ଭୁବନେଶ୍ୱର:୨୭/୨-ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କର 66 ବର୍ଷ ବୟସରେ ପରଲୋକ ଘଟିଛି। ଉତ୍ତମ ମହାନ୍ତିଙ୍କ ବିୟୋଗରେ ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି। ଉତ୍ତମଙ୍କ ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ପ୍ରବଳ ଭିଡ଼ ଜମି ଥିଲା। ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ କଳାକାରଙ୍କ ସମେତ ସାଧାରଣ ଲୋକ, ତାଙ୍କ ପ୍ରଶଂସକ ଓ ରାଜନେତା ପହଂଚିଥିଲେ।ତାଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଶୋକବାର୍ତ୍ତାରେ କହିଛନ୍ତି, ଉତ୍ତମ ମହାନ୍ତି ଥିଲେ ଓଡ଼ିଆ ସିନେମା ଜଗତର ଧୃବ ତାରା ସଦୃଶ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ଓଡ଼ିଆ ସିନେମା ଜଗତର ଥିଲେ ଅପ୍ରତିଦ୍ଵନ୍ଦୀ ନାୟକ। ଓଡ଼ିଆ କଳା ଜଗତର ସେ ଥିଲେ ଆଇକନ। ଓଡ଼ିଆ ସହିତ ଅନେକ ବଙ୍ଗାଳୀ ଓ ଏପରିକି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏକ ଉଚ୍ଚ ସ୍ତରକୁ ନେଇଥିଲେ। ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି। ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି।ସାଧୁ ମେହେରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଅଭିମାନ’ରୁ କ୍ୟାରିୟର ଆରମ୍ଭ କରିଥିଲେ ଉତ୍ତମ ମହାନ୍ତି। ୧୯୭୭ ମସିହାରେ ଏହି ସିନେମା ମୁକ୍ତିଲାଭ କରିଥିଲା। ୧୩୫ଟି ଓଡ଼ିଆ ଫିଲ୍ମରେ ସେ କାମ କରିଥିଲେ। ଦଣ୍ଡା ବାଳୁଙ୍ଗା, ଅକ୍ଷୟ ତୃତୀୟା, ଆରତି, ଅସ୍ତରାଗ, ଭକ୍ତ ସାଲବେଗ, ଅଭିଳାଷ, ଝିଅଟିଏ ସୀତା ପରି, ରାମ ରହିମ, ଜାଇ ଫୁଲ, ଜନନୀ, ଚକା ଭଉଁରୀ, ଜଗା ହାତରେ ପଘା, ମମତା ମାଗେ ମୂଲ, ପୂଜା ଫୁଲ, ସମୟ ବଡ଼ ବଳବାନ, ସହରୀ ବାଘ, ଏଇ ଆମ ସଂସାର, ଜୋର ଯାର ମୂଲକ ତାର, ପକା କମ୍ବଳ ପୋତ ଛତା, ବଧୂ ନିରୂପମା, ଚକା ଆଖି ସବୁ ଦେଖୁଛି, ଏଇ ତ ଦୁନିଆ, ଗୋଲାମଗିରି, ମିଛ ମାୟା ସଂସାର, ଫୁଲ ଚନ୍ଦନ, ସୁନା ଚଢ଼େଇ, ତୁଣ୍ଡ ବାଇଦ, ଯାହାକୁ ରଖିବେ ଅନନ୍ତ, ବଡ଼ ଭାଉଜ, ପୁଅ ମୋର କଳା ଠାକୁର, ଦଇବ ଦଉଡ଼ି, ପରଦେଶୀ ଚଢ଼େଇ, ଶାସ୍ତି, ପଞ୍ଚୁ ପାଣ୍ଡବ, କପାଳ ଲିଖନ ଓ ଅକୁହା କଥା ଆଦି ସିନେମା ଅନ୍ୟତମ। ଏହାବ୍ୟତୀତ ସେ କେତେକ ଟେଲି ଫିଲ୍ମ ଓ ଧାରାବାହିକୀରେ କାମ କରିଥିଲେ।
ଶ୍ରେଷ୍ଠ ଅଭିନେତା ଭାବେ ସେ ଫୁଲ ଚନ୍ଦନ, ଝିଅଟି ସୀତା ପରି, ଦଣ୍ଡା ବାଳୁଙ୍ଗା ଓ ସୁନା ଚଢ଼େଇ ଫିଲ୍ମ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ୧୯୯୯ରେ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ଵର୍ଗତ ଉତ୍ତମ ମହାନ୍ତି ଙ୍କ ବାସଭବନରେ ତାଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।