କ୍ୟାପିଟାଲ ଥାନାରେ ଏତଲା, ତଦନ୍ତ ଆରମ୍ଭ
ଭୁୁବନେଶ୍ୱର:୧୧/୬- ମୋହନ ସରକାରଙ୍କ ଦୁଇବର୍ଷ ପୂରଣ ହେବାକୁ ଯାଉଥିବାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ସ୍ପର୍ଶକାତର ତଦନ୍ତ କମିସନ ରିପୋର୍ଟ ଗାଏବ ହୋଇଥିବା ସୂଚନା ମିଳିଛି। ବିଜେଡି ସରକାର ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଏହି ଫାଇଲ ଗାଏବ ହୋଇଥିବା ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରକାଶ କରିଥିଲେ। ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ସାମ୍ବାଦିକମାନେ ଏହାର ପ୍ରତିକ୍ରିୟା ଲୋଡ଼ିଲା ବେଳେ ତାଙ୍କ ପାଖରେ ସେହି ଖବର ନ ଥିଲା। ଅଭିଯୋଗ ଆସିଲେ ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଥିଲେ। ଫଳରେ ଏହାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥିଲା । ବିଜେଡି ଏହି ପ୍ରସଙ୍ଗକୁ ନେଇ ଫାଇଲ ହଜିଛି ନା ହଜେଇ ଦିଆଯାଇଛି ବୋଲି ପ୍ରଶ୍ନ କରିଥିଲା।

ଘଟଣା ଉପରେ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ଗୃହ ବିଭାଗ ପକ୍ଷରୁ କ୍ୟାପିଟାଲ ଥାନାରେ ଦୁଇଟି ଫାଇଲ ଗାଏବ ନେଇ ବୁଧବାର ଏତଲା ଦିଆଯାଇଥିଲା। ବିଭାଗୀୟ ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି ଏହି ଏତଲା ଦେଇଥିଲେ। ଦୁଇଟି ରିପୋର୍ଟ ହେଉଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ତଦନ୍ତ କରିଥିବା ନାଇଡୁ କମିସନଙ୍କ ତଦନ୍ତ ରିପୋର୍ଟ ଏବଂ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ଆରଡିସି ତଦନ୍ତ ରିପୋର୍ଟ। ଗୁରୁବାର ଫାଇଲ ଚୋରି ନେଇ ଲୋକସେବା ଭବନରେ କ୍ୟାପିଟାଲ ଥାନା ପୋଲିସ ପହଞ୍ôଚ ତଦନ୍ତ ଆରମ୍ଭ କରିଛି। ଏତଲାକାରୀ ଶ୍ରୀ ମାରାଣ୍ଡିଙ୍କୁ ପୁଲିସ ପଚରାଉଚରା କରିଛି।
ଏତଲା ଅନୁଯାୟୀ, ଗୃହ ବିଭାଗରେ ଦାଖଲ ହୋଇଥିବା ନାଇଡୁ କମିସନଙ୍କ ତଦନ୍ତ ରିପୋର୍ଟ ୧୬.୦୯.୨୦୧୬ରେ ମୁଖ୍ୟ ଶାସନ ସଚିବଙ୍କ ଅଫିସକୁ ପଠାଯାଇଥିଲା। ସେଠାରୁ ୧୯.୦୯.୨୦୧୬ରେ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଯାଇଥିଲା। ସେହିଭଳି ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ଆରଡିସି ତଦନ୍ତ ରିପୋର୍ଟ ଗୃହ ବିଭାଗରୁ ମୁଖ୍ୟ ଶାସନ ସଚିବଙ୍କ ଅଫିସକୁ ୨୩.୦୫.୨୦୧୮ରେ ପଠାଯାଇଥିଲା। ସେଠାରୁ ୨୪.୦୫.୨୦୧୮ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିଥିଲା। ୨୦୨୪ ଜୁନ ୪ ତାରିଖରେ ନିର୍ବାଚନ ଫଳ ପ୍ରକାଶ ପାଇବା ଦିନ ସରକାର ବଦଳୁଥିବା ଜଣାପଡ଼ିବା ପରେ ଗୃହ ବିଭାଗରୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଯାଇଥିବା ସବୁ ରିପୋର୍ଟ ଏବଂ ଫାଇଲ ସେହିଦିନ ଗୃହ ବିଭାଗକୁ ଫେରି ଆସିଥିଲା। ମାତ୍ର ସେଥିମଧ୍ୟରେ ଉପରୋକ୍ତ ଦୁଇଟି ତଦନ୍ତ ରିପୋର୍ଟ ନ ଥିଲା। ଏବେ ଦୁଇ ବର୍ଷ ପରେ ଗୃହ ବିଭାଗ ଏହା ଜାଣିବାକୁ ପାଇଛି। କ୍ୟାପିଟାଲ ଥାନାରେ ବିଏନଏସ୍ ୩୦୫, ୩୧୬(୨), ୨୩୮(ସି), ୨୪୧ ଏବଂ ୬୧(୨)(ବି) ଧାରାରେ ଏତଲା ଗ୍ରହଣ କରାଯାଇଥିଲା।