ସମଦୂରତା ବଜାୟ ରଖିବ
ଭୁବନେଶ୍ୱର:୮/୯- ଆସନ୍ତାକାଲି ଅନୁଷ୍ଠିିତ ହେବାକୁ ଥିବା ଉପ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦାନରୁ ବିଜୁ ଜନତା ଦଳ ବିରତ ରହିବ ବୋଲି ନିଷ୍ପତ୍ତି ନେଇଛି । ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ଦଳର ପିଏସି ସଦସ୍ୟ ଓ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଶ୍ରୀ ଦାସବର୍ମା କହିଛନ୍ତି ଯେ, ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତା, ପିଏସି ସଦସ୍ୟ ଓ ସାଂସଦମାନଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନେଇଛନ୍ତି ଯେ ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟ ଦାନରୁ ବିରତ ରହିବ। ବିଜେଡି ସବୁ ବେଳେ ପାଇଁ ସମଦୂରତା ନୀତିକୁ ଅବଲମ୍ବନ କରିଆସିଛି । ଚଳିତ ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ କିମ୍ବା କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟର ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ନାହିଁ ବିଜେଡି।

ରାଜ୍ୟର ସ୍ୱାର୍ଥ ବିରୋଧରେ ବିଜୁ ଜନତା ଦଳ କେବେ ହେଲେ ସାଲିସ କରିବନାହିଁ । ଭାରତବର୍ଷରେ ଓଡିଶାକୁ ଏକ ସଶକ୍ତ ରାଜ୍ୟରେ ପରିଣତ କରିବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସର୍ବଦା କାମ କରି ଆସିଛି । ରାଜ୍ୟର ସାଢେ ୪ କୋଟି ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ଓଡିଶାର ବିକାଶ ଓ ପ୍ରଗତି ପାଇଁ ବିଜେଡି ନିଜ କାର୍ଯ୍ୟଧାରା ବଜାୟ ରଖିଛି ।
ସେହିପରି ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି କହିଥିଲେ, ବିଜେଡି ସଭାପତି ନବୀନ ପଟ୍ଟନାୟକ ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟ ଦାନରୁ ବିରତ ରହିବା ନିଷ୍ପତ୍ତି ଜଣାଇବା ପରେ ଦୁଇଟି ଜାତୀୟ ରାଜନୈତିକ ଦଳ ଦୋହଲି ଯାଇଛନ୍ତି । ଭାରତୀୟ ଜନତା ପାର୍ଟି ପ୍ରତ୍ୟେକ୍ଷ ଓ ପରୋକ୍ଷରେ ତାଙ୍କୁ ସମର୍ଥନ କଥା କହୁଥିଲା ବେଳେ କଂଗ୍ରେସର ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ । ବିଜେଡି ସମଗ୍ର ଭାରତବର୍ଷରେ ଏକ ସଫଳ ରାଜନୈତିକ ଦଳ ଭାବେ ନିଜର ପରିଚୟ ସୃଷ୍ଟି କରିଛି ।