ଭୁବନେଶ୍ୱର:୨୨/୧-ଓଡ଼ିଶାର ସର୍ବ ବୃହତ ମହିଳା କୈନ୍ଦ୍ରିକ କଲ୍ୟାଣ ଯୋଜନା ସୁଭଦ୍ରାର ସହାୟତା ରାଶି ପ୍ରାୟ ୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ପ୍ରଦାନ କରିଛନ୍ତି। ସେ ୩୧୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରିଥିଲେ।

ସୂଚନା ଯୋଗ୍ୟଯେ, ସୁଭଦ୍ରା ଯୋଜନା ଅନ୍ତର୍ଗତ ପ୍ରଥମ, ଦ୍ୱିତୀୟ ଅବଶିଷ୍ଟ ଏବଂ ତୃତୀୟ କିସ୍ତି ପାଇନଥିବା ହିତାଧିକାରୀ ଏବଂ ନୂତନ ଭାବେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପଞ୍ଜୀକୃତ ହୋଇଥିବା ହିତାକାରୀଙ୍କୁ ଏଡି ସହାୟତା ପ୍ରଦାନ କରାଯାଇଛି।

ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବାର୍ଷିକ ୧୧ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ‘ସୁଭଦ୍ରା’ ହେଉଛି ସ୍ୱାଧୀନତା ପରବର୍ତ୍ତୀ ଓଡିଶାର ସର୍ବବୃହତ୍ ମହିଳା କୈନ୍ଦ୍ରିକ ଯୋଜନା, ଯେଉଁଥିରେ ୨୧ ରୁ ୬୦ ବର୍ଷ ବୟସର ୧ କୋଟିରୁ ଉର୍ଦ୍ଧ୍ୱ ଯୋଗ୍ୟ ମହିଳାଙ୍କୁ ୫ ବର୍ଷ ମଧ୍ୟରେ ବାର୍ଷିକ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ମୋଟ ୫୦ ହଜାର ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି। ସେଇଥିପାଇଁ “ସୁଭଦ୍ରା’ ଓଡ଼ିଶାର ସମସ୍ତ ମା’ ଭଉଣୀଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ଜ୍ୱଳନ୍ତ ନିଦର୍ଶନ।
ସରକାର କେବଳ ସୁଭଦ୍ରା ଯୋଜନାରେ ସୀମାବଦ୍ଧ ହୋଇ ରହି ନାହାନ୍ତି। ଚଳିତ ବଜେଟରେ ୮୯ ହଜାର ୮୬୨ କୋଟି ଟଙ୍କା କେବଳ ମା’ମାନଙ୍କ ପାଇଁ ପ୍ରାବଧାନ କରାଯାଇଛି। ଏହି ପ୍ରାବଧାନ ମୋଟ ବଜେଟ ଆକାରର ପ୍ରାୟ ୩୦ ପ୍ରତିଶତ। ଏହି ଅବସରରେ ୫ ଜଣ ସଫଳ ସୁଭଦ୍ରା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ ଏବଂ ସହାୟତା ରାଶି ଚେକ ପ୍ରଦାନ କରିଥିଲେ।