-ଝାରସୁଗୁଡା ଜିଲ୍ଲା ପ୍ରଥମ ପୁରସ୍କାର-୩ କୋଟି ଟଙ୍କା,
-ଖୋର୍ଦ୍ଧା ଜିଲ୍ଲା ଦ୍ୱିତୀୟ ପୁରସ୍କାର-୨ କୋଟି, ଜଗତସିଂହପୁର ଜିଲ୍ଲା ତୃତୀୟ ପୁରସ୍କାର-୧ କୋଟି
-୭୦ଜଣ ମାଧ୍ୟମିକ ଶିକ୍ଷକଙ୍କୁ ରାଜ୍ୟ ସ୍ତରୀୟ ଶିକ୍ଷା ପୁରସ୍କାର
-ଓଡିଶା ରାଜ୍ୟ କରିକୁଲମ ଫ୍ରେମୱାର୍କ, ‘ପଢିବା, ଗଢିବା ଓଡିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
-ପିଲାଙ୍କ ସ୍ୱପ୍ନପୂରଣ ପାଇଁ ଶିକ୍ଷାଦାନ ସହ ସେମାନଙ୍କ ମେଣ୍ଟର ହୁଅନ୍ତୁ, ମାର୍ଗଦର୍ଶନ କରନ୍ତୁ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:5/9-ଆଜିକାଲି ବିଭିନ୍ନ କ୍ଷେତ୍ରରେ ସୁଯୋଗ ଅସିମୀତ। ପିଲାମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରନ୍ତୁ। ପିଲାମାନଙ୍କୁ ନିଜ ଇଛାରେ ଉଡିବାକୁ ଦିଅନ୍ତୁ, ସ୍ୱପ୍ନ ଦେଖିବାକୁ ସୁଯୋଗ ଦିଅନ୍ତୁ ଏବଂ ସ୍ୱପ୍ନ ପୂରଣ କରିବା ପାଇଁ ଜଣେ ଜଣେ ମେଣ୍ଟର ଭାବେ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହରେ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମହାନ ରାଷ୍ଟ୍ରନୀତିଜ୍ଞ, ଆଦର୍ଶ ଶିକ୍ଷକ ତଥା ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ଡଃ ରାଧାକ୍ରଷ୍ଣନ ପ୍ରତ୍ୟେକ ବିଦ୍ୟାର୍ଥୀ ତଥା ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ହେଉଛନ୍ତି ଆଦର୍ଶ। ସେ କେବଳ ଜଣେ ବିଶିଷ୍ଟ ଶିକ୍ଷାବିତ, ଦାର୍ଶନିକ କିମ୍ବା ରାଷ୍ଟ୍ରନୀତିଜ୍ଞ ନଥିଲେ, ସେ ଥିଲେ ଭାରତବର୍ଷର ଜଣେ ଶ୍ରେଷ୍ଠ ଗୁରୁ।

ମୁଖ୍ୟମନ୍ତ୍ରୀ କହିଥିଲେ, ଆଜିର ଶିକ୍ଷା ପଦ୍ଧତିରେ ଆମ ପାଇଁ ସବୁଠାରୁ ବଡ ଦୁଇଗୋଟି ଆହ୍ୱାନ ରହିଛି। ପ୍ରଥମଟି ହେଲା ଡ୍ରପଆଉଟ୍ ହାରକୁ ଆଶାତୀତ ଭାବେ ହ୍ରାସ କରିବା ଏବଂ ଦ୍ୱିତୀୟଟି ହେଉଛି ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ପ୍ରଦାନ ବ୍ୟବସ୍ଥା। ଡ୍ରପ ଆଉଟ୍ ହାରକୁ ରୋକିବା ପାଇଁ ମିଡ୍ ଡେ ମିଲ ବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଏକ ସଫଳ ପଦକ୍ଷେପ ଭାବେ ସାବ୍ୟସ୍ତ ହୋଇଛି। ବର୍ତ୍ତମାନ ଆମେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଛୁ ଏବଂ ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ମଧ୍ୟ ବ୍ୟବସ୍ଥା କରିଛୁ। ଜନଜାତି ବର୍ଗର ପିଲାମାନଙ୍କୁ ମଧ୍ୟ ମଧୋ ସିଂ ହାତଖର୍ଚ୍ଚ ଯୋଜନା ଜରିଆରେ ସହାୟତା ପ୍ରଦାନ କରାଯାଉଛି। ଏହି ସବୁ ଯୋଜନା ଆଗାମୀ ଦିନରେ ଡ୍ରପଆଉଟ୍ ହାର କମ୍ କରିବାରେ ନିଶ୍ଚିତ ରୂପେ ସଫଳ ହେବ। ସେହିଭଳି ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ନୂତନ ଶିକ୍ଷାନୀତି ଲାଗୁ କରାଯାଇଛି।

ନୂତନ ଶିକ୍ଷା ନୀତି ଅଧୀନରେ ଛାତ୍ରଛାତ୍ରୀ ମାନଙ୍କୁ ସୃଜନଶୀଳ ଓ ସ୍ୱାବଲମ୍ବୀ କରିବା ପାଇଁ ଷ୍ଟେଟ୍ କରିକୁଲମ ଫ୍ରେମୱାର୍କ ଆରମ୍ଭ କରାଯାଉଛି। ପିଲାମାନଙ୍କ ପାଇଁ ଗପ, ଗୀତ, ଖେଳ ଓ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟ ମାଧ୍ୟମରେ ଭାଷା ସମ୍ପର୍କିତ ଦକ୍ଷତା ବୃଦ୍ଧି ପାଇଁ ନିପୁଣ ଓଡିଶା କାର୍ଯ୍ୟକ୍ରମ ଗତବର୍ଷଠାରୁ ଆରମ୍ଭ ହୋଇଛି। ଆଜିଠାରୁ ପଢିବା, ଗଢିବା ଓଡିଶା କାର୍ଯ୍ୟକ୍ରମ ଆରମ୍ଭ ହେଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗୁଡିକୁ ସୁନ୍ଦର ଓ ଆକର୍ଷଣୀୟ ପଠନ ସ୍ଥାନରେ ପରିଣତ କରି ସରଳ କାହାଣୀ ପୁସ୍ତକ ମାଧ୍ୟମରେ ପିଲାମାନଙ୍କର ପଢିବା ଓ ବୁଝିବା ଶକ୍ତିକୁ ବିକଶିତ କରାଯିବ। ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ସ୍ଥାପନ ହେବ। ପ୍ରଥମ ପର୍ଯ୍ୟାୟରେ ୫ରୁ ୭ କୋଟି ଟଙ୍କା ଖର୍ଚ୍ଚରେ ୮୩୫ଟି ବିଦ୍ୟାଳୟ ନିର୍ମାଣ ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥି ସହିତ ତିନି ବର୍ଷ ମଧ୍ୟରେ ପ୍ରାଥମିକ ସ୍ତରରେ ୪୫ ହଜାର ଶିକ୍ଷକ ପଦବୀ ମଧ୍ୟ ପୂରଣ କରାଯିବ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଲକ୍ଷ୍ୟ ରହିଛି। ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ପ୍ରତିଭା ଉପରେ ଆମ ସମୃଦ୍ଧ ଓଡିଶାର ଭିତ୍ତି ନିର୍ଭରଶୀଳ। ପିଲାମାନଙ୍କୁ କିପରି ଗାଇଡ୍ କରି ଭଲ ମଣିଷ କରିବେ ତାହା ଆପଣ ମାନେ ଭଲଭାବେ ଜାଣନ୍ତି। ସେ ସବୁ ପ୍ରତିଭାକୁ ବିକଶିତ କରିବାର ଦାୟିତ୍ୱକୁ ଆପଣମାନେ ସୁଚାରୁରୂପେ ତୁଲାଇବେ ବୋଲି ମୋର ବିଶ୍ୱାସ।
ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମରେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଶ୍ରେଷ୍ଠତା ଅର୍ଜନ କରି ପ୍ରଥମ ସ୍ଥାନରେ ଥିବା ଝାରସୁଗୁଡା ଜିଲ୍ଲାକୁ ୩ କୋଟି ଟଙ୍କା, ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲାକୁ ୨ କୋଟି ଟଙ୍କା ଏବଂ ତୃତୀୟ ସ୍ଥାନରେ ଥିବା ଜଗତସିଂହପୁର ଜିଲ୍ଲାକୁ ୧ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି। ସେହିଭଳି ୭୦ ଜଣ ଶିକ୍ଷକଙ୍କ ସମେତ ତିନୋଟି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, ତିନି ଜଣ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ୧୦ ଜଣ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ପୁରସ୍କୃତ କରିଛନ୍ତି। ଏଥିସହିତ ନିଟ୍ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା ଅନୁସୂଚିତ ଜନଜାତି ବର୍ଗର ଦୁଇ ଜଣ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିପୁଣ ଓଡିଶା ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ କଫି ଟେବୁଲ ବୁକ୍ ଉନ୍ମୋଚନ କରିବା ସହିତ ପଢିବା, ଗଢିବା ଓଡିଶା ଅଭିଯାନର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଶାଳିନୀ ପଣ୍ଡିତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ସ୍କିମାଟିକ୍ ଶିକ୍ଷକଙ୍କୁ “ନିୟମିତ ଶିକ୍ଷକ” ଘୋଷଣା
-ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଓଡିଶା କନିଷ୍ଠ ଶିକ୍ଷକ ସଂଘ
-ସମସ୍ତ ସମସ୍ୟାକୁ ସୁଯୋଗରେ ପରିଣତ କରି ଆଗକୁ ବଢନ୍ତୁ
-କୌଣସି ପରିସ୍ଥିତିରେ ଶିକ୍ଷକର ମୌଳିକ କର୍ତ୍ତବ୍ୟକୁ କଦାପି ଭୁଲିବେ ନାହିଁ – ମୁଖ୍ୟମନ୍ତ୍ରୀ
୨୦୨୫ରେ ନିଯୁକ୍ତି ପାଇଥିବା ରାଜ୍ୟର ୧୩ ହଜାରରୁ ଉର୍ଦ୍ଧ୍ୱ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କୁ “ନିୟମିତ ଶିକ୍ଷକ” ଭାବେ ନିଯୁକ୍ତି ଦେବାପାଇଁ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ରାଜ୍ୟ ଅତିଥି ଭବନ ଠାରେ ଓଡିଶା କନିଷ୍ଠ ଶିକ୍ଷକ ସଂଘ ଧନ୍ୟବାଦ ଜଣାଇଛନ୍ତି। ସଂଘ ପକ୍ଷରୁ ଗୁରୁ ଦିବସ ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ କନିଷ୍ଠ ଶିକ୍ଷକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇବା ସହିତ ଏହି ନିଷ୍ପତ୍ତି ସହିତ ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।

ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଥା ହେବା ସହିତ ସେମାନଙ୍କୁ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ଉପଦେଶ ଦେଇଥିଲେ। ଜୀବନରେ ଅନେକ ସମସ୍ୟା ଆସିବ, କିନ୍ତୁ ସମସ୍ତ ସମସ୍ୟାକୁ ସୁଯୋଗରେ ପରିଣତ କରି ଆଗକୁ ବଢିବା ପାଇଁ ଏବଂ ଜଣେ ଶିକ୍ଷକର ମୌଳିକ କର୍ତ୍ତବ୍ୟକୁ କଦାପି ଭୁଲିଯିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ ।