ଭୁବନେଶ୍ୱର:29/3- ଭି.କେ. ପାଣ୍ଡିଆନଙ୍କ ପତ୍ନୀ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । ସ୍ୱାମୀ ଶ୍ରୀ ପାଣ୍ଡିଆନ ଦେଢ଼ ବର୍ଷ ତଳେ ଆଇଏଏସ ଚାକିରୀ ଛାଡ଼ିଥିଲେ । ୨୦୦୦ ବ୍ୟା ର ଶ୍ରୀମତୀ ପାଣ୍ଡିଆନ ଦୁଇ ସପ୍ତାହ ତଳେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। କେନ୍ଦ୍ର ସରକାର ତାଙ୍କ ଆବେଦନକୁ ମଞ୍ଜୁର କରିଥିବା ଜଣାପଡ଼ିଛି।
ନବୀନ ସରକାରରେ ଶ୍ରୀ ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତା ପ୍ରଭାବଶାଳୀ ଅଫିସର ଥିଲେ। ସ୍ୱାମୀ ଭି.କେ.ପାଣ୍ଡିଆନ ଚାକିରୀରେ ଥାଇ ବିଜେଡିକୁ ସମର୍ଥନ କରୁଥିଲେ ଏବଂ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଇଥିଲେ। ସେ ନବୀନଙ୍କ ଉତ୍ତରାଧିକାରୀ ବୋଲି ପ୍ରଚାର ହୋଇଥିଲା। ବିଜେଡି ପରାଜିତ ହେଲା । ସକ୍ରିୟ ରାଜନୀତିରୁ ପାଣ୍ଡିଆନ ସନ୍ୟାସ ଘୋଷଣା କରିଥିଲେ । ସେ ଓଡ଼ିଶା ଛାଡ଼ି ଏକ ଅନ୍ତର୍ଜାତୀୟ ସଂଗଠନରେ ଯୋଗଦେଉଥିବା ଜଣାଯାଇଛି।
୨୦୨୪ ନିର୍ବାଚନ ବେଳେ ବିଜେପିର ଅଭିଯୋଗକ୍ରମେ ଶ୍ରୀମତୀ ପାଣ୍ଡିଆନଙ୍କ ଉପରେ ନିର୍ବାଚନ କମିସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟେଇ ଦିଆଯାଇ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇ ଥିଲା। ଚାଇଲଡ୍ କେୟାର ଲିଭ ଆବେଦନ କରି ୬ ମାସ ଛୁଟି ନେଇ ସେ ବିଦେଶ ଚାଲିଯାଇଥିଲେ। ନଭେମ୍ବର ୨୬ରେ ତାଙ୍କର ଛୁଟି ସରିବା ପରେ ସେ ପୁଣି ୬ ମାସ ଛୁଟି ପାଇଁ ଆବେଦନ କରିଥିଲେ। ମାତ୍ର ମୋହନ ସରକାର ତାଙ୍କର ସାନି ଛୁଟି ଆବେଦନକୁ ଆଉ ଗ୍ରହଣ କରିନଥିଲେ। କାର୍ଯ୍ୟରେ ଯୋଗଦେଇ କାମ କରୁଥିଲେ। ଏବେ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି।