ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫

ଭୁବନେଶ୍ୱର:୧୨/୧୧-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱରର ୟୁନିଟ୍-୩ କ୍ୟାପିଟାଲ ହାଇସ୍କୁଲ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ସେ କହିଛନ୍ତି ଯେ ସୁରଭି କେବଳ ଶିଶୁ ପ୍ରତିଭାର ବିକାଶ ପାଇଁ ଏକ ଉତ୍ସବ ନୁହେଁ, ଏହା ପ୍ରତ୍ୟେକ ଶିଶୁମାନଙ୍କ ସ୍ୱପ୍ନ, ସୃଜନଶୀଳତା, ଚିନ୍ତାଧାରା ଓ ପ୍ରତିଭା ବିକାଶର ମଂଚ। ବିଦ୍ୟାର୍ଥୀମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ‘ସୁରଭି’ ଏକ ଅଦ୍ୱିତୀୟ ପ୍ଲାଟଫର୍ମ ସାଜିଛି। ଏହି ରାଜ୍ୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ୨୪୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୧୦୦୦ରୁ ଊର୍ଦ୍ଧ୍ୱ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଛନ୍ତି। ଚଳିତ ବର୍ଷ ‘ସୁରଭି’ କାର୍ଯକ୍ରମରେ– ‘ନିପୁଣ ଓଡ଼ିଶା-ନିପୁଣ ଭାରତ’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାମାନଙ୍କୁ ବିଦ୍ୟାଳୟ ଓ କ୍ଲଷ୍ଟରସ୍ତରରେ ଭାଗନେବାର ସୁଯୋଗ ଦିଆଯାଇଛି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ, ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଓ ଅତିଥି ମାନେବୁଲି ଦେଖିଥିଲେ। ଏଥି ସହିତ ଯୁକ୍ତ ଦୁଇ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା କଳାରେ ଦେବେନ୍ଦ୍ର ଖମାରିଆ, ବିଜ୍ଞାନରେ ସୁଶିଲ କୁମାର ନାୟକ, ବାଣିଜ୍ୟରେ ସ୍ୱର୍ଣ୍ଣରେଖା ମନ୍ତ୍ରୀ ଏବଂ ଧନ୍ଦାମୂଳକ ଶିକ୍ଷାରେ ସୁପ୍ରିୟା ସୁତାରଙ୍କୁ ମୁଖ୍ୟମନ୍ତ୍ରୀ ୨୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ଏବଂ ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏବଂ ମୁଖ୍ୟମନ୍ତ୍ରୀ ଭାଷା ବୃତ୍ତି ପାଇଁ ୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବା ସହିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି କହିଥିଲେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାର ଉନ୍ମେଷ କରାଇବାରେ ‘ସୁରଭି’ର ଯୋଗଦାନ ଅତ୍ୟନ୍ତ ଉଲ୍ଲେଖନୀୟ।

ଆମ ସରକାର ପ୍ରାକ୍ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ଆମେ ପ୍ରୟାସ ଜାରି ରଖିଛନ୍ତି। ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ପିଏମ-ଶ୍ରୀ ଯୋଜନା ପର୍ଯ୍ୟନ୍ତ ଆମେ କାର୍ଯ୍ୟକାରୀ କରିଛୁ। ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦କୁ ବିଦ୍ୟାଳୟସ୍ତରରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟସ୍ତର ଯାଏଁ ସଫଳତାର ସହ କାର୍ଯ୍ୟକାରୀ କରିଛୁ। ଆମ ସରକାର ରାଜ୍ୟର ୪୫ହଜାର ବିଦ୍ୟାଳୟରେ ଶିଶୁ ବାଟିକା ଆରମ୍ଭ କରିଛନ୍ତି। ଛୋଟ ପିଲାମାନଙ୍କର ଯତ୍ନ ଏବଂ ପ୍ରାରମ୍ଭିକ ଶିକ୍ଷା ପାଇଁ ଶିଶୁ ସେବିକାଙ୍କୁ ନିଯୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା, ସ୍ଥାନୀୟ ପରିଭ୍ରମଣ, ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତକାର, ଶ୍ରେଷ୍ଠ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ମଡ଼େଲ ୟୁନାଇଟେଡ ନେସନ ପାଭିଲିୟନ, କର୍ମଶାଳା ଓ ବିଭିନ୍ନ ପ୍ରଦର୍ଶନୀ ଏବଂ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି।