କିଛି ଲୋକ ବରପୁତ୍ରମାନଙ୍କ ତ୍ୟାଗ ଓ ଅବଦାନକୁ ନ୍ୟୁନ କରିବାକୁ ଚାହୁଁଛନ୍ତି
ଇତିହାସ ବଦଲେଇବାକୁ ଉଦ୍ୟମ କରୁଛନ୍ତି:ନବୀନ
ଭୁବନେଶ୍ୱର:୧୭/୪-ଆଜି ଶଙ୍ଖ ଭବନ ଠାରେ ମହାନ ଜନନାୟକ ବିଜୁ ପଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଭାବ ଗମ୍ଭୀର ପରିବେଶରେ ପାଳିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ସ୍ବର୍ଗତ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ବିଜୁବାବୁ ଜଣେ ଓଡ଼ିଆ ଭାବରେ ସବୁବେଳେ ଗର୍ବ କରୁଥିଲେ।
ଓଡିଶାକୁ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ତାଙ୍କର ଲକ୍ଷ୍ୟ ଥିଲା.ବିଜୁ ବାବୁଙ୍କ ସ୍ୱପ୍ନ କୁ ସାକାର କରିବା ପାଇଁ ବିଜେଡି ସରକାର ଅନେକ ପଦକ୍ଷେପ ନେଇଥିଲା। ଏହି ସମୟ ମଧ୍ୟରେ ବହୁତ ଭଲ କାମ ହୋଇଥିଲା। ଯେଉଁଥିପାଇଁ ଓଡିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସ୍ୱୀକୃତି ମଧ୍ୟ ମିଳିଥିଲା। ବିଜୁ ବାବୁଙ୍କ ସ୍ମୃତି ଚାରଣ କରି ଶ୍ରୀ ପଟନାୟକ କହିଥିଲେ ଯେ ଦେଶର ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା କୁ ଶକ୍ତିଶାଳୀ କରିବା ଓ ମହିଳା ସଶକ୍ତିକରଣ ହେଉଛି ଭାରତୀୟ ରାଜନୀତିକୁ ବିଜୁବାବୁଙ୍କ ଶ୍ରେଷ୍ଠ ଅବଦାନ। ବିଜୁବାବୁଙ୍କ ଅବଦାନକୁ କେହି ଭୁଲି ପାରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ବରପୁତ୍ର ମାନଙ୍କ ତ୍ୟାଗ ଓ ଅବଦାନ କୁ ନ୍ୟୁନ କରିବା ପାଇଁ ବର୍ତ୍ତମାନ କିଛି ଲୋକ ଯେଭଳି ଉଦ୍ୟମ କରୁଛନ୍ତି ଏବଂ ଇତିହାସ ବଦଳେଇବାକୁ ଚେଷ୍ଟା କରୁଛନ୍ତି ସେଥିରେ କ୍ଷୋଭ ପ୍ରକାଶ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଇତିହାସ ହେଉଛି ଗୋଟିଏ ନିର୍ଦିଷ୍ଟ କାଳଖଣ୍ଡରେ ଗୋଟିଏ ଜାତିର ସାମୁହିକ ଅନୁଭବର ପରିପ୍ରକାଶ। ଏହାକୁ କେହି ବଦଳେଇ ପାରିବେ ନାହିଁ।ତେଣୁ ଏଥିରେ ସମୟ ନଷ୍ଟ ନ କରି ବିକାଶ ଇତିହାସରେ ନୂଆ ଅଧ୍ୟାୟ ଯୋଡି ପାରିଲେ ରାଜ୍ୟର ମଙ୍ଗଳ ହେବ।
ବିଧାୟକ ସୁଶାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ବିଧାୟିକା ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସ ଵର୍ମା, ଅଶୋକ ପଣ୍ଡା, ଅମର ପଟନାୟକ,ବିଧାୟକ ଅନନ୍ତ ନାରାୟଣ ଜେନା, ମନ୍ମଥ ରାଉତରାୟ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଉଦବୋଧନ ଦେଇ ବିଜୁ ବାବୁଙ୍କୁ ଶ୍ରଦ୍ଧା ନିବେଦନ କରିଥିଲେ। ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଶଙ୍ଖ ଭବନରେ ବିଜୁ ଛାତ୍ର ଜନତା ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରକୁ ଯାଇ ଶ୍ରୀ ପଟନାୟକ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ସକାଳେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ବିଜୁ ପଟନାୟକ ପାର୍କକୁ ଯାଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।