-ଟଙ୍କା ଦ୍ୱାରା ନୁହେଁ ଲୋକଙ୍କ ହୃଦୟ ଜିଣି ନିର୍ବାଚନ ଲଢ଼ିବୁ
-କଂଗ୍ରେସ ସମସ୍ତ ଭୂମିହୀନ ଦଳିତ ଓ ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ କରିବ

ଭୁବନେଶ୍ୱର:୬/୧୦- ପିସିସି ସଭାପତି ଭକ୍ତ ଚରଣ ଦାସ ବହୁ ପ୍ରତିକ୍ଷୀତ ନ୍ୟାୟ ଯାତ୍ରା ଏବଂ ସମାବେଶ ଖରିଆରରୁ ନୂଆପଡା ଅଭିମୁଖେ ଆରମ୍ଭ କରିଛନ୍ତି । ଉତ୍କେଲା ବିମାନ ବନ୍ଦରରୁ ଖରିଆର ପହଞ୍ଚିବା ପରେ କଂଗ୍ରେସର ନେତୃବୃନ୍ଦ ଏବଂ ହଜାର ହଜାର କର୍ମକର୍ତ୍ତା ଶ୍ରୀ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଏକ ବିଶାଳ ବାଇକ୍ ରାଲିରେ ଖରିଆର ରୋଡ଼ର ନ୍ୟାୟ ସମାବେଶ ସଭା ସ୍ଥଳକୁ ନେଇଥିଲେ । ନୂଆପଡା ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ସଭାପତି ଘାସିରାମ ମାଝୀ ତାଙ୍କୁ ସ୍ୱାଗତ କରିଥିଲେ।
ଶ୍ରମିକଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ନ୍ୟାୟ ସମାବେଶରେ ପିସିସି ସଭାପତି ଉଦବୋଧନ ଦେଇ କହିଲେ, କନ୍ୟାକୁମାରୀରୁ କାଶ୍ମୀର ରାହୁଳ ଗାନ୍ଧୀଙ୍କ ପଦଯାତ୍ରା କଂଗ୍ରେସ ପାଇଁ ସଂଜୀବନୀ ସଦୃଶ । କଂଗ୍ରେସର ପ୍ରତ୍ୟେକ କର୍ମକର୍ତ୍ତାଙ୍କ ପାଇଁ ଏହା ଏକ ପ୍ରେରଣା। ବିହାରରେ ରାହୁଳ ଗାନ୍ଧୀଙ୍କ ଯାତ୍ରାରେ ମୁଁ ଅଂଶଗ୍ରହଣ କରିଥିଲି ଏବଂ ଏହା ମତେ ଆଗକୁ ସଂଘର୍ଷ କରିବା ପାଇଁ ଅନେକ ଉତ୍ସାହିତ କରିଛି। ନୂଆପଡା ମାଟିର ପୁଅ ଉଦୀୟମାନ କଂଗ୍ରେସ ନେତା ଘାସିରାମ ମାଝିଙ୍କ ବଳିଷ୍ଠ ନେତୃତ୍ୱରେ ଆମେ ଶ୍ରମିକ, ବଞ୍ଚିତ, ଦଳିତ ଏବଂ ଆଦିବାସୀଙ୍କ ନ୍ୟାୟର ଲଢେଇ କରିବୁ।
ଭାରତ ସରକାରଙ୍କ ଆଇନ ଅନୁଯାୟୀ ଆମେ ସମସ୍ତଙ୍କୁ ଜମି ପଟ୍ଟା ପ୍ରଦାନ କରିବୁ। ଅଧିକାରରୁ ବଞ୍ଚିତ ହେଉଥିବା ସମସ୍ତଙ୍କ ନ୍ୟାୟ ପାଇଁ ଲଢେଇ ହେଉଛି ରାହୁଳ ଗାନ୍ଧୀଙ୍କ ପ୍ରତିଜ୍ଞା। ଭୋଟ ଚୋରୀ ଗତ ନିର୍ବାଚନରେ ହୋଇଥିଲା ଓଡିଶାରେ ମଧ୍ୟ ହୋଇଛି କାରଣ ବିଜେଡିର ୫୦ ରୁ ଅଧିକ ବିଧାୟକ ନିର୍ବାଚନ ଜିତିବା ସତ୍ୱେ କେମିତି ଗୋଟିଏ ମଧ୍ୟ ଏମପି ସିଟ ବିଜେଡି ଜିତିଲା ନାହିଁ। ଏଥିରୁ ଭୋଟ ଚୋରୀ ସ୍ପଷ୍ଟ ପ୍ରମାଣିତ ହେଉଛି। ତେଣୁ ଲୋକଙ୍କୁ ଭୋଟ ଚୋରୀ ବିଷୟରେ ସଜାଗ କରିବା ପାଇଁ କଂଗ୍ରେସ ଦସ୍ତଖତ ଅଭିଯାନ ପଞ୍ଚାୟତରୁ ସହର ପର୍ଯ୍ୟନ୍ତ ଆରମ୍ଭ କରିଛି। ବିଜେଡି ଏବଂ ବିଜେପି ଭଳିଆ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆମେ ନିର୍ବାଚନ ଲଢ଼ିବୁ ନାହିଁ। ଆମେ ଗାଁ ଗାଁ କୁ ଯାଇ ଭୋଟ ଭିକ୍ଷା କରିବୁ ଲୋକଙ୍କ ସହିତ ମିଶିବୁ। ଆମେ ସମସ୍ତେ ମିଶି ଲଢେଇ କରି ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇ କଂଗ୍ରେସକୁ ଜୟଯୁକ୍ତ କରିବୁ ବୋଲି ସେ କହିଥିଲେ । ସୂଚନାଯୋଗ୍ୟ ଆଗାମୀ ତିନିଦିନ ପିସିସି ସଭାପତି ଶ୍ରୀ ଦାସ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମସ୍ତ ବର୍ଗର ନେତୃବୃନ୍ଦ ଏବଂ ସାଧାରଣ ଜନତାଙ୍କୁ ଭେଟି ଭୋଟ ଭିକ୍ଷା କରିବେ।