ଜନଜାତି ଉପଦେଷ୍ଟା ପରିଷଦ ବୈଠକ
ଭୁବନେଶ୍ୱର:୨୩/୧୨- ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଜନଜାତି ଉପଦେଷ୍ଟା ମଣ୍ଡଳୀର ୧୮ ଜଣ ସଦସ୍ୟ ଉପସ୍ଥିତ ଥିଲେ। ବୈଠକରେ ପ୍ରାରମ୍ଭିକ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜନଜାତି କଲ୍ୟାଣ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରି କହିଥିଲେ ଯେ ଆମପାଇଁ ଜନଜାତି ସମ୍ପ୍ରଦାୟ କେବଳ ଯୋଜନାର ହିତାଧିକାରୀ ନୁହଁନ୍ତି, ସେମାନେ ଆମ ପ୍ରଗତିରେ ସହଭାଗୀ ମଧ୍ୟ। ଆଦିବାସୀମାନଙ୍କ ଜୀବନଜୀବିକା, ଅର୍ଥନୈତିକ ବିକାଶ ସହିତ ସେମାନଙ୍କ ଧାର୍ମିକ ଭାବନା ପ୍ରତି ମଧ୍ୟ ଆମକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପଡିବ। ଆଦିବାସୀ ଗ୍ରାମର ପୂଜକଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରିବା ଓ ସେମାନଙ୍କ ପୂଜାସ୍ଥଳୀ ଗୁଡିକର ବିକାଶ ଓ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରିଷଦକୁ ପ୍ରସ୍ତାବ ଦେଇଛନ୍ତି। ସେ କହିଥିଲେ ଯେ ଏ ବିଷୟରେ ଅନୁଧ୍ୟାନ ଓ ଆଲୋଚନା କରି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନିଆଯିବ।

ଆଦିବାସୀ ଅଞ୍ଚଳ ଗୁଡିକରେ ଇକୋ ଟୁରିଜିମ ତ୍ୱରାନ୍ୱିତ କରାଯିବା ଓ ଟ୍ରାଇବାଲ ହୋମ ଷ୍ଟେ ବୃଦ୍ଧି କରାଯିବା ପାଇଁ ସୁପାରିଶ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏସଟି ତାଲିକାରେ ରେକଡ଼ ଅଫ ରାଇଟ୍ସ ଉଭୟ ଓଡ଼ିଆ ଓ ଇଂରାଜୀରେ ଲେଖା ଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଏଥିସହିତ ଏସଟି ସମ୍ପ୍ରଦାୟରେ ଅଧିକ ବର୍ଗଙ୍କୁ ଅନ୍ତର୍ଭୁକ୍ତ କରିବାପାଇଁ ଏସସିିଏସଟିଆରଟିଆଇକୁ ସଠିକ ଅନୁଧ୍ୟାନ କରି ପରବର୍ତ୍ତୀ ଜନଜାତି ଉପଦେଷ୍ଟା ପରିଷଦକୁ ସୁପାରିଶ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟପାଳଙ୍କ ଅଫିସରୁ ଆସିଥିବା ପ୍ରସ୍ତାବଗୁଡିକୁ ଅନୁଧ୍ୟାନ କରି ପରବର୍ତ୍ତୀ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ଆଲୋଚନା କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେହିଭଳି ପେସା ଅଧିନିୟମର ଓଡ଼ିଶା ଭିତ୍ତିକ ନିୟମାବଳୀକୁ ସଠିକ ଅନୁଧ୍ୟାନ କରି ପରବର୍ତ୍ତୀ ବୈଠକକୁ ସୁପାରିଶ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଏକଲବ୍ୟ ମଡେଲ ଆବାସିକ ସ୍କୁଲଗୁଡିକରେ ବିଜ୍ଞାନ ସହିତ କଳା ଓ ବାଣିଜ୍ୟ ବିଷୟ ରଖିବା ପାଇଁ ସୁପାରିଶ କରାଯାଇଛି।