
ଭୁବନେଶ୍ୱର:୨୩/୯-ବିଜେଡି ମହିଳା ଶାଖାର ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିବା ବିଜେଡି ପକ୍ଷରୁ ମୁଖ୍ୟାଳୟ ଉଫ ସଭାପତି ପ୍ରତାପ ଜେନାଙ୍କ ସ୍ୱାକ୍ଷରରେ ଜାରି କାର୍ଯ୍ୟାଳୟ ନିର୍ଦେଶନାମାରେ ଉଲ୍ଲେଖ କରାଯାଇଛି। ସୋସିଆଲ ମିଡିଆରେ କାହା ନାମ ନ ନେଇ ସେ ଦେଇଥିବା କିଛି ଟିପ୍ପଣୀ ବିଜେଡି ଶିବିରରେ ହଇଚଇ ସୃଷ୍ଟି କରିଥିଲା। ଏହାକୁ ନେଇ ବେଶ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ ଶ୍ରୀମୟୀ। ସେ ସାମାଜିକ ଗଣମାଧ୍ୟମରେ ଟୁଇଟ ଜରିଆରେ ପରୋକ୍ଷରେ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କୁ ‘ଧୃତରାଷ୍ଟ୍ର’ ଦୁର୍ଯୋଧନ, ଏବଂ ‘ଭଣ୍ଡ ସନ୍ନ୍ୟାସୀ’ ଉଦାହରଣ ଦେଇ ସମାଲୋଚନା କରିଥିବା ଘଟଣାରେ ଚର୍ଚ୍ଚାରେ ରହିଥିଲେ।
ନିଲମ୍ବନ ନିର୍ଦେଶନାମା ପ୍ରକାଶ ପାଇବା ପରେ ଶ୍ରୀମୟୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘ଆତ୍ମସମ୍ମାନ ଓ ସ୍ୱାଭିମାନ ସହ ସାଲିସ୍ କରିନାହିଁ କି କରିବି ନାହିଁ ମଧ୍ୟ। ଦୀର୍ଘ ଏକ ବର୍ଷ ଧରି ଯେଉଁ ଦଳରେ ନାହିଁ ଓ ନିଜର ସଦସ୍ୟତା ନବୀକରଣ କରିନାହିଁ, ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ।’ ଜଣେ ଅଣ ଓଡ଼ିଆଙ୍କ ପ୍ରରୋଚନାରେ ଓଡ଼ିଶାକୁ ଦୀର୍ଘବର୍ଷ ଧରି ଶାସନ କରୁଥିବା ନେତା, ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ ବିଚାର ଆପଣମାନଙ୍କର। ମାଆକୁ ସମ୍ମାନର ଆହ୍ୱାନ ଦେଉଥିବା ଜଣେ ଜନନାୟକଙ୍କର ଦାୟାଦ ଯେ ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହଁ, ଆଜି ପ୍ରମାଣିତ କରିଦେଲେ। ମୁଁ ଓଡ଼ିଆ ଝିଅ ବୋଲି ପ୍ରମାଣିତ କରିବା ପାଇଁ ଆତ୍ମ ଗରିମାକୁ ଜଳାଞ୍ଜଳି ଦେବା ଆଦୌ ଉଚିତ ମନେ କରୁନାହିଁ ଟୁଇଟରେ ଲେଖିଛନ୍ତି ଶ୍ରୀମତୀ ମିଶ୍ର।

ଶ୍ରୀମୟୀ ଦଳର ବରିଷ୍ଠ ନେତ୍ରୀ ନ ଥିବା ଲୋକଙ୍କୁ ଜଣାଇବା ପାଇଁ ଏହି ନିର୍ଦେଶନାମାରେ ଶ୍ରୀମୟୀଙ୍କ ବ୍ୟତୀତ ଆଉ ଦୁଇଜଣଙ୍କ ନାମ ରହିଛି। ସେମାନେ ହେଉଛନ୍ତି କପ୍ତିପଦାର ପୂର୍ବତନ ବ୍ଲକ ସଭାପତି ସୁବାସ ଚନ୍ଦ୍ର ସାଏ ଏବଂ ମୟୂରଭଞ୍ଜର ପୂର୍ବତନ ଜିଲା ସମ୍ପାଦକ ପ୍ରବୀର ଚନ୍ଦ୍ର ସାଏ। ନିଲମ୍ବନ ନିର୍ଦେଶନାମାରେ ଏହି ଦୁଇଜଣ ବ୍ଲକ ଓ ଜିଲାସ୍ତରୀୟ ନେତାଙ୍କ ନାମ ଉପର ଥିବା ବେଳେ ଶ୍ରୀମୟୀଙ୍କ ନାମ ଶେଷରେ ରହିଛି। ଶ୍ରୀମୟୀଙ୍କ ନିଲମ୍ବନ ଆଦେଶ ବାହାରିବା ପରେ ବିଜେଡି ପକ୍ଷରୁ ଦଳ କାର୍ଯ୍ୟକ୍ରମରେ ତାଙ୍କର କିଛି ଫଟୋ ଓ ଭାଷଣର ଭିଡିଓ ହ୍ୱାଟ୍ସଆପ ଗ୍ରୁପରେ ପକାଯାଇଛି।
ଶ୍ରୀମୟୀଙ୍କ ନିଲମ୍ବନର ପୂର୍ବରୁ ଗତ ୧୧ ତାରିଖରେ ଦଳବିରୋଧୀ ଅଭିଯାଗରେ ବିଜେଡିର ଅନ୍ୟତମ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳ ନିଲମ୍ବିତ କରିଥିଲା। ପୂର୍ବତନ ରାଜ୍ୟସଭା ସଦସ୍ୟ ଏନ.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଦଳ ଛାଡ଼ିଥିଲେ। ସେମାନଙ୍କ ସହ ବିଜେଡିର ଅନେକ କର୍ମକର୍ତ୍ତା ଇସ୍ତଫା ଦେଇଥିଲେ। ଦଳରେ କିଏ ନିଷ୍ପତ୍ତି ନେଉଛନ୍ତି ବୋଲି ଭାସ୍କର ରାଓ ଦେଇଥିବା ମନ୍ତବ୍ୟ ବିଜେଡି ନେତୃତ୍ୱକୁ ପ୍ରଭାବିତ କରିଥିଲା। ଏକ ପ୍ରେସ ବିବୃତି ମାଧ୍ୟମରେ ଏହା ଉପରେ ପ୍ରତିକ୍ରିୟା ରଖିଥିଲେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି। ସେ କହିଥିଲେ ଏନ.ଭାସ୍କର ରାଓ, ଶ୍ରୀ ହିମିରିକା ଓ ରାୟଗଡ଼ା ଜିଲା ବିଜୁ ଜନତା ଦଳର କିଛି କର୍ମକର୍ତ୍ତା ଦଳରୁ ଇସ୍ତଫା ଦେଇଥିବା ବେଳେ ଏହାର ଦଳୀୟ ସଂଗଠନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

ଏବେ ଶ୍ରୀମୟୀଙ୍କ ନିଲମ୍ବନ ପରେ ତାଙ୍କୁ ଏସବୁ କରିବା ପାଇଁ ଉସୁକାଇଥିବା ଓ ପରାମର୍ଶର୍ ଦେଉଥିବା କିଛି ବରିଷ୍ଠ ନେତାଙ୍କ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସୂଚନା ମିଳିଲାଣି। ବିଜେଡିରେ ଧୀରେଧୀରେ ଅସନ୍ତୋଷର ବହ୍ନି ଜଳିବାରେ ଲାଗିଛି। ଯାହା ଦଳ ପାଇଁ ଅଧିକ କ୍ଷତି ପହଞ୍ଚାଇବା ନିଶ୍ଚିତ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଲେଣି।