ଭାରତର ନାଗରିକଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର: ୧୩/୧୧-୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ଭାରତର ନାଗରିକଙ୍କ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି। ବୁଧବାର ଭୁବନେଶ୍ୱରସ୍ଥିତ ସିଏସଆଇଆର-ଆଇଏମଏମଟି ଠାରେ ଲଙ୍ଗିଟ୍ୟୁଡିନାଲ କୋହର୍ଟ ଷ୍ଟଡିଜ ଉପରେ ଜାତୀୟ ସମ୍ମିଳନୀ କୋହୋର୍ଟ କନେକ୍ଟକୁ ଉଦଘାଟନ କରି ସେ କହିଛନ୍ତି, ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତକୁ ଏବେ ନିଦାନ ଆଧାରିତ ଦୀର୍ଘକାଳୀନ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ହେବ। ଭାରତୀୟ ରୋଗୀଙ୍କ ପାଇଁ ଭାରତୀୟ ଉପଚାର, ଭାରତୀୟ ବିଷୟ ଲାଗି ଭାରତୀୟ ନିରାକରଣ ରଣନୀତି, ଭାରତୀୟ ସମାଧାନ ଲାଗି ଭାରତୀୟ ତଥ୍ୟ ଆମର ମନ୍ତ୍ର ହେବା ଉଚିତ।

କୋହୋର୍ଟ ଷ୍ଟଡିଜ ଏପରି ଏକ ଅଧ୍ୟୟନକୁ ବୁଝାଇଥାଏ ଯେଉଁଥିରେ ସମାନ ବୈଶିଷ୍ଟ୍ୟ ଥିବା ଏକ ଗୋଷ୍ଠୀର ସ୍ୱାସ୍ଥ୍ୟାବସ୍ଥା ଓ ଜୀବନଶୈଳୀକୁ ଅନୁଧ୍ୟାନ କରାଯାଇଥାଏ ଯାହା ଫଳରେ ସେମାନଙ୍କ ଠାରେ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ସମସ୍ୟାର ବିପଦ କାରକକୁ ଚିହ୍ନଟ କରାଯାଇପାରିବ। କାର୍ଯ୍ୟକ୍ରମରେ ଜାତୀୟସ୍ତରରେ କୋହୋର୍ଟ ପାଇଁ ରହିଥିବା ସୁଯୋଗ ଉପରେ ଆଲୋକପାତ କରି ସେ କହିଥିଲେ, ଏହା ସ୍ୱାସ୍ଥ୍ୟର ଚାରିଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଧାରକ ଯଥା ଜୈବିକ, ପରିବେଶଗତ, ଆନୁବଂଶିକ ଏବଂ ଜୀବନଶୈଳୀ କାରକଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ। ପ୍ରତ୍ୟେକ କାରକ ଦେଶର ଆହାର, ପରିବେଶ ଏବଂ ଆନୁବଂଶିକ ଢାଞ୍ଚାରେ ଅସାଧାରଣ ବିବିଧତା ଦ୍ୱାରା ଆକାର ନେଇଥାଏ।
ଭାରତରେ ପାଚନକ୍ରିୟା ସହ ଜଡ଼ିତ ବିକାର ପ୍ରାୟତଃ ପରସ୍ପର ସହ ଯୋଡ଼ି ହୋଇ ରହିଥିବା ସ୍ଥିତି ରୂପରେ ସାମ୍ନାକୁ ଆସିଥାଏ ଏବଂ ଏହାକୁ ସଂକ୍ରାମକ ଏବଂଅଣସଂକ୍ରାମକ ରୋଗର ବ୍ୟାପକ ପରିଦୃଶ୍ୟଠାରୁ ଅଲଗା କରାଯାଇପାରିବ ନାହିଁ। ଯକ୍ଷ୍ମା ଏବଂ ମଧୁମେହ ମଧ୍ୟରେ ପାରସ୍ପରିକ ସମ୍ପର୍କ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ଭାରତକୁ ରୋଗ ମୁକାବିଲା କ୍ଷେତ୍ରରେ ସଂକୀର୍ଣ୍ଣ ଦୃଷ୍ଟିକୋଣ ଠାରୁ ଆଗକୁ ବଢ଼ିବାକୁ ପଡ଼ିବ। ଦୀର୍ଘ ଦଶନ୍ଧିର ନିଦାନଗତ ଅଭିଜ୍ଞତାକୁ ଆଧାର କରି, ସେ କହିଥିଲେ ଯେ ଭାରତୀୟ ଫେନୋଟାଇପରେ ଏକ ସ୍ୱତନ୍ତ୍ର ପାଚନକ୍ରିୟା ଜନିତ ଦୁର୍ବଳତା ରହିଛି ଯାହା ଅନେକ ପିଢ଼ି ଧରି ବିଦେଶରେ ବସବାସ କରୁଥିବା ଭାରତୀୟଙ୍କ ଭିତରେ ମଧ୍ୟ ପରିଲକ୍ଷିତ ହୁଏ। ଯଦିଓ ଏପରି ଧାରା ଐତିହାସିକ ଭାବରେ ପରିଚିତ ଥିଲା, ତଥାପି ବ୍ୟାପକ ସମୂହ ଅଧ୍ୟୟନ ମାଧ୍ୟମରେ ଏବେ ବଡ଼ ଧରଣର ବୈଜ୍ଞାନିକ ବୈଧତା ସମ୍ଭବ ହେଉଛି ।
ଜିନୋମିକ୍ସ ଏବଂ ଜୈବ ଚିକିତ୍ସା ବିଜ୍ଞାନରେ ଭାରତର ବୃଦ୍ଧି ପାଉଥିବା ଶକ୍ତି ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଥିଲେ। ସେ ମଧ୍ୟ ବଡ଼ ଧରଣର ଜିନୋମ୍ ସିକୋଏନ୍ସିଂ ଏବଂ ହିମୋଫିଲିଆ ପାଇଁ ଦେଶର ପ୍ରଥମ ସ୍ୱଦେଶୀ ନିଦାନଗତ ପରୀକ୍ଷଣ ଭଳି ମାଇଲଖୁଣ୍ଟ ବିଷୟରେ ଉଲ୍ଲେଖ କରିଥିଲେ। ନୂତନ ଚିକିତ୍ସା ଏବଂ ଆଧୁନିକ ଔଷଧଗୁଡ଼ିକୁ ଦୀର୍ଘକାଳୀନ ତଥ୍ୟ ମାଧ୍ୟମରେ ମୂଲ୍ୟାଙ୍କନ କରାଯିବା ଉଚିତ ବୋଲି ସେ ସତର୍କ କରାଇବା ସହ ଗୁରୁତ୍ୱାରୋପ କରି କହିଥିଲେ ଯେ ପ୍ରାୟ ୭୦% ଜନସଂଖ୍ୟା ୪୦ ବର୍ଷରୁ କମ୍, ଭାରତକୁ ନିବାରଣ, ପ୍ରାରମ୍ଭିକ ହସ୍ତକ୍ଷେପ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ସ୍ୱାସ୍ଥ୍ୟ ସମାଧାନକୁ ପ୍ରାଥମିକତା ଦେବାକୁ ପଡିବ।
ସମ୍ମିଳନୀର ଅଧିବେଶନଗୁଡ଼ିକରେ ସମନ୍ୱିତ ରୋଗ ନିରୂପଣ ମୂଲ୍ୟାଙ୍କନ, ବୃକକ୍-ରୋଗଗୋଷ୍ଠୀ ଏବଂ ସିଲିଆକ୍-ରୋଗ ଜୈବ ରିପୋଜିଟୋରୀ ଠାରୁ ଆରମ୍ଭ କରି ଜିଏଆରବିଏଚ-ଆଇଏନଆଇ ଅଧୀନରେ ଜନ୍ମ-ପରିଣାମ ଗବେଷଣା, ପ୍ରିଟର୍ମ-ଜନ୍ମ ଜିନୋମିକ୍ସ, ବୀରଭୂମ ଜନସଂଖ୍ୟା ପ୍ରକଳ୍ପ ଏବଂ ସିଏଆରଆରଏସ କାର୍ଡିଓ ମେଟାବୋଲିକ ଗୋଷ୍ଠୀ ପର୍ଯ୍ୟନ୍ତ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା। ଏହି ସମ୍ମିଳନୀରେ ଡକ୍ଟର ରାମାନୁଜ ନାରାୟଣ (ନିର୍ଦ୍ଦେଶକ, ସିଏସଆଇଆର-ଆଇଏମଏମଟି), ଡକ୍ଟର ସୌଭିକ ମାଇତି (ନିର୍ଦ୍ଦେଶକ, ସିଏସଆଇଆର-ଆଇଜିଆଇବି), ଡକ୍ଟର ବିନୟ ନନ୍ଦିଗୁରୀ (ସ୍ୱାସ୍ଥ୍ୟସେବା ଦଳ ନିର୍ଦ୍ଦେଶକ, ସିଏସଆଇଆର-ସିସିଏମବି) ଏବଂ ଡକ୍ଟର ଦେବାଶିଷ ଦାଶ (ନିର୍ଦ୍ଦେଶକ, ବିଆରଆଇସି-ଆଇଏଲଏସ) ପ୍ରମୁଖଙ୍କ ସମେତଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ପଦାଧିକାରୀଙ୍କ ସମେତ ସିଏସଆଇଆର ମୁଖ୍ୟାଳୟ ଏବଂ ସହଭାଗୀ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଏବଂ ଅଧିକାରୀମାନେ ଉପସ୍ଥିତ ଥିଲେ।