ଭୁବନେଶ୍ୱର: 13/9-ଲାଞ୍ଚ ନେବା ସମୟରେ ଦୁଇ ଜଣ ସରକାରୀ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ହେଉଛନ୍ତି ୨୦୧୯ରେ ଓଏଏସ ଟପ୍ପର ହୋଇଥିବା ସମ୍ବଲପୁର ଜିଲ୍ଲା ବାମରା ତହସିଲଦାର ଅଶ୍ୱିନୀ କୁମାର ପଣ୍ଡା ଏବଂ ଅନ୍ୟ ଜଣେ ହେଉଛନ୍ତି ନୟାଗଡ଼ ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ। ବାମରା ବ୍ଲକ ଗୋବିନ୍ଦପୁର ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କର ଏକ ଜମି ମ୍ୟୁଟେସନ ଓ କିସମ ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ। ଏହି କାମ କରିବା ପାଇଁ ତହସିଲଦାର ଶ୍ରୀ ପଣ୍ଡା ଲାଞ୍ଚ ମାଗିଥିଲେ। ଉକ୍ତ ବ୍ୟକ୍ତି ଜଣଙ୍କ ସମ୍ବଲପୁର ଏ ସମ୍ପର୍କରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ଯୋଜନା ମୁତାବକ ଅଭିଯୋଗକାରୀ ୧୫ ହଜାର ଟଙ୍କା ନେଇ ତହସିଲଦାର ଶ୍ରୀ ପଣ୍ଡାଙ୍କୁ ଦେଇଥିଲେ। ତହସିଲଦାର ଲାଞ୍ଚ ଅର୍ଥ ଗ୍ରହଣ କରିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା । ତହସିଲଦାର ଶ୍ରୀ ପଣ୍ଡାଙ୍କ ସହିତ ତାଙ୍କ ଡ୍ରାଇଭର ପ୍ରବୀଣ କୁମାରଙ୍କୁ ମଧ୍ୟ ଭିଜିଲାନ୍ସ ପଚରାଉଚରା କରୁଛି। ଡ୍ରାଇଭର ପ୍ରବୀଣ କୁମାରଙ୍କୁ ମଧ୍ୟ ଗିରଫ କରାଯାଇଛି । ତାଙ୍କ ମାଧ୍ୟମରେ ତହସିଲଦାର ଲାଞ୍ଚ ନେବା କାରବାର କରୁଥିଲେ। ଶ୍ରୀ ପଣ୍ଡାଙ୍କ ଭୁବନେଶ୍ୱରର ମେ’ ଫେୟାର ରୋଡ୍ ସ୍ଥିତ ବାସଭବନରେ ଚଢ଼ାଉ କରାଯାଇ ୪.୭୩ ଲକ୍ଷ ଟଙ୍କା ଜବତ ହୋଇଛି।
ସେହିପରି ଶ୍ରମ କାର୍ଡ କରାଇଦେବା ପାଇଁ ନୟାଗଡ଼ ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ ଜଣେ ବ୍ୟକ୍ତିଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ବିରୁଡ଼ା ଗାଁର ଶ୍ରମିକ ନେତା, କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ପରିଷଦ ସଦସ୍ୟ ଭୁବନ ଚାନ୍ଦ ହାତୀଙ୍କ ଠାରୁ ସେ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଥିଲେ।

ଗୋଟିଏ ଶ୍ରମ କାର୍ଡ ପିଛା ୩୦୦ ଟଙ୍କା ଲେଖାଏ ୨୨ଟି ଶ୍ରମ କାର୍ଡ କରିବା ପାଇଁ ସେ ୬ ହଜାର ୬୦୦ ଟଙ୍କା ଦାବି କରିଥିଲେ। ୨୧ଟି କାର୍ଡ କରାଇଦେବା ପାଇଁ ସେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ନୟାଗଡ଼ ଭିଜିଲାନ୍ସ ଟିମ ଧରିଥିଲା।
ଏହାବ୍ୟତୀତ ସରକାରୀ ଅର୍ଥ ହେରଫେର ମାମଲାରେ ପୁଷ୍ପିତା ମହାକୁଡ଼ ନାମକ ଜଣେ ପୂର୍ବତନ ପିଇଓଙ୍କୁ ଭିଜିଲାନ୍ସ ଗିରଫ କରିଛି। ବାର୍ଦ୍ଧକ୍ୟ ଭତ୍ତା ବାବଦରେ ସେ ପ୍ରାୟ ୬ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି।