ଭୁବନେଶ୍ୱର 10/12/2024-ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ପାଳିତ ହେଉଥିବା ବିଶ୍ୱ ମାନବ ଅଧିକାର ଦିବସ ସମସ୍ତ ମାନବ ସମ୍ପ୍ରଦାୟର ଅଧିକାର ସୁରକ୍ଷା, ସମାନତା, ସ୍ବାଧୀନତା ଏବଂ ମର୍ଯ୍ୟାଦା ପ୍ରତି ସଚେତନତା ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ। ମାନବାଧିକାର ଆଇନ, ୧୯୯୩ର ସଠିକ ରୂପାୟନ ଓ କାର୍ଯ୍ୟକାରିତା ପୂର୍ବରୁ ସମଗ୍ର ଭାରତବର୍ଷ ମାନବ ଅଧିକାରର ପ୍ରାସଙ୍ଗିକତାକୁ ଉପଲବ୍ଧି କରିଛି ବୋଲି ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ କହିଛନ୍ତି।
ଜୟଦେବ ଭବନ ପରିସରରେ ଏହି ଉପଲକ୍ଷେ ଆୟୋଜିତ ଏକ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଶରଣ ସିଂ କହିଲେ ଯେ ଅନେକ ଲୋକ ସେମାନଙ୍କ ଅଧିକାର ବିଷୟରେ ଅଜ୍ଞ । ସେମାନଙ୍କୁ ସଚେତନ କରାଇବା ସହିତ ସମାଜରେ ଯେଉଁମାନେ ଅଧିକାର ଚ୍ୟୁତ ହେଉଛନ୍ତି, ସେମାନଙ୍କ ନିମନ୍ତେ ଏକ ସୁରକ୍ଷିତ ଓ ସମାନ ମଞ୍ଚ ପ୍ରଦାନ କରିବା ଆମର ଦାୟିତ୍ୱ। ମାନବ ଅଧିକାର ଦିବସକୁ ଗୋଟିଏ ଦିନର କାର୍ଯ୍ୟକ୍ରମରେ ସୀମିତ ନରଖି ଏହାକୁ ପରିବ୍ୟାପ୍ତ କରିବା ଦରକାର। ଏକ ନିୟମିତ ସଚେତନତା କାର୍ଯ୍ୟକ୍ରମ ସହିତ ପ୍ରତ୍ୟେକ ନାଗରିକ ଯେପରି ଆୟୋଗର କାର୍ଯ୍ୟଧାରାକୁ ହୃଦୟଙ୍ଗମ କରିବେ ସେ ଦିଗରେ ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ। ଏଥିପାଇଁ ଜଷ୍ଟିସ ଶ୍ରୀ ସିଂ ତାଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।
ସମ୍ମାନିତ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଲେ ଯେ ବିଶ୍ୱ ମାନବ ଅଧିକାର ଦିବସ ଯେଉଁ ଉଦ୍ଦେଶ୍ୟରେ ପାଳନ କରାଯାଉଛି ଆମ ସମ୍ବିଧାନ ଆମମାନଙ୍କୁ ସେହି ଅଧିକାର ପ୍ରଦାନ କରିଛି । ଆଜିର ଦିବସର ତାତ୍ସର୍ଯ୍ୟ ହେଲା ସାଧାରଣ ମଣିଷକୁ ତାର ଅଧିକାର ସାଙ୍ଗରେ ପରିଚିତ କରାଇବା। ଆଜିର ଦିବସ ବାର୍ତ୍ତା ଆମକୁ ଏହା ବୁଝାଏ ଯେ, ସମସ୍ତ ମାନବ ସମାନ ଅଧିକାର ସହ ବଞ୍ଚିବା ଜରୁରୀ । କୌଣସି ଭାଷା, ଧର୍ମ, ଜାତି, ଲିଙ୍ଗ କିମ୍ବା ରଙ୍ଗ ଦ୍ୱାରା ମାନବ ଅଧିକାର ଉଲଂଘନ ନ ହେଉ, ଆମମାନଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ।ଲୋକମାନେ ଧୀରେ ଧୀରେ ହୃଦୟଙ୍ଗମ କରୁଛନ୍ତି ଯେ ମାନବିକ ଅଧିକାରର ଉଲ୍ଲଂଘନ ହେଉଛି ଏକ ବିଷୟ ଯାହା ମାନବ ଅଧିକାର ଆୟୋଗ ଦ୍ୱାରା ସମାଧାନ କରାଯାଇ ପାରିବ।ଜଷ୍ଟିସ୍ ଶତୃଘନ ପୁଜାହାରୀ, ଅଧ୍ୟକ୍ଷ, ଓଡ଼ିଶା ମାନବ ଅଧିକାର ଆୟୋଗ ତାଙ୍କ ବକ୍ତବ୍ୟରେ ବସୁଧୈବ କୁଟୁମ୍ବକମ୍ ନୀତି ପାଇଁ ମାନବ ଅଧିକାର ଜରୁରୀ ବୋଲି କହିବା ସହ ସ୍ୱାଧୀନ ଭାବେ ବଞ୍ଚିବା ଆମ ଜନ୍ମଗତ ଅଧିକାର ବୋଲି କହିଥିଲେ ।
ସମ୍ମାନିତ ଅତିଥିଭାବେ ଓଡ଼ିଶା ମାନବ ଅଧିକାର ଆୟୋଗର ସଦସ୍ୟ ଅସୀମ ଅମିତାଭ ଦାଶ ଏବଂ ଚିତ୍ତରଞ୍ଜନ ମହାପାତ୍ର ମାନବ ଅଧିକାର ପାଇଁ ନିର୍ଭୟରେ ସ୍ୱର ଉଠାନ୍ତୁ ଏବଂ ସମାଜକୁ ନ୍ୟାୟବନ୍ତ କରାଇବା ସହିତ ଲୋକ ମାନଙ୍କର ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଅଧିକାର ହାସଲ କରିବାକୁ ସମସ୍ତ ମାନବାଧିକାର କର୍ମୀ ଆଗେଇ ଆସିବା ଉଚିତ ବୋଲି କହିଥିଲେ । ଓଡିଶା ମାନବ ଅଧିକାର ଆୟୋଗର ଭାରପ୍ରାପ୍ତ ସଚିବ ସ୍ବିଟି ସାମନ୍ତରାୟ ସମାବେଶର ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ। ଡା. ନୀଳମାଧବ ରଥ ଓ ଆଶାକର୍ମୀ ଶିବାନୀ ମଣ୍ଡ ଙ୍କୁ ଏହି ଅବସରରେ ମାନବ ଜାତି ପ୍ରତି ସେମାନଙ୍କ ମୂଲ୍ୟବାନ ସେବା ପାଇଁ ସମ୍ବର୍ଦ୍ଧିତ କରା ଯାଇଥିଲା।
କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ବର୍ତ୍ତମାନ ଓ ପୂର୍ବତନ ବିଚାରପତି, ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଓଡିଶା ସରକାରଙ୍କ ସମସ୍ତ ବିଭାଗୀୟ ମୁଖ୍ୟ, ନ୍ୟାୟିକ ଅଧିକାରୀ, ଆୟୋଗର ସମସ୍ତ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ସମ୍ବାଦିକ ଓ ମାନବାଧିକାର କର୍ମୀ ଯୋଗ ଦେଇଥିଲେ।
