ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହ-୨୦୨୫
ଭୁବନେଶ୍ୱର:30/4 – ବିଭିନ୍ନ କୃଷକ କଲ୍ୟାଣକାରୀ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଫସଲ ବିବିଧିକରଣ ଓ ସମନ୍ୱିତ କୃଷି କାର୍ଯ୍ୟକ୍ରମ ଏବଂ ଶ୍ରୀଅନ୍ନ ଅଭିଯାନ ଭଳି ଅନେକ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରାଯାଇ ଚାଷୀମାନଙ୍କ ଅମଳ ଓ ରୋଜଗାର ବୃଦ୍ଧି ପାଇଁ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର ବରମୁଣ୍ଡା ଓୟୁଏଟି ଫାର୍ମ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହରେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସି.ଏମ୍ କିଷାନ ଯୋଜନାରେ ରାଜ୍ୟର ୫୦,୧୬,୯୩୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୪୯,୪୮୨ ସଂଖ୍ୟକ ଭୂମିହୀନ କୃଷି ପରିବାର ଏବଂ ୨,୩୮୨ ଜନଜାତି କୃଷକ ପରିବାରକୁ ୨୦୨୫ ଖରିଫ ଫସଲ ୠତୁ ପାଇଁ ୧୦୨୫ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ସମୁଦାୟ ୫୧ ଲକ୍ଷ ଚାଷୀ ଏହି ସହାୟତା ରାଶି ପାଇଛନ୍ତି । ଏଥିରେ ସହରାଞ୍ଚଳର ୨୫,୫୩୨ ଜଣ ଚାଷୀ ପ୍ରଥମ ଥର ପାଇଁ ଅନ୍ତର୍ଭୁକ୍ତ ହୋଇଛନ୍ତି। ଆଗୁଆ ସହାୟତା ପ୍ରଦାନ କରାଯାଉଥିବା ଯୋଗୁ ଏହି ରାଶି ରାଜ୍ୟର ଚାଷୀ ଭାଇମାନଙ୍କୁ କୃଷି କାର୍ଯ୍ୟ ନିମନ୍ତେ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ୱାଧୀନତା ସମୟରେ ଆମ ଦେଶର ପ୍ରାୟ ୩୩ କୋଟି ଜନତାଙ୍କୁ ଆମେ ଖାଦ୍ୟ ଦେବାରେ ଅସମର୍ଥ ଥିଲୁ। କିନ୍ତୁ, ଆଜି ଆମ ଦେଶ ଖାଦ୍ୟ ଶସ୍ୟ ତଥା ଅନ୍ୟ ଖାଦ୍ୟ ପଦାର୍ଥ ଉତ୍ପାଦନରେ ସ୍ୱାବଲମ୍ବୀ ହେବା ସହିତ କୃଷିଜାତ ସାମଗ୍ରୀ ରପ୍ତାନୀ ମଧ୍ୟ କରୁଛି। ବର୍ତ୍ତମାନ ଭାରତ କୃଷି ଏବଂ ଆନୁଷଙ୍ଗୀକ କୃଷି ଉତ୍ପାଦ ରପ୍ତାନୀ କରିବାରେ ଏକ ପ୍ରମୁଖ ରାଷ୍ଟ୍ର। ୨୦୧୪ ମସିହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରଠୁ ଦେଶରେ କୃଷି ଓ କୃଷକ କଲ୍ୟାଣକୁ ଏକ ନୂତନ ଦିଶା ମିଳିଛି। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନିଧି, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, କୃଷି ଭିତ୍ତିଭୂମି ଆଦିର ବିକାଶ ପ୍ରଭୃତି କ୍ଷେତ୍ରରେ ଅଭୁତପୂର୍ବ ଅଗ୍ରଗତି ହୋଇଛି। ଆମ ରାଜ୍ୟର ୬୦ ପ୍ରତିଶତରୁ ଅଧିକ ଲୋକ କୃଷି ଓ ଆନୁସଂଗିକ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି। ରାଜ୍ୟର ମୋଟ ଅଭିବୃଦ୍ଧିର ୨୨ ପ୍ରତିଶତ କୃଷି ଓ ଆନୁସଂଗିକ କ୍ଷେତ୍ରରୁ ଆସିଥାଏ। ଚାଷ ସହିତ ନିଜର ଅନୁଭୂତି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଚାଷ କାର୍ଯ୍ୟ କଠିନ ପରିଶ୍ରମର କାର୍ଯ୍ୟ। ଶସ୍ୟ ନିଅଣ୍ଟିଆ ରାଜ୍ୟରୁ ଶସ୍ୟ ବଳକା ରାଜ୍ୟରେ ପରିଣତ କରିଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଥିଲେ। ଜଳବାୟୁ ଅନୁକୂଳ କୃଷି କାର୍ଯ୍ୟ ଆପଣାଇବା ପାଇଁ ସେ ଚାଷୀ ଭାଇ ଭଉଣୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓୟୁଏଟିର ବରମୁଣ୍ଡା କୃଷି ଶୈକ୍ଷିକ ଫାର୍ମ ଠାରେ ଓଡିଆ ପରମ୍ପରା ଅନୁଯାୟୀ ପାରମ୍ପରିକ ହଳ ଲଙ୍ଗଳରେ ଅକ୍ଷିମୁଠି ଅନୁକୂଳ କରିଥିଲେ। ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ଦ୍ୱାରା ୧୯୨୧ ମସିହାରେ ରଚିତ ‘କୃଷକ ସଂଗୀତ ପୁସ୍ତକ’ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଏହି ଅବସରରେ ସ୍ୱଭାବ କବିଙ୍କ ବଂଶଧର ଉପସ୍ଥିତ ଥିଲେ। ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ବିଧାୟକ ବାବୁ ସିଂହ, ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ।