ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ୧୦୭ତମ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ଜାତୀୟ ସଂହତି ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ଅଭିରାମ ବିଶ୍ୱାଳ ଯୋଗଦେଇ ସ୍ୱର୍ଗତାଗାନ୍ଧୀଙ୍କ ବଳିଷ୍ଠ ଜୀବନୀ ଓ ବ୍ୟକ୍ତିତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଇନ୍ଦିରା ଗାନ୍ଧୀଙ୍କ ବ୍ୟକ୍ତିତ୍ୱକୁ ସେ ହୀରା ସହ ତୁଳନା କରିବା ସହ ଦେଶ ପାଇଁ ବିଭିନ୍ନ ବିକାଶମୂଳକ ଓ ଗଠନମୂଳକ ପଦକ୍ଷେପ ଗ୍ରହଣ କରି ସେ ଅନେକ ପରିବର୍ତ୍ତନ ଆଣିପାରିଥିବା ଶ୍ରୀ ବିଶ୍ୱାଳ ସୂଚନା ଦେଇଥିଲେ।
ଭାରତବର୍ଷ ସମେତ ସମଗ୍ର ପୃଥିବୀରେ ଇନ୍ଦିରା ଗାନ୍ଧୀ ଜଣେ ଅନନ୍ୟା ନାରୀନେତ୍ରୀ ଭାବେ ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିପାରିଥିଲେ । ଆଜି ଭାରତ ବର୍ଷ ୧୯୭୧ ଯୁଦ୍ଧର ବିଜୟକୁ ନେଇ ଗର୍ବ ଅନୁଭବ କରୁଛି, ଏହାର ସମସ୍ତ ଶ୍ରେୟ ସେହି ସାହାସୀ, ଶକ୍ତିଶାଳୀ, ଦୃଢମନା ଇନ୍ଦିରା ଗାନ୍ଧୀଙ୍କ ପାଇଁ ସମ୍ଭବ ହୋଇ ପାରିଥିବା ସେ ମତ ପ୍ରକାଶ କରିଥିଲେ। ସମାଜର ବିଭିନ୍ନ ବର୍ଗ ଯଥା- ମହିଳା, ଶିଶୁ, ଜନଜାତି, ଗରିବ, ସଂଖ୍ୟାଲଘୁ ସମସ୍ତଙ୍କ ସାମଗ୍ରିକ ବିକାଶ ଏବଂ ଉନ୍ନତିକୁ ସ୍ୱର୍ଗତା ଇନ୍ଦିରା ଗାନ୍ଧୀ ପ୍ରାଧାନ୍ୟ ଦେଉଥିଲେ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ଯୋଗଦେଇ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କୁ ରାଜନୈତିକ ନୁହେଁ ରାଷ୍ଟ୍ରନୀତିଜ୍ଞ ଭାବେ ସମ୍ବୋଧନ କରିଥିଲେ । ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱ ଫଳରେ ଭାରତବର୍ଷରେ ସବୁଜ ବିପ୍ଲବ ସମ୍ଭବ ହୋଇଥିବାବେଳେ ଶସ୍ୟ ଉତ୍ପାଦନରେ ଭାରତବର୍ଷ ସ୍ୱାବଲମ୍ବୀ ହୋଇପାରିଥିବା ନେଇ ସେ ସୂଚନା ଦେଇଥିଲେ। ଇନ୍ଦିରା ଗାନ୍ଧୀ ଇତିହାସକୁ ନିଜେ ସୃଷ୍ଟି କରିଛନ୍ତି ବୋଲି କହିବା ସହ ୬୦ ଦଶକରେ ଭାରତବର୍ଷର ବିକାଶ ଓ ପ୍ରଗତିରେ ଲୌହମାନବୀଙ୍କ ଭାଗୀଦାରିକୁ ଶ୍ରୀ ସାମଲ ପ୍ରଶଂସା କରିଥିଲେ।
ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତିର ସାଧାରଣ ସମ୍ପାଦକ ଅମିୟ କୁମାର ପଟ୍ଟନାୟକ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଜୟନ୍ତୀ ପାଳନରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରୟାସକୁ ପ୍ରଶଂସା କରିଥିଲେ। ଜାତିର ସଂହତି, ଏକତା, ଅଖଣ୍ଡତା ରକ୍ଷାକୁ ନେଇ ଇନ୍ଦିରା ଗାନ୍ଧୀଙ୍କ ବଳିଷ୍ଠ ନେତୃତ୍ୱ ବିଷୟରେ ସେ ଆଲୋଚନା କରିଥିଲେ । ସଭାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ଉପ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ ।
