପାଇଁ ଦୁର୍ନୀତିର ମୂଳୋତ୍ପାଟନ ଅତ୍ୟନ୍ତ ଆବଶ୍ୟକ। ଆମ ସରକାର ଏହି ଦିଗରେ ହାଇପର ମୋଡରେ ଅଛନ୍ତି। ସବା ତଳସ୍ତରରୁ ଆରମ୍ଭ କରି ସର୍ବୋଚ୍ଚ ଅଧିକାରୀ ସରକାରଙ୍କ ରାଡାରରେ ଅଛନ୍ତି। ଏପରିକି, ଦୁର୍ନୀତିଗ୍ରସ୍ତଙ୍କୁ ସମ୍ମାନର ସହିତ ଅବସର ନେବା ପାଇଁ ଦେବୁ ନାହିଁ। ଏହି ନୀତିର ଫଳାଫଳ ଆପଣମାନେ ଜାଣିପାରୁଥିବେ। ସ୍ଵଚ୍ଛ ଶାସନକୁ ଆଉ ପାଦେ ଆଗକୁ ନେଇ ଆମେ ଏକ ଅଭିନବ ‘Work Pass Book’ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛୁ ଯେଉଁଥିରେ ସବୁ ଭିତ୍ତିଭୂମି ପ୍ରକଳ୍ପର ସଂପୂର୍ଣ୍ଣ ତଥ୍ୟ ରହିବ ଏବଂ ସାଧାରଣ ଜନତାଙ୍କ ନଜରରେ ଏହି ସବୁ ପ୍ରକଳ୍ପ ରହିବ।

ଆମ ସରକାର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମନ୍ତ୍ର, ‘ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ ଏବଂ ସବକା ପ୍ରୟାସ’ ମନ୍ତ୍ରରେ ଉଦ୍‍ବୁଦ୍ଧ ହୋଇ କାର୍ଯ୍ୟରତ। ଆମର ସମସ୍ତ କାର୍ଯ୍ୟକ୍ରମରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆମକୁ ସହଯୋଗ ଦେଇ ଆସିଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱୟଂ ୫ ଥର ଓଡ଼ିଶା ଆସିଛନ୍ତି ଏବଂ ଆଗାମୀ ୨୦ ତାରିଖରେ ମଧ୍ୟ ଆସିବାର କାର୍ଯ୍ୟକ୍ରମ ଅଛି। ଓଡ଼ିଶାର ବିକାଶ ଧାରା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ସମର୍ଥନ ଆମ ବିକାଶର ଗତିକୁ ତ୍ୱରାନ୍ୱିତ କରିଛି । ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି।

ଗତ ଏକ ବର୍ଷର ବିକାଶର ଯାତ୍ରା କେବଳ ଆରମ୍ଭ ମାତ୍ର। ଏହି ଏକ ବର୍ଷର ସଫଳତା ଆମ ସରକାରଙ୍କ ସାମୂହିକ ପ୍ରୟାସ ଏବଂ ଓଡ଼ିଶାବାସୀଙ୍କ ଅତୁଟ ସମର୍ଥନର ପ୍ରମାଣ। ‘ସମୃଦ୍ଧ ଓଡ଼ିଶା ୨୦୩୬’ ପାଇଁ ଏକ ମଜବୁତ ଭିତ୍ତି ସ୍ଥାପନ କରିଛୁ। ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫୦୦ ବିଲିୟନ ଡଲାର ଛୁଇଁବ ଏବଂ ୨୦୪୭ ସୁଦ୍ଧା ଏହା ୧.୫ ଟ୍ରିଲିୟନ ଡଲାରରେ ପହଞ୍ଚିବ ଏବଂ ‘ବିକଶିତ ଭାରତ’ରେ ଉଲ୍ଲେଖନୀୟ ଯୋଗଦାନ ଦେବ ବୋଲି ଆମେ ଲକ୍ଷ୍ୟ ରଖିଛୁ। ଆଗକୁ ରାସ୍ତା ଲମ୍ବା, ଏବଂ ଏହା ନିଶ୍ଚିତ ଭାବରେ ଆମ ପାଇଁ ଅନେକ ଆହ୍ୱାନ ସୃଷ୍ଟି କରିବ। କିନ୍ତୁ ଆପଣମାନଙ୍କ ନିରନ୍ତର ବିଶ୍ୱାସ, ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଆମେ ପ୍ରତ୍ୟେକ ପ୍ରତିବନ୍ଧକକୁ ଅତିକ୍ରମକରି ପ୍ରକୃତରେ ଗୌରବମୟ ଓଡ଼ିଶା ଅଭିମୁଖେ ଯାତ୍ରା ଜାରି ରଖିବୁ ବୋଲି ମୋର ବିଶ୍ୱାସ ରହିଛି।

ଆଜିର ଏହି କାର୍ଯ୍ୟକ୍ରମରେ ମୁଁ ଓଡିଶାକୁ ପ୍ରତିନିଧିତ୍ଵ କରୁଥିବା ତିନି ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି। ନିଜ ନିଜ ବିଭାଗରେ ଯାହାସବୁ ସମ୍ଭବ ଓଡିଶା ପାଇଁ ଅବଦାନ ଦେବା ସହିତ, ଅନ୍ୟ ବିଭାଗ ସହିତ ଯୋଗସୂତ୍ର ରକ୍ଷାକରୀ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି। ମୋର ଦୃଢ ବିଶ୍ବାସ, ଆଗକୁ ଏହି ପ୍ରଚେଷ୍ଟା ଓ ଅବଦାନ ଓଡିଶା ପ୍ରତି ଜାରି ରହିବ। ମୁଁ ଆଶା କରିବି, ଆମର ମାନ୍ୟବର ସାଂସଦ ମାନେ ଲୋକସଭା ଓ ରାଜ୍ୟସଭାରେ ଓଡିଶାର ସଫଳତା ଓ ବିକାଶର ଚିତ୍ର ଆଙ୍କିବାରେ ସଫଳ ହେବେ। ତା ସହିତ ଓଡିଶାର ବିଭିନ୍ନ ବିଷୟକୁ ନେଇ ଉପଯୁକ୍ତ ସହଯୋଗ ଓ ସହାୟତା ପାଇଁ ବିଭିନ୍ନ ମଞ୍ଚରେ ମତ ରଖିବେ। ଗୋଟିଏ ଧାଡିରେ ଯଦି ମୁଁ ସରକାରଙ୍କ ସଫଳତା କହିବି ତାହା ହେଉଛି, ‘ବର୍ଷ ଏକ, ଉପଲବ୍ଧି ଅନେକ’। ମନ୍ତ୍ରୀ, ବିଧାୟକ ତଥା ସାଂସଦମାନେ ଗାଁ ଠାରୁ ଆରମ୍ଭ କରି ସେମାନଙ୍କ ବିଧାନସଭା କ୍ଷେତ୍ର ଓ ପ୍ରଭାରୀ ମନ୍ତ୍ରୀମାନେ ସେମାନଙ୍କ ଦାୟିତ୍ୱରେ ଥିବା ଜିଲ୍ଲା ଗୁଡିକରେ ସରକାରଙ୍କ ବିଭିନ୍ନ ସଫଳତା ବିଷୟରେ ଲୋକଙ୍କ ପାଖରେ ତଥ୍ୟ ଉପସ୍ଥାପନ କରିବେ। ଆପଣମାନଙ୍କ ସହଯୋଗରେ ଏବଂ ଜନସାଧାରଣଙ୍କ ସମର୍ଥନରେ ଆମର ବିକାଶର ସମସ୍ତ ଲକ୍ଷ୍ୟ ପୂରଣ ହେବ।

ସରକାରଙ୍କ କାର୍ଯ୍ୟ ଓଡ଼ିଶାର ଅର୍ଥନୈତିକ ଦୃଶ୍ୟପଟ୍ଟରେ ମଧ୍ୟ ପ୍ରତିଫଳିତ ହୋଇଛି। ଓଡ଼ିଶା ଅର୍ଥନୈତିକ ସର୍ବେକ୍ଷଣ ୨୦୨୪-୨୫ ରିପୋର୍ଟ ଅନୁଯାୟୀ ଆମ ରାଜ୍ୟର ଅଭିବୃଦ୍ଧି ହାର ୭.୨% ରହିଛି, ଯାହା ଜାତୀୟ ଅଭିବୃଦ୍ଧି ହାର ୬.୪% ଠାରୁ ଅଧିକ। ସମୃଦ୍ଧ ଓଡିଶା ଲକ୍ଷ୍ୟ ହାସଲ କରିବା ପାଇଁ ଆମକୁ ଏହି ବିକାଶ ଦରକୁ maintain କିମ୍ବା ଅଧିକ ଦର ହାସଲ କରିବାକୁ ପଡିବ ଏବଂ ଆମେ ଏହି ଦିଗରେ ଅଗ୍ରସର ହେଉଛୁ। ରାଜ୍ୟ ଶାସନରେ ବିଧାନସଭା ପରିଚାଳନରେ ଏକ ନୂଆ ଦିଗନ୍ତ ସୃଷ୍ଟି ହୋଇଛି। ସାରାରାତି ଉଜାଗର ରହି ମାନ୍ୟବର ବିଧାୟକ ଓ ବିଧୟିକାମାନେ କାର୍ଯ୍ୟ କରୁଛନ୍ତି। ଆମ ସରକାର ଗଣତାନ୍ତ୍ରିକ ପଦ୍ଧତିରେ ବିଶ୍ବାସ କରେ। ପଳାୟନ ବଦଳରେ ପବିତ୍ର ଗୃହରେ ସବୁ ପ୍ରଶ୍ନର ଜବାବ ରଖିବାରେ, ବିତର୍କରେ ଆମେ ବିଶ୍ବାସ କରୁ। ଏହା ଆଗାମୀ ଦିନରେ ଜାରି ରହିବ। ଆଜିର ଏହି ଅବସରରେ ବିରୋଧୀଦଳଙ୍କୁ ଗଠନମୂଳକ ସମାଲୋଚନା ତଥା ମତାମତ ସରକାରଙ୍କୁ ଦେଇଥବା ପାଇଁ ମଧ୍ୟ ଧନ୍ୟବାଦ ଅର୍ପଣ କରିବି। ଗତ ଏକ ବର୍ଷ ଭିତରେ ରାଜ୍ୟର ଛାପା, ଇଲେକ୍ଟ୍ରୋନିକ ତଥା ସାମାଜିକ ଗଣମାଧ୍ୟମ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ସେମାନେ ମଧ୍ୟ ଧନ୍ୟବାଦର ପାତ୍ର।

ଆଜି ଦିନର ଆହ୍ଵାନ, ଆସନ୍ତୁ, ସମସ୍ତେ ମିଳିମିଶି ଏକ ସମୃଦ୍ଧ ଓଡିଶା, ଏକ ସଶକ୍ତ ଓଡିଶା ଗଠନ କରିବା। ସମସ୍ତଙ୍କୁ ପୁନର୍ବାର ଅନେକ ଅନେକ ଧନ୍ୟବାଦ। ଏହି ବୈଠକରେ ବାଚସ୍ପତି ସୁରମା ପାଢ଼ୀ , ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟଗଣ, ରାଜ୍ୟ ସାଂସଦଗଣ ଓ ବିଧାୟକଗଣ ଉପସ୍ଥିତ ରହି ଏକ ବର୍ଷର ସଫଳତା ଓ ଭବିଷ୍ୟତ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com