-ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଉଦ୍ଘାଟିତ
-ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ତୁରନ୍ତ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ଉଦ୍ଦେଶ୍ୟ
ଭୁବନେଶ୍ୱର:୧୧/୧- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ସମ୍ବଲପୁର ଗସ୍ତ ଅବସରରେ ରବିବାର ସମ୍ବଲପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ନୂତନ ଭାବେ ନିର୍ମିତ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ ଓପିଡି ବିଲ୍ଡିଙ୍ଗର ଉଦ୍ଘାଟନ କରିଛନ୍ତି। ଟ୍ରମା କେୟାର ସେଣ୍ଟର ଏବଂ ଓପିଡି ନିର୍ମାଣ ପାଇଁ ସରକାର ପକ୍ଷରୁ ମୋଟ ୨୧ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏହା ମାଧ୍ୟମରେ ଦୁର୍ଘଟଣାଗ୍ରସ୍ତ ରୋଗୀମାନଙ୍କୁ ତୁରନ୍ତ ଏବଂ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରିବ। ଏଥିସହିତ ଡାକ୍ତରଖାନା ପରିସରରେ ୨ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସିଏସଏସଡି ବିଲ୍ଡିଙ୍ଗର ମଧ୍ୟ ଉଦ୍ଘାଟନ କରାଯାଇଛି। ଏଠାରେ ଆଧୁନିକ ପ୍ରଣାଳୀ ମାଧ୍ୟମରେ ବିଭିନ୍ନ ଚିକିତ୍ସା ସାମଗ୍ରୀ ଓ ଇକ୍ୟୁପ୍ମେଣ୍ଟକୁ ସଫା ଓ ଷ୍ଟେରିଲାଇଜ୍ କରାଯିବ। ଉଦ୍ଘାଟନ ଅବସରରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଦୁର୍ଘଟଣା ହାର ବଢ଼ି ଚାଲିଥିବାରୁ ପ୍ରତ୍ୟେକ ଜିଲ୍ଲାରେ ଟ୍ରମା କେୟାର ସେଣ୍ଟରର ଆବଶ୍ୟକତା ବୃଦ୍ଧି ପାଇଛି। ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଏବଂ ସୁନିଶ୍ଚିତ ଚିକିତ୍ସା ଯୋଗାଇଦେବା ଏହାର ମୂଳ ଉଦ୍ଦେଶ୍ୟ।

ସେ କହିଛନ୍ତି ଯେ ଦାୟିତ୍ୱ ନେବାର ୧୩ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରି ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ଅନ୍ୟାନ୍ୟ ବଡ଼ ସରକାରୀ ଡାକ୍ତରଖାନାରେ ଟ୍ରମା କେୟାର ସେଣ୍ଟର ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ସମୁଦାୟ ୮୯ଟି ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଖୋଲିବାକୁ ପଦକ୍ଷେପ ନିଆଯାଉଛି। ଏହାଦ୍ୱାରା ଦୁର୍ଘଟଣା ଜନିତ ମୃତ୍ୟୁ ଓ କ୍ଷୟକ୍ଷତି ସଂଖ୍ୟା କମିବା ସହ ଆହତମାନେ ସମୟରେ ଉତ୍ତମ ଚିକିତ୍ସା ପାଇପାରିବେ।
ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ଦିଗରେ ରାଜ୍ୟ ସରକାର ବିଭିନ୍ନ ଡାକ୍ତରଖାନାକୁ ଅପଗ୍ରେଡ୍ କରୁଥିବା ବେଳେ, ଆଜି ସମ୍ବଲପୁର ଡାକ୍ତରଖାନାର ନୂଆ ବିଲ୍ଡିଙ୍ଗ ଉଦ୍ଘାଟନ ଏହାର ଏକ ଅଂଶ। ଏହି ସମସ୍ତ ନୂଆ ସ୍ୱାସ୍ଥ୍ୟ ଭିତ୍ତିଭୂମି ଦ୍ୱାରା ସମ୍ବଲପୁର ଜିଲ୍ଲାବାସୀଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁଣାତ୍ମକ ଓ ଆଧୁନିକ ସେବା ମିଳିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାଏକ,ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ପ୍ରମୁଖ ଉପସ୍ଥିତ ଥିଲେ।