ସାତଦିନ ପାଇଁ ତାରା ନିଲମ୍ବିତ

ଭୁବନେଶ୍ବର:11/3- କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ବାଚସ୍ପତି ୭ ଦିନ ପାଇଁ ଗୃହରୁ ନିଲମ୍ବିତ କରିଛନ୍ତି। ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି। ମଙ୍ଗଳବାର ବିଧାନସଭାରେ ଅଭାବନୀୟ ଘଟଣା ଘଟିଥିଲା। ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ବିଧାନସଭାର ପ୍ରଶ୍ନୋତ୍ତର କାଳକୁ ବନ୍ଦ କରିବାକୁ ଉଦ୍ୟମ କରୁଥିବା କଂଗ୍ରେସ ବିଧାୟକଙ୍କ ସହ ଶାସକ ବିଜେପି ବିଧାୟକମାନଙ୍କର ମୁହାଁମୁହିଁ ହୋଇଥିଲା। ଶାସକ ସଦସ୍ୟମାନେ କଂଗ୍ରେସର ପ୍ରତିବାଦକୁ ସହିପାରି ନ ଥିଲେ। ବିଜପିର ସଦସ୍ୟ ଜୟନାରାୟଣ ମିଶ୍ର କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତିଙ୍କ ସାର୍ଟ କଲର୍ ଧରି ପକାଇଥିଲେ। ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ଓ ଠେଲାପେଲା ହୋଇଥିବା ଦେଖିବାକୁ ମିଳିଥିଲା। ତାରାଙ୍କୁ ନିଲମ୍ବିତ କରିବା ନିଷ୍ପତ୍ତିକୁ ଏକପାଖିଆ କହି ଉଭୟ କଂଗ୍ରେସ ଏବଂ ବିଜେଡି ବିରୋଧ କରିଛନ୍ତି।

ରାଜ୍ୟରେ ନାରୀ ନିର୍ଯ୍ୟାତନା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ଧରି କଂଗ୍ରେସ ବିଧାୟକମାନେ ସୋମବାର ଭଳି ଆଜି ମଧ୍ୟ ବିଧାନସଭା ଆରମ୍ଭରୁ ହଟ୍ଟଗୋଳ କରିଥିଲେ। ବିଧାୟକ ଜୟନାରାୟଣ ମିଶ୍ରଙ୍କ ଓଡ଼ିଶା ବିଦ୍ୱେଷୀ ମନ୍ତବ୍ୟର ପ୍ରତିବାଦରେ ବିଜେଡି ବିଧାୟକମାନେ ଗୃହରେ ହଟ୍ଟଗୋଳ ଚଳାଇ ଥିଲେ। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ନାରାବାଜି ଦେଇଥିଲେ।

ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ି ତାଙ୍କ ମାଇକ୍ ବନ୍ଦ କରିଦେବାକୁ ଉଦ୍ୟମ କରିଥିଲେ। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରଶ୍ନର ଉତ୍ତର ଦେବାକୁ ଆରମ୍ଭ କରୁଥିବା ବେଳେ ତାରା ମନ୍ତ୍ରୀଙ୍କ ଆସନନିକଟ କୁ ମାଡ଼ି ଆସିଥିଲେ। ଉତ୍ତର ବନ୍ଦ କରିବାକୁ ନିବେଦନ କରିଥିଲେ। ମନ୍ତ୍ରୀ ଉତ୍ତର ପଢ଼ିବା ଜାରି ରଖିବାରୁ ତାରା ତାଙ୍କ ମାଇକ୍ ମୋଡ଼ି ଦେଇଥିଲେ ଏବଂ ହାତରେ ଧରିଥିବା କାଗଜପତ୍ର ଛଡ଼ାଇ ଆଣିବାକୁ ଉଦ୍ୟମ କରିଥିଲେ।
ତାରାଙ୍କ ଆଚରଣରେ ବିଜେପି ବିଧାୟକମାନେ ନିଜ ନିଜ ଆସନରୁ ଉଠି ଆସି ତାରାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ । ଗୃହର କାର୍ଯ୍ୟ ଚାଲିବ ଏବଂ ମନ୍ତ୍ରୀ ତାଙ୍କର ଉତ୍ତର ରଖିବେ ବୋଲି ସେମାନେ କହୁଥିଲେ। ବିଜେପି ବିଧାୟକଙ୍କ ଆଚରଣକୁ ବିରୋଧ କରି କଂଗ୍ରେସ ବିଧାୟକମାନେ ଉଠି ଆସିଥିଲେ। ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଉଠିଆସି ତାରାଙ୍କ ସାର୍ଟ କଲର୍ ଧରିଥିଲେ। ପରିସ୍ଥିତି ଅଣାୟତ ହୋଇ ପଡିଥିଲା। ଶାସକ ଓ ବିରୋଧୀଙ୍କ କାଗଜ ଫିଙ୍ଗା,ଠେଲାପେଲା ଲାଗି ରହିଥିଲା। ବାଚସ୍ପତି ସବୁ ସରିବା ପରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ବିଜେପି ବିଧାୟକଙ୍କ ବ୍ୟବହାର ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଥିଲେ। ସେମାନେ ବାଚସ୍ପତିଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ କରିବା ସହ କଂଗ୍ରେସ ବିଧାୟକଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ଜୟନାରାୟଣ ମିଶ୍ରଙ୍କ ସହ ଅନ୍ୟ ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବାଚସ୍ପତିଙ୍କୁ ପତ୍ର ଲେଖିଥିଲେ। ଅନ୍ୟପକ୍ଷରେ ବିଧାନସଭା କରିଡରର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ବିଜେଡି ବିଧାୟକମାନେ ଲଣ୍ଠନ ଧରି ଧାରଣାରେ ବସିଥିଲେ।
ଦିନସାରା ବିଧାନସଭା ଅଚଳ ରହିବ ପରେ ସଂଧ୍ୟାରେ ବାଚସ୍ପତି ତାରାଙ୍କ ନିଲମ୍ବନ ସମ୍ପର୍କରେ ଶୁଣାଇଥିଲେ। ବାଚସ୍ପତିଙ୍କ ଏହି ନିଷ୍ପତ୍ତିକୁ ଏକପାଖିଆ ଏବଂ ଗଣତନ୍ତ୍ରର ହତ୍ୟା ବୋଲି ଦର୍ଶାଇ ତାରା ଗୃହ ଛାଡ଼ି ନ ଥିଲେ। ମାର୍ଶାଲଙ୍କ ସହାୟତାରେ ବାଚସ୍ପତି ତାଙ୍କୁ ଗୃହରୁ ବାହାର କରିଥିଲେ। ଗୃହରେ ଜୟନାରାୟଣ ମିଶ୍ର ତାରାଙ୍କ କଲର୍ ଧରିଲେ। ବିଜେପି ବିଧାୟକମାନେ ଗୁଣ୍ଡା ଭଳି ଠେଲାପେଲା କଲେ। ଅଥଚ ବାଚସ୍ପତିଙ୍କୁ ତାରା ବାହିନୀପତି ବିଶୃଙ୍ଖଳିତ ମନେ ହେଲେ। ଏହା ଗଣତନ୍ତ୍ରର ହତ୍ୟା ବୋଲି ବିଜେଡି ବିଧାୟକମାନେ କହିଛନ୍ତି। ତାରାଙ୍କ ନିଲମ୍ବନକୁ ବିରୋଧ କରି କଂଗ୍ରେସ ବିଧାୟକମାନେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। ନିଷ୍ପତ୍ତି ପ୍ରତ୍ୟାହାର ନ ହେଲା ପର୍ଯ୍ୟନ୍ତ ସେମାନେ ଉଠିବେ ନାହିଁ ବୋଲି କହିଛନ୍ତି।