୨୮ରେ ଆସିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର:04.01.2025-ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଏ ସମ୍ପର୍କରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ପ୍ରସ୍ତୁତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନ କରି ଜଣାଇଛନ୍ତି।
ସମସ୍ତ କାର୍ଯ୍ୟକ୍ରମକୁ ତୃଟିଶୂନ୍ୟ ଓ ଆକର୍ଷଣୀୟ ଭାବରେ ପରିଚାଳନା କରି ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକମାନଙ୍କ ପାଖରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ଦୀର୍ଘ ସମୟ ପାଇଁ ଓଡିଶା ପୁଞ୍ଜିନିବେଶକମାନଙ୍କ ପାଇଁ ପସନ୍ଦର ସ୍ଥାନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଉପସ୍ଥାପନାରୁ ଜଣାଯାଇଛି ଯେ, ଜାନୁଆରୀ ୨୭ ତାରିଖରେ Confederation of Indian Industries ପକ୍ଷରୁ ଏହାର ନ୍ୟାସନାଲ ଏକଜିକ୍ୟୁଟିଭ୍ କାଉନସିଲ୍ର ବୈଠକ ଅନୁଷ୍ଠିତ ହେବ। ଜାନୁଆରୀ ୨୮-୨୯ ଦୁଇ ଦିନ ଧରି ୪ଟି ପ୍ଲେନାରୀ ସେସନ (Plenary Session), ୧୬ଟି ସେକ୍ଟରାଲ୍ ସେସନ୍ ଓ ୪ଟି ରାଉଣ୍ଡ ଟେବୁଲ୍ କନଫରେନସ୍ ହେବ। ଏହି ଦୁଇ ଦିନରେ ପ୍ରାୟ ୩୦୦୦ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପପତି, ପୁଞ୍ଜିନିବେଶକାରୀ, ଷ୍ଟାର୍ଟଅପ ଉଦ୍ୟୋଗୀ ଓ ଶିଳ୍ପସଂସ୍ଥା ସହିତ ଜଡିତ ବ୍ୟକ୍ତିମାନେ ଯୋଗଦେବେ।
୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ଆସି ଉପସ୍ଥିତ ଶିଳ୍ପପତି ଓ ପୁଞ୍ଜିନିବେଶକାରୀ ମାନଙ୍କୁ ଉଦବୋଧନ ଦେବେ। ଏହି ଦୁଇଦିନ ମଧ୍ୟରେ ଶିଳ୍ପର ବିଭିନ୍ନ କ୍ଷେତ୍ର ସମ୍ବନ୍ଧିତ ସ୍ୱତନ୍ତ୍ର ସେସନ୍ ଅନୁଷ୍ଠିତ ହେବା ସହିତ ବିଶିଷ୍ଟ ଶିଳ୍ପପତି ମାନଙ୍କ ଅଭିଭାଷଣ, ମୁଖ୍ୟମନ୍ତ୍ରୀଙ୍କ ସହିତ ବଡ ବଡ ଶିଳ୍ପସଂସ୍ଥାର ସି.ଇ.ଓ ମାନଙ୍କ ରାଉଣ୍ଡ ଟେବୁଲ, ଓଡିଆ ଉଦ୍ୟୋଗୀ ମାନଙ୍କ ସ୍ୱତନ୍ତ୍ର ସେସନ୍ ଏବଂ ମହିଳା ବିଜନେସ୍ ଲିଡର୍ସମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସେସନ ଅନୁଷ୍ଠିତ ହେବ। ଏହା ସହିତ ‘ସୁଭଦ୍ରାରୁ ମୁଦ୍ରା’ ନାମରେ ଓଡିଆ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ସେସନ ଅନୁଷ୍ଠିତ ହେବ। ଜାନୁଆରୀ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିଆଲ୍ ଏକଜିବିସନ୍ କରାଯିବ।
ଏହି ବୈଠକରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ।