
ଭୁବନେଶ୍ୱର:୯/୪- ବିଜୁ ଜନତା ଦଳରେ ବିଦ୍ରୋହର ନିଆଁ ଜଳୁଥିବା ବେଳେ ଭି.କେ ପାଣ୍ଡିଆନଙ୍କ ବିରୋଧରେ ଦଳ ସଭାପତି ନବୀନ ପଟ୍ଟନାୟକ ଗୋଟିଏ ବି ଶବ୍ଦ ନ କହିବା ସମସ୍ତଙ୍କୁ ବିସ୍ମିତ କରିଛି। ୱକଫ୍ ବିଲ୍କୁ ନେଇ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ ବଦଳିବ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରି ଦଳରେ ବିଦ୍ରୋହ ଦାନା ବାନ୍ଧିଛି। ଏହି ସମୟରେ ସଭାପତି ନବୀନ ପାଣ୍ଡିଆଙ୍କ ସପକ୍ଷରେ ମତ ଦେଇଛନ୍ତି। କେବଳ ଦୁଇଟି ଜାତୀୟ ଖବର ସରବରାହ ସଂସ୍ଥାର ପ୍ରତିନିଧିଙ୍କୁ ନବୀନ ନିବାସ ଡାକି ସେ ପାଣ୍ଡିଆନଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ପାଣ୍ଡିଆନ ଅତୀତରେ କେବଳ ରାଜ୍ୟ ପାଇଁ ନୁହେଁ, ଦଳ ପାଇଁ ମଧ୍ୟ ବହୁତ ଭଲ କାମ କରିଛନ୍ତି। କୌଣସି କାର୍ଯ୍ୟ ପାଇଁ ତାଙ୍କୁ ଦୋଷ ଦେବା କିମ୍ବା ସମାଲୋଚନା କରାଯିବା ଉଚିତ ନୁହେଁ। ସେ ୧୦ ମାସ ପୂର୍ବରୁ ଦଳ ଛାଡ଼ି ସାରିଛନ୍ତି। କୌଣସି ଦଳୀୟ କାର୍ଯ୍ୟରେ ସେ ସମ୍ପୃକ୍ତ ନ ଥିବା ନବୀନ କହିଛନ୍ତି।
ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କରିଥିବା ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ସମ୍ପର୍କରେ ସେ କହିଛନ୍ତି, ପ୍ରଭାତ ତ୍ରିପାଠୀ କିଛି ବର୍ଷ ତଳେ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ସେ ଚିଟଫଣ୍ଡ କେସରେ ସଂପୃକ୍ତ ଥିଲେ ଏବଂ ସେଥିପାଇଁ ଜେଲ୍ ଯାଇଥିଲେ। ସେ ଦଳର କିଛି ନାହାନ୍ତି ବୋଲି ନବୀନ ପ୍ରକାଶ କରିଛନ୍ତି।
ପାଣ୍ଡିଆନ ଓ ଦଳର ନିଷ୍ପତ୍ତି ବିରୋଧରେ ବିଭିନ୍ନ ଜାଗାରେ ମେଳି କରୁଥିବା ନେତାଙ୍କୁ ମଧ୍ୟ ସେ ସମାଲୋଚନା କରି କହିଛନ୍ତି, ଦଳର ସଦସ୍ୟମାନେ କୌଣସି ହୋଟେଲରେ ବସି ବଡ଼ ମିଟିଂ କରିବା ଠିକ ନୁହଁ। ମିଟିଂ ପାଇଁ ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନ ଅଛି। ଏହା ଏକ ବୃହତ୍ତ ବିଲଡିଂ ହୋଇଥିବାରୁ ମିଟିଂ କରିବାରେ ଅସୁବିଧା ମଧ୍ୟ ନାହିଁ। କୌଣସି ମିଟିଂ କଲେ ସେଠାରେ ସେମାନେ କରି ପାରିବେ ବୋଲି ସେ କହିଛନ୍ତି। ୱକଫ ବିଲ୍ ଉପରେ ନିଷ୍ପତ୍ତି ତାଙ୍କ ନିର୍ଦ୍ଦେଶରେ ହୋଇଥିବା ସେ କହିଛନ୍ତି।