ଭୁବନେଶ୍ୱର: ୭/୩ (ପ୍ରସାଦ କୁମାର ପ୍ରଧାନ) ଶ୍ରୀଜଗନ୍ନାଥଙ୍କ ଜମିର ସୁରକ୍ଷା ଓ ପୁନରୁଦ୍ଧାର ଆଳରେ ଦୀର୍ଘ ବର୍ଷ ଧରି ଶ୍ରୀଜଗନ୍ନାଥଙ୍କ ଜମିର ବିକାକିଣା ଉପରେ ଶ୍ରୀମନ୍ଦିର ପ୍ରଶାସକଙ୍କ ଦ୍ୱାରା ରୋକ୍ ଲଗାଯାଇ ଦଖଲକାରୀ ଓ ସ୍ଥିତିବାନ ପ୍ରଜା ଙ୍କୁ ଯେଭଳି ନାହିଁ ନଥିବା ଦୁର୍ଦ୍ଦଶା ଭିତରେ ରଖାଯାଇଛି ତାହା ଅବର୍ଣ୍ଣନୀୟ। ଏହାର ସମାଧାନ ହେବ କି ନାହିଁ, ଯଦି ହେବ କେବେ ହେବ ତାହା ବି ସନ୍ଦେହ। ଏଥିପାଇଁ ପଟ୍ଟାଧାରୀଙ୍କର ଉତ୍କଣ୍ଠା ବଢି ବଢି ଚାଲୁଥିବା ବେଳେ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପ ଲୋକଙ୍କୁ ଦ୍ୱନ୍ଦ୍ୱରେ ଚ୍ଛନ୍ଦି ଅଧିକ ଯଂତ୍ରଣା ଦେଉଛି।
ଓଡିଶା ସରକାରଙ୍କ ତରଫରୁ ସବ୍ ରେଜିଷ୍ଟାରଙ୍କ ଦ୍ୱାରା ହିଁ ଜମିର କିଣାବିକା କରାଯାଇ ହସ୍ତାନ୍ତର କରାଯାଉଥିବା ବ୍ୟକ୍ତିଙ୍କ ନାମରେ ଖତିଆନ ସଂଶୋଧନ କରା ଯାଉଥିଲା ଓ ସ୍ଥିତିବାନ ପଟ୍ଟା ପ୍ରଦାନ କରା ଯାଉଥିଲା। ସେଥିପାଇଁ ସରକାର ନିର୍ଦ୍ଧାରିତ ଫିସ୍ ବି ନେଉଥିଲେ। ଏବେବି ଖଜଣା ନେଉଛନ୍ତି । ଏହି ହସ୍ତାନ୍ତର ପ୍ରକ୍ରିୟାରେ ସରକାର ହିଁ କର୍ତ୍ତା ଥିଲେ। ତେଣୁ କହିବାକୁ ଗଲେ କିଣାବିକା ବନ୍ଦ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଓଡିଶା ସରକାରଙ୍କ ଦ୍ୱାରା କରା ଯାଉଥିବା ଏହି ହସ୍ତାନ୍ତର କ୍ଷମତାରେ ରୋକ୍ ଲଗାଇଛନ୍ତି। ଏହି ସବୁ ଜମିର ପୁନରୁଦ୍ଧାର ଓ ସୁରକ୍ଷା ପାଇଁ ବାସ୍ତବରେ ବିକାକିଣା ବନ୍ଦ କରିବା ଅପରିହାର୍ଯ୍ୟ ଥିଲା କି ନାହିଁ ଏହାର ପ୍ରଭାବ ଲୋକଙ୍କ ଉପରେ କ’ଣ ପଡିବ ତାହାକୁ ସରକାର ବିଚାରକୁ ନନେଇ ଅଧିକାରୀଙ୍କ ନିଷ୍ପତ୍ତିକୁ ମଥା ପାତି ମାନି ନେଲେ। ଅପର ପକ୍ଷରେ ଏହି ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ ଜମି ହସ୍ତାନ୍ତରୀକରଣ ଲାଗି ଦଲିଲରେ ମୁଖ୍ୟ ପ୍ରଶାସକ ଅବା ତାଙ୍କ ଦ୍ୱାରା ଅଧିକୃତ ଅଧିକାରୀଙ୍କ ଦସ୍ତଖତ ରହିବା ଆବଶ୍ୟକ। ଅର୍ଥାତ୍ ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛାନୁଯାୟୀ ବିକା କିଣା ହେବ। ଯଦି ଓଡିଶା ସରକାରଙ୍କ ଦ୍ୱାରା ଜମି ହସ୍ତାନ୍ତର ଅବୈଧ ଅଥଚ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅବା ଅଧିକୃତ ଅଧିକାରୀ ଦସ୍ତଖତ କଲେ ତାହା ବୈଧ ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓଡିଶା ସରକାରଙ୍କ ଠାରୁ ଉର୍ଦ୍ଧ୍ୱରେ କି ବୋଲି ମନରେ ପ୍ରଶ୍ନ ଉଠୁଛି । ଅପର ପକ୍ଷରେ ଅଧିକାରୀଙ୍କ ଦସ୍ତଖତରେ ବିକ୍ରୀ ହୋଇପାରୁଥିବା ପ୍ରମାଣିତ କରୁଛି ଯେ ଜଜଗନ୍ନାଥଙ୍କ ଭୂସମ୍ପତ୍ତିର ସୁରକ୍ଷା ଅବା ପୁନରୁଦ୍ଧାର କ୍ଷେତ୍ରରେ କିଣାବିକା ବାଧକ ନୁହେଁ । ତେବେ କିଣାବିକା ବନ୍ଦ କରି କାହିଁକି ଅକାରଣରେ ଲୋକଙ୍କୁ ଦଣ୍ଡିତ କରାଯାଇଛି । ତେଣୁ ଏହି ନିର୍ଦ୍ଦେଶକୁ ବାତିଲ କରି ପୁଣି କିଣାବିକା କରାଯିବାକୁ ସରକାର ତୁରନ୍ତ ନିର୍ଦ୍ଦେଶ ଦେବା ଉଚିତ୍।



ଇତି ମଧ୍ୟରେ ମୁଖ୍ୟ ପ୍ରଶାସକ ଜମିର ଖତିଆନରେ ସଂଶୋଧନ ଆଣିଥିବା ନଜରକୁ ଆସିଛି,ଯେଉଁଥିରେ ଓଡିଶା ସରକାରଙ୍କୁ ଜମିଦାର ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଜା ବୋଲି ଉଲ୍ଲେଖ କରାଯାଇଛି। ଜଗତ ଠାକୁର ଶ୍ରୀଜଗନ୍ନାଥଙ୍କୁ ସାଢେ ଚାରିକୋଟି ଓଡିଆ ଓଡିଶାର ପରିଚୟ ବୋଲି ମାନ୍ୟତା ଦେଉଥିବା ବେଳେ ଏଵଂ ପ୍ରଭୁଙ୍କୁ ଓଡିଆ ଜାତିର ଜମିଦାର କୁହା ଯାଉଥିବା ସ୍ଥଳେ ଜଣେ ଅଧିକାରୀ ତାଙ୍କୁ କିଭଳି ଏବଂ କେଉଁ ଉଦ୍ଦେଶ୍ୟରେ ପ୍ରଜା ଭାବରେ ଉଲ୍ଲେଖ କରିପାରିଲେ ଏବଂ ସରକାର ବି ଏହାର ପ୍ରତିବାଦ ନକରି ଜଗନ୍ନାଥଙ୍କୁ ଅପମାନିତ କରିଥିବା ଅଭିଯୋଗରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଏହାକୁ ନୀରବରେ ଗ୍ରହଣ କରିନେଲେ ତାହା ଅନେକ ସନ୍ଦେହ ସୃଷ୍ଟି କରୁଛି। ସରକାର ଓ ମୁଖ୍ୟ ପ୍ରଶାସକ ଉଭୟଙ୍କ ଜ୍ଞାତ ସାରରେ ଏହିଭଳି ସଂଶୋଧନ କରାଯାଇନାହିଁ ତ ? ଜମିଦାର ବା ମାଲିକର ଅଧିକାରରେ ପ୍ରଭୁଙ୍କର କୌଣସି ଭୂସମ୍ପତ୍ତିକୁ ଅନ୍ୟକୁ ହସ୍ତାନ୍ତର କରା ଯାଇନାହିଁ ତ ? ଖତିଆନର ଏହି ସଂଶୋଧନ ଏମିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି,ଯାହା ତଦନ୍ତ ସାପେକ୍ଷ।
ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ଖତିୟାନକୁ ପୁନର୍ବାର ସଂଶୋଧନ କରାଯିବା ଲାଗି ଗତ ତା ୧୯/୦୨/୨୦୨୬ ରିଖରେ ମୁଖ୍ୟ ପ୍ରଶାସକ ଗୁରୁତ୍ୱ ଆରୋପ କରିଛନ୍ତି। ପ୍ରଶ୍ନ ଉଠୁଚି ଏହି ପୂର୍ବ ସଂଶୋଧନ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା କି ? ତେବେ ଏହି ଭୂସମ୍ପତ୍ତିର ସମାଧାନ କରାଯାଇ ଲୋକଙ୍କ ସମସ୍ୟା ଦୂର କରାଯିବ ନା ବାରମ୍ବାର କେବଳ ଖତିଆନ ସଂଶୋଧନ ଭିତରେ ସୀମିତ ରହିଥିବ! ଏହିଭଳି ୧୫ ବର୍ଷ ବିତି ସାରିଥିଲେ ବି ଖତିୟାନ ସଂଶୋଧନ କାର୍ଯ୍ୟ ସରିବାର ନାଁ ଧରୁନି। ସମାଧାନର ସୂତ୍ର ବାହାର ନକରି ଲୋକଙ୍କ ସମସ୍ୟାର ସମାଧାନ କଥାକୁ ଗୁରୁତ୍ୱ ନଦେଇ ଅଧିକାରୀଙ୍କର ଏଭଳି ମନ ଇଚ୍ଛା ଖତିୟାନ ସଂଶୋଧନ କରିବା,ତାକୁ ପରିବର୍ତ୍ତନ କରି ପୁନର୍ବାର ସଂଶୋଧନ କରିବା ଲାଗି ବୈଠକରେ ତର୍ଜମା କରିବାକୁ ନେଇ ଏହା ମହମ୍ମଦ ବିନ୍ ତୋଗଲକଙ୍କ ରାଜଧାନୀ “ଦିଲ୍ଲୀରୁ ଦୌଲତାବାଦ” କାର୍ଯ୍ୟ ଭଳି ମନେ ହେଉଛି। ଅଧିକାରୀଙ୍କ ନିଷ୍ପତ୍ତି ଠିକ୍ କି ନାହିଁ,ଏହାଦ୍ୱାରା ଲୋକଙ୍କର ଉପକାର ହେଉଛି କି ନାହିଁ ବିଚାର ନକରି ଅଧିକାରୀଙ୍କ ସମସ୍ତ ନିଷ୍ପତ୍ତିକୁ ଓ ନିର୍ଦ୍ଦେଶକୁ ସରକାର ଅଂଧଭଳି ମାନି ନେବା କେତେଦୂରୁ ଯୁକ୍ତିଯୁକ୍ତ !ସରକାରଙ୍କର ଏତାଦୃଶ କାର୍ଯ୍ୟକୁ ଦେଖି ସରକାର ଲୋକଙ୍କ ଦୁଃଖ ଦୂର କରିବାକୁ ଅଛନ୍ତି ନା ଅଧିକାରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବାକୁ ଅଛନ୍ତି, ସରକାର ଉର୍ଦ୍ଧ୍ୱରେ କି ଅଧିକାରୀ ଉର୍ଦ୍ଧ୍ୱରେ ବୋଲି ନିର୍ଯ୍ୟାତିତ ପ୍ରଜାମାନେ ପ୍ରଶ୍ନ କରୁଛନ୍ତି। ଲୋକେ ୧୫ ବର୍ଷ ଧରି ବହୁ କଷ୍ଟ ପାଇଲେଣି। ତେଣୁ ସରକାର ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଅଧିକାରୀଙ୍କ ହାତରେ ସମାଧାନର ସମସ୍ତ ଦାୟିତ୍ୱ ଛାଡି ନଦେଇ ନିଶ୍ଚିନ୍ତରେ ନ ବସି ସମାଧାନ ଦିଗରେ ହସ୍ତକ୍ଷେପ କରିବା ସହିତ ଜମି କିଣାବିକା ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବା ଉଚିତ୍ ମନେହୁଏ।