ଭୁବନେଶ୍ୱର :୨୫/୧୨- ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଠାରେ ରାଜ୍ୟସ୍ତରୀୟ ଯୁବ ଉତ୍ସବ-୨୦୨୪ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମ ୨୪ ଡିସେମ୍ବର ଠାରୁ ଆରମ୍ଭ ହୋଇ ଆସନ୍ତା ୨୬ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୦ ଗୋଟି ଜିଲ୍ଲାରୁ ଆସିଥିବା ପ୍ରତିଯୋଗୀମାନେ ଲୋକନୃତ୍ୟ, ଲୋକସଂଗୀତ, ଗଳ୍ପ ଓ କବିତା ଲିଖନ, ଔପଚାରିକ ବକ୍ତୃତା ଏବଂ ଚିତ୍ରକଳା ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମର ଶେଷ ଦିନରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଏଥିସହ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନେ ଜାତୀୟସ୍ତରରେ ଜାତୀୟ ଯୁବ ଉତ୍ସବ-୨୦୨୫ ପରିପ୍ରେକ୍ଷୀରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ସୂଚନାଯୋଗ୍ୟ ଯେ, ଆସନ୍ତା ୧୨ ଜାନୁୟାରୀ, ୨୦୨୫ ଠାରୁ ୧୬ ଜାନୁୟାରୀ,୨୦୨୫ ରିଖ ପର୍ଯ୍ୟନ୍ତ ୨୮ତମ ଜାତୀୟ ଯୁବ ଉତ୍ସବ-୨୦୨୫ ଅନୁଷ୍ଠିତ ହେବ।

ଏହି ରାଜ୍ୟସ୍ତରୀୟ ଯୁବ ଉତ୍ସବ ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାର ଓ ଶିଳ୍ପୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ପ୍ରକୃଷ୍ଟ ମଞ୍ଚ। କଳା ଓ କଳାକାରମାନଙ୍କର ସର୍ବାଙ୍ଗୀନ ବିକାଶ ସହ ଜାତୀୟସ୍ତରରେ ସେମାନେ ଯେପରି ନିଜର ପ୍ରତିଭା ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଦେବେ ଏବଂ ଓଡ଼ିଆ କଳା ଓ ସଂସ୍କୃତିର ଯେପରି ବହୁଳ ପ୍ରଚାର ଓ ପ୍ରସାର ହୋଇପାରିବ ତାହା ଲକ୍ଷ୍ୟ ରଖାଯାଇଛି।