ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ମଧ୍ୟାହ୍ନ ଭୋଜନ ମୂଲ୍ୟରେ ଏକ ଟଙ୍କା ବୃଦ୍ଧି କରାଯିବ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର:୧୪ ନଭେମ୍ବର ୨୦୨୪
ଭୁବନେଶ୍ୱର ୟୁନିଟ-୩ ସ୍ଥିତ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଶେଷ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ନୂତନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବା କାର୍ଯ୍ୟକ୍ରମ ଗୁଡିକ ହେଲା:-
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ-
ରାଜ୍ୟର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ଅଧୀନରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ସମୁଦାୟ ୬,୭୯୪ଟି ବିଦ୍ୟାଳୟ ନିର୍ମାଣ କରାଯିବ। ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଏକ ଆଦର୍ଶ ଶିକ୍ଷା ପରିବେଶ ଥିଲା, ସେହିଭଳି ଏହି ବିଦ୍ୟାଳୟ ଗୁଡିକରେ ମଧ୍ୟ ପିଲାମାନଙ୍କ ପାଇଁ ଆଦର୍ଶ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିବ । ଏଥିରେ ବିଶେଷ କରି ପିଲାମାନଙ୍କର ଭାଷା ଜ୍ଞାନ ଓ ମୌଳିକ ଗାଣିତିକ ଜ୍ଞାନ ଉପରେ ଗୁରୁତ୍ୱ ଆରୋପ କରାଯିବ। ଏହା ଦ୍ୱାରା ପିଲାମାନେ ଉଚ୍ଚତର ଶ୍ରେଣୀରେ ସହଜରେ ଶିକ୍ଷା ଗ୍ରହଣ କରି ପାରିବେ। ଉନ୍ନତ ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା ଓ ସାମଗ୍ରୀକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ପିଲାମାନଙ୍କର ମୌଳିକ ଜ୍ଞାନ ଓ ବୌଦ୍ଧିକ ବିକାଶକୁ ସୁଦୃଢ କରିବା ଦିଗରେ ପଦକ୍ଷେପ ନିଆଯିବ। ଏହି ଯୋଜନାରେ ନୂଆ କ୍ଲାସ ରୁମ୍, ବାଳକ ଓ ବାଳିକାମାନଙ୍କ ପାଇଁ ପୃଥକ ଟଏଲଟର ବ୍ୟବସ୍ଥା, ପ୍ରାଚୀର ନିର୍ମାଣ, ସବୁଜ ପରିବେଶ, ଡିଜିଟାଲ ଲାଇବ୍ରେରୀ ଓ ଲାଙ୍ଗୁଏଜ୍ ଲ୍ୟାବ୍, ଖେଳ ପଡିଆ, ଡାଇନିଙ୍ଗ ହଲ୍, କମ୍ପ୍ୟୁଟର, ସ୍ମାର୍ଟ ବୋର୍ଡ ଆଦିର ବ୍ୟବସ୍ଥା କରାଯିବ। ଏହା ସହିତ କ୍ରୀଡା, ଶାରୀରିକ ବ୍ୟାୟମ ଏବଂ ସାମାଜିକ ଓ ସାଂସ୍କୃତିକ ଶିକ୍ଷା ଉପର ମଧ୍ୟ ଗୁରୁତ୍ୱ ଦିଆଯିବ।
ମୁଖ୍ୟମନ୍ତ୍ରୀ କହିଥିଲେ, ସେ ଯେତେବେଳେ ବିରୋଧୀ ଦଳରେ ଥିଲେ, ସେତେବେଳେ ପ୍ରାଥମିକ ବିଦ୍ୟାଲୟରେ ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେତେବେଳର ସରକାର କିଛି ପଦକ୍ଷେପ ନେଇନଥିଲେ।
ଐତିହ୍ୟ ବିଦ୍ୟାଳୟ-
ରାଜ୍ୟର ପୁରାତନ ବିଦ୍ୟାଳୟର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ଐତିହ୍ୟ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ରାଜ୍ୟର ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ବିଦ୍ୟାଳୟ କିମ୍ବା ଜିଲ୍ଲାର ସର୍ବ ପୁରାତନ ବିଦ୍ୟାଳୟ ଗୁଡିକର ବିକାଶ କରାଯିବ । ଏହାର ଐତିହ୍ୟ ଓ ଐତିହାସିକ ଗୌରବର ପୁନଃପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯିବ। ସମୁଦାୟ 51ଟି ଐତିହ୍ୟ ବିଦ୍ୟାଳୟର ବିକାଶ କରାଯିବ।
ଓଡିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲ ଅନ୍ତେବାସୀଙ୍କ ମାସିକ ଖର୍ଚ୍ଚ ରାଜ୍ୟ ସରକାରଙ୍କ ଦ୍ବାରା ବହନ-
୩୧୪ ଟି ଓଡିଶା ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ୧୭୩ ଟି ଆଦର୍ଶ ବିଦ୍ୟାଳୟରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଯୋଜନା ଅଧୀନରେ ବାଳିକା ହଷ୍ଟେଲ ନିମନ୍ତେ କେନ୍ଦ୍ର ସରକାରଙ୍କ ଠାରୁ ଅନୁମୋଦନ ମିଳିସାରିଛି । ଯେଉଁଥିରେ ସମସ୍ତ ଛାତ୍ରୀଙ୍କ ନିମନ୍ତେ ମାଗଣା ରହିବା ଏବଂ ଖାଇବାର ବ୍ୟବସ୍ଥା ରହିଛି । ବାକି ୧୪୧ ଟି ବାଳିକା ହଷ୍ଟେଲ ଏବଂ ୩୧୪ ଟି ବାଳକ ହଷ୍ଟେଲ କାର୍ଯ୍ୟକ୍ଷମ କରିବା ନିମନ୍ତେ ସରକାରଙ୍କ ତରଫରୁ ସମସ୍ତ ପଦକ୍ଷେପ ନିଆଯାଉଛି। ମୋଟ ୪୫୫ଟି ହଷ୍ଟେଲରେ ଅନ୍ତେବାସୀ ମାନଙ୍କଠାରୁ ମାସିକ 2000 ଟଙ୍କା ଲେଖାଏଁ ଖାଇବା ଖର୍ଚ୍ଚ ଆଦାୟ ନିମନ୍ତେ ପୂର୍ବରୁ ମାର୍ଗଦର୍ଶିକା ଜାରି ହୋଇଥିଲା । କିନ୍ତୁ ଅଭିଭାବକ ମାନଙ୍କର ଅନୁରୋଧ ରକ୍ଷାକରି ମାସିକ ଖର୍ଚ୍ଚ ସରକାର ବହନ କରିବେ ବୋଲି ନିଷ୍ପତ୍ତି ନିଆଗଲା । ଏଥି ପାଇଁ ଛାତ୍ରଛାତ୍ରୀମାନଙ୍କୁ କୌଣସି ଖର୍ଚ୍ଚ ଦେବାପାଇଁ ପଡ଼ିବନାହିଁ। ଏହା ଅଧୀନରେ ସମସ୍ତ ଅନ୍ତେବାସୀ ସମ୍ପୂର୍ଣ୍ଣ ମାଗଣାରେ ହଷ୍ଟେଲ ସୁବିଧା ପାଇବେ । ସମସ୍ତ ହଷ୍ଟେଲକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ମୂଳଖର୍ଚ୍ଚ 63.70 କୋଟିକୁ ବାଦ୍ ଦେଇ ସରକାର ବାର୍ଷିକ 187.15 କୋଟି ଟଙ୍କା ବହନ କରିବେ ।
ମଧ୍ୟାହ୍ନ ଭୋଜନ ମୂଲ୍ୟରେ ପ୍ରତି ବିଦ୍ୟାର୍ଥୀ ପ୍ରତି ୧ ଟଙ୍କା ବୃଦ୍ଧି ଘୋଷଣା-
ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାମାନଙ୍କୁ ପୌଷ୍ଟିକ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦେବା, ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ବୃଦ୍ଧି କରିବା, ସ୍କୁଲ ବାହାରେ ଥିବା ପିଲାମାନଙ୍କୁ ବିଦ୍ୟାଳୟ ପରିସରଭୁକ୍ତ କରିବା, ପିଲାମାନଙ୍କ କୁପୋଷଣ ଓ ପୁଷ୍ଟିହୀନତା ଦୂର କରିବା ପାଇଁ ପ୍ରାଧନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ (ପି.ଏମ୍.ପୋଷଣ) ଯୋଜନା କାର୍ଯ୍ୟକାରୀ ହେଉଛି । ରାଜ୍ୟର ୫୦ ହଜାରରୁ ଉର୍ଦ୍ଧ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ହାରାହାରୀ ୪୩ ଲକ୍ଷ ଛାତ୍ରଛାତ୍ରୀ ଏହି ମଧ୍ୟାହ୍ନ ଭୋଜନ ଯୋଜନାରେ ଉପକୃତ ହେଉଛନ୍ତି । ବର୍ତ୍ତମାନ ଏହି ଯୋଜନାରେ ସରକାର ପ୍ରତ୍ୟେକ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ
୫ ଟଙ୍କା ୯୦ପଇସା ଓ ଉଚ୍ଚପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ୮ଟଙ୍କା ୮୨ ପଇସା ଦୈନିକ ପଡି ମୂଲ୍ୟର ଖର୍ଚ୍ଚ ଧାର୍ଯ୍ୟ କରିଛନ୍ତି । ବର୍ତ୍ତମାନର ବଜାର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଦୈନିକ ପଡି ମୂଲ୍ୟ ଉପରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ୧ଟଙ୍କା ଲେଖାଏଁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଦ୍ୟାର୍ଥୀଙ୍କ ଭିତରେ ଅପାର ସମ୍ଭାବନା ଏବଂ ପ୍ରତିଭା ରହିଛି । ସେମାନେ ନିଜ ଭିତର ଲୁକ୍କାୟିତ ଗୁଣାବଳୀ ଏବଂ ଦକ୍ଷତାକୁ ଚିହ୍ନଟ କରନ୍ତୁ । ନୂଆ ନୂଆ ଚିନ୍ତା କରିବା ସହିତ ବଡ଼ ସ୍ୱପ୍ନ ଦେଖିବା ପାଇଁ କେବେ ବି ଦ୍ୱିଧା ପ୍ରକାଶ କରନ୍ତୁ ନାହିଁ । କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ସେମାନେ ପ୍ରତ୍ୟେକ ଲକ୍ଷ୍ୟକୁ ହାସଲ କରିପାରିବେ। ଦେଶ ନିର୍ମାଣରେ ବିଦ୍ୟାର୍ଥୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ଉତ୍ତମ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଆମ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ସୁରଭି ଏକ ସୁନ୍ଦର ଏବଂ ନିଆରା ମଞ୍ଚ, ଯାହା ମାଧ୍ୟମରେ ସେମାନଙ୍କୁ କଳା, ପ୍ରତିଭା ଏବଂ ସୃଜନଶୀଳତା ଉପସ୍ଥାପନ କରିବାର ସୁଯୋଗ ମିଳୁଛି। ଆମ ସରକାରଙ୍କର ପ୍ରୟାସ ପିଲାମାନଙ୍କର ଶିକ୍ଷାଗତ, ସାମାଜିକ ଏବଂ ମାନସିକ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆମେ ପିଲାମାନଙ୍କୁ ଏପରି ସଶକ୍ତ କରିବୁ ଯେ ସେମାନେ କେବଳ ନିଜ ପାଇଁ ନୁହେଁ ନିଜ ଗାଁ, ରାଜ୍ୟ ଏବଂ ଦେଶ ପାଇଁ ମଧ୍ୟ ଗୌରବ ଆଣିବେ। ଆମ ଓଡିଶା ବିକଶିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ବିକଶିତ ଭାରତ ଗଠନ ଦିଗରେ ବିକଶିତ ଓଡିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ‘ପି.ଏମ୍. ପୋଷଣ’ ନିର୍ଦ୍ଦେଶାବଳୀ ଏବଂ ‘ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡିଶା’ ନାମକ ଏକ କଫି ଟେବୁ ଲ ପୁସ୍ତକର ଉନ୍ମୋଚନ କରିଥିଲେ । ଏହା ସହିତ ଐତିହ୍ୟ ବିଦ୍ୟାଳୟର ଲୋଗୋ ଏବଂ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଲୋଗୋ ମଧ୍ୟ ଉନ୍ମୋଚନ କରିଥିଲେ। ଏହି ଅବସରରେ ସେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଏକାମ୍ର ବିଧାୟକ ବାବୁ ସିଂହ ଉପସ୍ଥିତ ଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଶାଲିନୀ ପଣ୍ଡିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ । ଏଥିରେ ୩୦ ଜିଲ୍ଲାର ୨୦୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
