ଯୋଗାଣ ନିରୀକ୍ଷକ ବବିଲତା ବେହେରା,
ଡାକ୍ତର କରୁଣାକର ରାଉତ ଚାକିରିରୁ ବହିଷ୍କୃତ
ଭୁବନେଶ୍ୱର: ୨୨/୭-ଦୁର୍ନୀତି ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅନୁଗୋଳ ଜିଲ୍ଲା କଣିହା ବ୍ଲକର ପୂର୍ବତନ ଯୋଗାଣ ନିରୀକ୍ଷକ ବବିଲତା ବେହେରାଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି । ବବିଲତା ବର୍ତ୍ତମାନ ବାରିପଦା ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗାଣ ନିରୀକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି।
ସୂଚନାଯୋଗ୍ୟ ଯେ, କଣିହା ବ୍ଲକରେ କାର୍ଯ୍ୟରତ ଥିବାବେଳେ ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗରେ ଅନୁଗୋଳ ଜିଲ୍ଲା ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୋଧରେ କେଶ୍ ରୁଜୁ ହୋଇଥିଲା। ନିକଟରେ ଅନୁଗୋଳ ଭିଜିଲାନ୍ସ ସ୍ପେଶାଲ ଜଜ୍ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ବିଧାନ କରିଛନ୍ତି । ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ୱନ କରି ମୁଖ୍ୟମନ୍ତ୍ରୀ ବବିତା ବେହେରାଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଆଜି ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ ଦୁଇ ଦୁଇ ଜଣ ଦୁର୍ନୀତି ଖୋର୍ ସରକାରୀ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଏହା ପୂର୍ବରୁ ଆଜି ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ବହିଷ୍କାର କରିଥିଲେ।
ଡାକ୍ତର କରୁଣାକର ରାଉତ ଚାକିରିରୁ ବହିଷ୍କୃତ
ଭୁବନେଶ୍ୱର:୨୨/୭- ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଡାକ୍ତର ରାଉତ ବର୍ତ୍ତମାନ ଭଦ୍ରକ ଜିଲ୍ଲା ସଦର ମହକୁମା ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ଏବଂ କ୍ୟାନ୍ସର ବିଭାଗର ବରିଷ୍ଠ ମେଡିକାଲ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି।
ସୂଚନାଯୋଗ୍ୟ ଯେ, ଡାକ୍ତର କରୁଣାକର ରାଉତଙ୍କ ନାମରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ କେସ ରୁଜୁ ହୋଇଥିଲା। ଡାକ୍ତର ରାଉତଙ୍କ ନାମରେ ମଧ୍ୟ ଡିପାର୍ଟମେଣ୍ଟାଲ ପ୍ରୋସିଡିଙ୍ଗ୍ କରାଯାଇଥିଲା। ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବା ସହିତ ଅନ୍ୟାନ୍ୟ ଦଣ୍ଡବିଧାନ ମଧ୍ୟ ହୋଇଥିଲା। ଇତି ମଧ୍ୟରେ ଭିଜିଲାନ୍ସ କୋର୍ଟ ପକ୍ଷରୁ ରାୟ ପ୍ରକାଶ ପାଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଉଚ୍ଚ ପଦସ୍ଥ ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଦୁର୍ନୀତି ଅଭିଯୋଗରେ ଚଢଉ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।
