
ଭୁବନେଶ୍ୱର:୨୧/୭-ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି କେନ୍ଦୁଝର କେନ୍ଦୁପତ୍ର ଡିଭିଜନ ଡିଏଫଓ ନିତ୍ୟାନନ୍ଦ ନାୟକ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ାଉ କରିଥିବା ବେଳେ ତାଙ୍କର ୧୧୫ଟି ପ୍ଲଟ ରହିଥିବା ଜଣାପଡ଼ିଛି । ୫୩ଟି ପ୍ଲଟ ତାଙ୍କ ନାମରେ ଥିବା ବେଳେ ୪୨ଟି ପତ୍ନୀଙ୍କ ନମରେ, ୧୬ଟି ଦୁଇ ପୁଅଙ୍କ ନାମରେ ଓ ୪ଟି ତାଙ୍କ ଝିଅଙ୍କ ନାମରେ ରହିଛି। ଏହିସବୁ ପ୍ଲଟ ଅନୁଗୋଳର ଛେଣ୍ଡିପଦାରେ କିଣିଛନ୍ତି । ୧୯୯୨ରେ ସେ ରେଞ୍ଜ ଅଫିସର ଭାବେକାର୍ଯ୍ୟ ଆରମ୍ଭ କରିବା ପରଠାରୁ ୨୦୨୪ ମଧ୍ୟରେ ଏହି ସବୁ ପ୍ଲଟ୍ କିଣାଯାଇଛି। ରେଞ୍ଜ ଅଫିସରରୁ ଆସିଷ୍ଟାଣ୍ଟ କଞ୍ଜରଭେଟର , ଡେପୁଟି କଞ୍ଜରଭେଟର ଓ ଡିଏଫଓ ପଦାକୁ ପଦୋନ୍ନତି ପାଇଥିଲେ ।

ଅନୁଗୋଳର ତୁରଙ୍ଗରେ ତାଙ୍କର ଏକ ଚାରି ମହଲା କୋଠା ଅଛି। ତାଙ୍କ ଘରୁ ନଗଦ ୧.୧୯ ଲକ୍ଷ ଟଙ୍କା ଜବତ କରାଯାଇଛି। ତାଙ୍କର ୪ଟି ଚାରି ଚକିଆ ଗାଡ଼ି ଓ ୪ଟି ଦୁଇ ଚକିଆ ଗାଡ଼ି ରହିଛି। ଏହା ସହିତ ତାଙ୍କର କିଛି ସ୍ଥାନରେ ପୁଞ୍ଜି ନିବେଶ ରହିଛି। ଅନୁଗୋଳ ସ୍ଥିତ ଚାରି ମହଲା କୋଠା ସହିତ ବନ୍ତଳା ଥାନା ମଦନମୋହନ ପାଟଣାସ୍ଥିତ ତାଙ୍କ ପୈତୃକ ଘର, ଅନୁଗୋଳର ଜଗନ୍ନାଥପୁର ସ୍ଥିତ ତାଙ୍କ ଶ୍ୱଶୁର ଘର, କେନ୍ଦୁଝର ସ୍ଥିତ ତାଙ୍କ ଅଫିସ, କେନ୍ଦୁଝର ସ୍ଥିତ ତାଙ୍କ ସରକାରୀ ଘର, ନୟାଗଡ଼ ଜିଲ୍ଲା କୋମଣ୍ଡା ସ୍ଥିତ ତାଙ୍କ ପୁଅଙ୍କ ଆବାସିକ ଘର ଓ କୋମଣ୍ଡା ସ୍ଥିତ ପିଏଚ୍ସିରେ ଥିବା ତାଙ୍କ ପୁଅଙ୍କ ଚ୍ୟାମ୍ବରରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଆଜି ତାଙ୍କ ସରକାରୀ ବାସଭବନରୁ ଆଉ ୮.୫ ଲକ୍ଷ ଟଙ୍କା, ଏକାଧିକ ଜମି କାଗଜପତ୍ର ଓ ପାସ ବୁକ ଜବତ କରାଯାଇଛି ।