ଭୁବନେଶ୍ୱର:୨୪/୩- ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ-୨୦୨୬ ପାଳିତ ହୋଇଯାଇଛିଫ ଏହି ଅବସରରେ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ୨.୦ ର ଶହେ ଦିନିଆ କ୍ୟାମ୍ପେନର ଶୁଭାରମ୍ଭ ମଧ୍ୟ ହୋଇଛି। ରାଷ୍ଟ୍ରୀୟ ସ୍ତରରେ ଆଜି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଯକ୍ଷ୍ମା ମୁକ୍ତ ଭାରତ: ଶହେ ଦିନିଆ ଅଭିଯାନ- ୨.୦ ର ଶୁଭାରମ୍ଭ କରିଛନ୍ତି। ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ସ୍ୱୀକୃତି ପ୍ରିୟଦର୍ଶିନୀ ବେହେରାଙ୍କୁ ଫୁଙ ବାସ୍କେଟ ପ୍ରଦାନ କରି ରାଜ୍ୟସ୍ତରୀୟ କ୍ୟାମ୍ପେନର ଶୁଭାରମ୍ଭ କରିଥିଲେ।

ଭାରତ ସରକାରଙ୍କ ପକ୍ଷରୁ ଦେଶକୁ ଯକ୍ଷ୍ମାମୁକ୍ତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି, ଆଗାମୀ ଶହେ ଦିନକୁ ଦୃଷ୍ଟିରେ ରଖି ଏଥିପାଇଁ ବେଷ୍ଟ ଷ୍ଟ୍ରାଟେଜି ପ୍ରସ୍ତୁତ କରାଯାଇଛି। ଆମେ କେବଳ ସ୍ଲୋଗାନରେ ସୀମିତ ରଖିନାହୁଁ ଏଥିପାଇଁ ସମସ୍ତ ବ୍ୟବସ୍ଥା କରିଛୁ ବୋଲି କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ କହିଥିଲେ। ଯକ୍ଷ୍ମା ରୋଗକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେବଳ ସରକାରଙ୍କ ଚେଷ୍ଟା ଯଥେଷ୍ଟ ନୁହଁ ଏଥିପାଇଁ ଜନ ଭାଗୀଦାରି ଆବଶ୍ୟକ। ଏହାଦ୍ୱାରା ଯକ୍ଷ୍ମାମୁକ୍ତ ଅଭିଯାନ ଶତ ପ୍ରତିଶତ ସଫଳତା ହାସଲ କରିବ ଏବଂ ଓଡ଼ିଶା ଓ ଦେଶରୁ ଯକ୍ଷ୍ମା ରୋଗ ସମ୍ପୂର୍ଣ୍ଣ ଭାବରେ ମୂଳୋତ୍ପାଟନ ହେବ।
ରାଜ୍ୟର ସମସ୍ତ ଲୋକପ୍ରତିନିଧିଙ୍କୁ ନିଜ ନିଜ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଏହି ରୋଗ ସମ୍ପର୍କରେ ଥିବା ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିବା ସହ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ସିଭିଲ୍ ସୋସାଇଟି ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଏହି ଅଭିଯାନରେ ସାମିଲ ହେବା ପାଇଁ କହିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯକ୍ଷ୍ମା ରୋଗ ବିରୋଧରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ଏବଂ ସ୍ୱାସ୍ଥ୍ୟ ବିଭାଗର ତ୍ୱରିତ ପଦକ୍ଷେପ ବିଷୟରେ ଆଲୋକପାତ କରିବା ସହିତ ଗ୍ରାମାଞ୍ଚଳ ଓ ଅପହଞ୍ଚ ଅଞ୍ଚଳ ମାନଙ୍କରେ ଏହି ରୋଗ ବିରୁଦ୍ଧରେ ଅଭିଯାନକୁ ବିଶେଷ ରୂପେ ଧ୍ୟାନ ରଖାଯିବ ବୋଲି କହିଥିଲେ।
ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟବିଭାଗ ସଚିବ ଅଶ୍ୱତି ଏସ୍. ସ୍ୱାଗତ ଭାଷଣ ଦେଇଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ଯୋଡ଼ି ହୋଇ ଏହି ଦିବସକୁ ପାଳନ କରିଥିଲେ।