• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ସତ୍ୟଭାମାପୁରରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ପାଳନ

Share on FacebookShare on TwitterShare on Whatsapp

ରାଜ୍ୟବ୍ୟାପୀ ଓଡିଆ ଅସ୍ମିତାର ଉତ୍ସବ

-ସ୍ଵାଧୀନତାର 77 ବର୍ଷ ବିତିଯାଇଥିଲେ ସୁଦ୍ଧା, ଓଡ଼ିଶା ତାର ସାମର୍ଥ୍ୟକୁ ପୂର୍ଣ୍ଣ ରୂପେ ବିନିଯୋଗ କରି, ରାଜ୍ୟବାସୀଙ୍କ ଉନ୍ନତି ଦିଗରେ ଆଖିଦୃଶିଆ ସଫଳତା ହାସଲ କରିପାରିନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:1/4- ଆଜି ଓଡିଶା ଦିବସ। ସାରା ରାଜ୍ୟରେ ଓଡିଆ ଅସ୍ମିତାର ଉତ୍ସବ। ଏହି ଅବସରରେ ରାଜ୍ୟ ସରକାର ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଓଡିଶା ଗଠନର ମୁଖ୍ୟ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ମାଟି ସତ୍ୟଭାମାପୁରରେ ଆୟୋଜନ କରିଛନ୍ତି ରାଜ୍ୟ ସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ମଧୁବାବୁଙ୍କ ଜନ୍ମମାଟି ସତ୍ୟଭାମାପୁର ହେଉଛି ଆମ ପାଇଁ ଏକ ପବିତ୍ର ସ୍ଥାନ, ଏକ ତୀର୍ଥ। ଏ ସ୍ଥାନକୁ ଓଡିଆ ଜାତୀୟତା ଭାବର ଏକ କେନ୍ଦ୍ର ସ୍ଥଳ ଭାବେ ବିକଶିତ କରାଯିବ।

ମୁଖ୍ୟମନ୍ତ୍ରୀ କହିଲେ ଯେ, ଆଜି ଦିନଟି ହେଉଛି ଓଡ଼ିଆ ଅସ୍ମିତାର ଦିବସ। ଓଡ଼ିଆ ସ୍ୱାଭିମାନର ଦିବସ। ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନକୁ ଗୁରୁତ୍ୱ ଦେଇ ଓଡ଼ିଶାବାସୀ ଯେଉଁ ପରିବର୍ତ୍ତନ ଆଣିଥିଲେ, ତାକୁ ସମ୍ମାନ ଦେଇ, ଆଜି ଆମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣି ମଧୁବାବୁଙ୍କ ଗାଁ’ ମାଟିରେ ‘ଓଡ଼ିଶା ଦିବସ’ ପାଳନ କରୁଛୁ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉତ୍କଳ ଗୌରବ ‘ମଧୁସୂଦନ ଦାସଙ୍କ ଜନ୍ମ ସ୍ଥାନର ସମନ୍ୱିତ ବିକାଶ କାର୍ଯ୍ୟକ୍ରମ(Integrated Development of Madhusudan Das’ Birth Place)’ର ଭିତ୍ତିପ୍ରସ୍ତର ରଖିଥିଲେ । 21 କୋଟି ଟଙ୍କା ବିନିଯୋଗରେ ବିକଶିତ ହେଉଥିବା ଏହି କାର୍ଯ୍ୟକ୍ରମରେ ମଧୁବାବୁଙ୍କ ଜନ୍ମ ସ୍ଥାନର ଉନ୍ନତିକରଣ ସହିତ ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ, ଏନ୍ତୁଡିଶାଳର ଉନ୍ନତିକରଣ, ପ୍ରତିମୂର୍ତ୍ତି ନିର୍ମାଣ, ଅତିଥି ଭବନ, ପାଠାଗାର ଏବଂ ସେଠାରେ ଥିବା ଜଳାଶୟରେ ଲାଇଟ ଆଣ୍ଡ ସାଉଣ୍ଡ ସିଷ୍ଟମ ସ୍ଥାପନ ଆଦି କରାଯିବ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆମର ବରପୁତ୍ର ମାନେ ଯେଉଁ ତ୍ୟାଗ ଓ ସଂଗ୍ରାମ କରିଯାଇଛନ୍ତି, ସେ ଋଣକୁ ଆମେ କେବେ ବି ସୁଝି ପାରିବୁ ନାହିଁ। ତେବେ, ଏକ ସମୃଦ୍ଧ ଓଡିଶା ଗଠନ କରି ସେମାନଙ୍କ ସ୍ୱପ୍ନକୁ ନିଶ୍ଚୟ ପୂରଣ କରିବୁ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାଢ଼େ ଚାରି କୋଟି ଓଡ଼ିଶାବାସୀ ଯେତେବେଳେ ଏକଜୁଟ ହୋଇ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆଗେଇ ଚାଲିବେ, ସେତେବେଳେ ପୃଥିବୀର କୌଣସି ଶକ୍ତି ତାଙ୍କୁ ଅଟକେଇ ପାରିବେ ନାହିଁ। ସାଢ଼େ ଚାରି କୋଟି ଓଡ଼ିଆଙ୍କ ସ୍ୱପ୍ନ ପୂରଣ ହେବ। ଲକ୍ଷ୍ୟ ସଫଳ ହେବ। ଓଡିଶାର ଏହି ମହା ପରିବର୍ତ୍ତନର ଯାତ୍ରାରେ ସମସ୍ତେ ସାମିଲ ହୋଇ ସମୃଦ୍ଧ ଓଡ଼ିଶାର ମହାନ ଲକ୍ଷ୍ୟକୁ ହାସଲ କରିବା ପାଇଁ ସଂକଳ୍ପବଦ୍ଧ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ।

ଓଡିଆ ପକ୍ଷ- ରାଜ୍ୟରେ ଆରମ୍ଭ ହୋଇଥିବା ଓଡିଆ ପକ୍ଷ ପାଳନ କରିବାକୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଓଡ଼ିଶାର ପ୍ରକୃତ ସମ୍ପଦ ହେଉଛନ୍ତି ଆପଣମାନେ। ଆମର ସାଢ଼େ ଚାରି କୋଟି ଓଡ଼ିଶାବାସୀ। ଆମର ପ୍ରତ୍ୟେକ ରକ୍ତ ବିନ୍ଦୁରେ ଓଡ଼ିଆ ଅସ୍ମିତା ଭରି ରହିଛି। ଆମର ଚାଲିଚଳଣ, କଥାବାର୍ତ୍ତା, ଖାଦ୍ୟ… ସବୁଥିରେ ଭରି ରହିଛି ଗୋଟିଏ ନିଚ୍ଛକ ଓଡ଼ିଆପଣ। ସେହି ଓଡ଼ିଆପଣ, ଓଡ଼ିଆ ଅସ୍ମିତାକୁ ଆଗେଇ ନେବା ପାଇଁ ଆମେ ପ୍ରତିବଦ୍ଧ। ସେଥିପାଇଁ ଆଜିଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଆମେ ‘ଓଡ଼ିଆ ପକ୍ଷ’ ପାଳନ କରୁଛୁ । ଏହି ସମୟରେ ପ୍ରତ୍ୟେକ ଓଡିଆ ପାରମ୍ପରିକ ଓଡ଼ିଆ ଖାଦ୍ୟ ଖାଇବା, ଓଡ଼ିଆ ପୋଷାକ ପିନ୍ଧିବା ଏବଂ ଓଡ଼ିଆରେ ବାର୍ତ୍ତାଳାପ କରିବା ସହିତ ଓଡ଼ିଆ ପତ୍ରପତ୍ରିକା ମଧ୍ୟ ପଢ଼ିବାକୁ ସେ ଆହ୍ୱାନ ଦେଇଥିଲେ।

ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି-ଓଡ଼ିଶା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ରାଜ୍ୟ ତଥା ରାଜ୍ୟ ବାହାରେ ଏବଂ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର କେବଳ ମଧୁବାବୁଙ୍କ ଜନ୍ମମାଟି ନୁହେଁ, ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ତୀର୍ଥ ସ୍ଥଳ। ଆଧୁନିକ ଭାରତରେ ଓଡ଼ିଆ ଭାଷାର ଉତ୍‍ଥାନ ତଥା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପୁରୋଧାଙ୍କ ଜନ୍ମସ୍ଥଳୀ ହେଉଛି ଏ ପବିତ୍ର ମାଟି। ଯେଉଁ ମାଟିର ସନ୍ତାନ ସବୁ ପ୍ରତିକୂଳ ପରିସ୍ଥିତି ସହିତ ଲଢ଼ି, ଆମକୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଥିଲେ, ତାଙ୍କୁ ସଶ୍ରଦ୍ଧ ପ୍ରଣିପାତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେ ପୁଣି କହିଥିଲେ ଯେ, ସ୍ଵତନ୍ତ୍ର ଓଡ଼ିଶା ଗଠନ ପାଇଁ ହୋଇଥିବା ଆନ୍ଦୋଳନର ଲକ୍ଷ୍ୟ କେବଳ ଓଡ଼ିଶାକୁ ଏକ ସ୍ଵତନ୍ତ୍ର ଭୌଗୋଳିକ ଭୂଖଣ୍ଡ ବନାଇବା ନ ଥିଲା। ଏହାର ଆଉ ଗୋଟିଏ ପ୍ରଧାନ ଲକ୍ଷ୍ୟ ଥିଲା, ଅବକ୍ଷୟମାନ ଓଡ଼ିଆ ଭାଷା ଓ ସାହିତ୍ୟକୁ ପୁନର୍ଜୀବିତ କରି ଘରେ ଘରେ ଆଦୃତ କରାଇବା।

ତେଣୁ, ଓଡ଼ିଶା ପ୍ରଦେଶ ଗଠନ ସହିତ, ଓଡ଼ିଆ ଭାଷା ଓ ସାଂସ୍କୃତିକ ଜାଗୃତି ପାଇଁ ମଧ୍ୟ ଲେଖନୀ ମାଧ୍ୟମରେ ଆନ୍ଦୋଳନ ଚାଲିଥିଲା। ଏହାର ପୁରୋଧା ଥିଲେ ସ୍ଵଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, କର୍ମବୀର ଗୌରି ଶଙ୍କର ରାୟ, ବ୍ୟାସକବି ଫକୀର ମୋହନ ସେନାପତି। ଏପରିକି, ମଧୁବାବୁ ଓଡ଼ିଆମାନଙ୍କୁ ଅନୁପ୍ରାଣିତ କରିବା ପାଇଁ ଲେଖନୀ ଚାଳନା କରୁଥିଲେ। ତାଙ୍କ ରଚିତ “ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ; ପୂରୁବ ଗୌରବ ପୂରୁବ ସାହସ, ପଡ଼ିବ କି କେବେ ମନେ!” ଲକ୍ଷ ଲକ୍ଷ ଆନ୍ଦୋଳନକାରୀଙ୍କୁ ଉତ୍ସାହିତ କରିଥିଲା। ମଧୁବାବୁଙ୍କ ଡାକରେ ସାରା ଓଡ଼ିଆ ଜାତି ଏକତ୍ରିତ ହୋଇଥିଲା ଏବଂ ୮୯ ବର୍ଷ ପୂର୍ବେ ଆଜିର ଦିନରେ ଆମେ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଗଠନ କରିଥିଲୁ।

ସାରା ଭାରତରେ ଓଡ଼ିଶା ଥିଲା ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ମହାନ୍‍ ଭାରତ ବର୍ଷରେ ରାଜ୍ୟ ଗଠନ ପାଇଁ ଓଡ଼ିଶାର ସଂଗ୍ରାମ ଥିଲା ଏକ ମାର୍ଗଦର୍ଶକ। ଏହା ପରେ ଦେଶର ଅଧିକାଂଶ ରାଜ୍ୟ, ଭାଷା ଭିତ୍ତିରେ ହିଁ ଗଠନ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ଭୂଖଣ୍ଡକୁ ଏକତ୍ରିତ କରି ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠନ କରିବା ପାଇଁ ଯେଉଁ ମହାନ ବରପୁତ୍ରମାନେ ସାରା ଜୀବନ ସଂଗ୍ରାମ କରିଥିଲେ ସେମାନଙ୍କୁ ମୁଁ ପ୍ରଣାମ କରୁଛି। ଏକ ‘‘ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ’’ ଗଠନ କରିବା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ୧୯୦୩ ମସିହାରେ କଟକରେ ଉତ୍କଳ ସମ୍ମିଳନୀର ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉତ୍କଳ ସମ୍ମିଳନୀର ନିରନ୍ତର ଉଦ୍ୟମ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୂଳଦୁଆ ସ୍ଥାପନ କରିଥିଲା। ମଧୁବାବୁଙ୍କ ସହିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ଖଲ୍ଲିକୋଟ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ପଣ୍ଡିତ ଗୋଦାବରୀଶ ମିଶ୍ର, ଫକୀର ମୋହନ ସେନାପତି, ଗଙ୍ଗାଧର ମେହରଙ୍କ ପରି ଅନେକ ବରପୁତ୍ର ମାନଙ୍କ ତ୍ୟାଗ ଓ ସଂଗ୍ରାମ ଯୋଗୁ ସ୍ବତନ୍ତ୍ର ଓଡ଼ିଶାର ସ୍ବପ୍ନ ସଫଳ ହୋଇପାରିଥିଲା। ସ୍ୱତନ୍ତ୍ର ଓଡ଼ିଶା ଗଠନ ପରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ଦେଶୀୟ ରାଜ୍ୟଗୁଡ଼ିକ ଓଡ଼ିଶାରେ ମିଶିଥିଲେ ଏବଂ ଓଡ଼ିଶା ତାର ବର୍ତ୍ତମାନର ସ୍ୱରୂପ ପାଇଥିଲା। ଏହି ଅବସରରେ ସେମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପାଇକ ବିଦ୍ରୋହ-୧୮୦୩ ମସିହାରେ ଓଡ଼ିଶାରେ ଇଂରେଜ ଶାସନ ଆରମ୍ଭ ହୋଇଥିଲା। ଏହାର ମାତ୍ର ୧୪ ବର୍ଷ ପରେ ୧୮୧୭ ମସିହାର ପାଇକ ବିଦ୍ରୋହ ଓଡ଼ିଶାରେ ବ୍ରିଟିଶ୍‍ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା। ବକ୍‍ସି ଜଗବନ୍ଧୁଙ୍କ ସହିତ ଅନେକ ବୀର ସଂଗ୍ରାମୀ ଦେଶର ସ୍ୱାଧିନତା ପାଇଁ ଜୀବନ ଦେଇଥିଲେ। ଭାରତ ଇତିହାସରେ ଏହାଥିଲା ସବୁଠାରୁ ପ୍ରଥମ ବଡ଼ ଜନ ସଂଗ୍ରାମ। କାରଣ ପାଇକ ବିଦ୍ରୋହ କେବଳ ରାଜା କିମ୍ୱା ନେତୃବୃନ୍ଦ ମାନଙ୍କର ସଂଗ୍ରାମ ନଥିଲା, ଏହା ଥିଲା ଓଡ଼ିଶାର ବୀର ପାଇକମାନଙ୍କର ଏବଂ ସାଧାରଣ ଲୋକଙ୍କ ବ୍ରିଟିଶ ଶାସନ ବିରୁଦ୍ଧରେ ଏକ ସଂପୂର୍ଣ୍ଣ ସଂଗ୍ରାମ। ବୋଧହୁଏ, ସିପାହୀ ବିଦ୍ରୋହ ପାଇଁ ଓଡ଼ିଶାର ପାଇକ ବିଦ୍ରୋହ ଥିଲା ପ୍ରେରଣାର ଏକ ମହାନ୍‍ ଉତ୍ସ।

ସ୍ୱତନ୍ତ୍ର ପ୍ରଦେଶ ଗଠନ ଓ ଭାଷା ଆନ୍ଦୋଳନ- ଓଡ଼ିଆ ଭାଷା ଆଜି ଏକ ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ହାସଲ କରିଛି। କିନ୍ତୁ ଦିନ ଥିଲା, ଓଡ଼ିଆ ଭାଷା ଏକ ସ୍ୱତନ୍ତ୍ର ଭାଷା ଭାବେ ଗ୍ରହଣୀୟ ମଧ୍ୟ ହେଉ ନଥିଲା। ବ୍ରିଟିଶ୍‍ ସମୟର ରାଜନୈତିକ ପରିସ୍ଥିତି ଓଡ଼ିଶାକୁ ଏକ ଶୋଚନୀୟ ସ୍ଥିତିରେ ରଖିଥିଲା। ଓଡ଼ିଆ ଭାଷାଭାଷୀ ଅଞ୍ଚଳର କିଛି ଭାଗ ବେଙ୍ଗଲ ପ୍ରେସିଡେନ୍ସି ସହିତ ମିଶି ରହିଥିଲା, କିଛି ଭାଗ କେନ୍ଦ୍ରୀୟ ପ୍ରୋଭିନ୍ସ ସହିତ ମିଶି ରହିଥିଲା, ଦକ୍ଷିଣର କିଛି ଅଞ୍ଚଳ ମାଡ୍ରାସ ପ୍ରେସିଡେନ୍ସି ସହିତ ମିଶି ରହିଥିଲା, ତ କିଛି ଅଞ୍ଚଳ ବିହାର-ଓଡ଼ିଶା ପ୍ରୋଭିନ୍ସରେ ସମ୍ମିଳିତ ହୋଇଥିଲା। ଫଳରେ, ସେହିସବୁ ଅଞ୍ଚଳରେ ଓଡ଼ିଆ ବଦଳରେ ବଙ୍ଗାଳୀ, ହିନ୍ଦୀ ଓ ତେଲୁଗୁ ଭାଷା ଓ ସଂସ୍କୃତି ବିସ୍ତାର ଲାଭ କରୁଥିଲା।

ତେଣୁ, ଏହି ସବୁ ଅଞ୍ଚଳର ଏକତ୍ରିକରଣ କରି ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ପଛରେ ଓଡ଼ିଆ ଭାଷାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସ୍ୱତନ୍ତ୍ର ରାଜ୍ୟ ଗଠନ କ୍ଷେତ୍ରରେ ଆମର ସଂଗ୍ରାମୀ ମହାପୁରୁଷମାନେ ଓଡ଼ିଆ ଭାଷାକୁ ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ। ଇଣ୍ଡୋ-ଆର୍ଯ୍ୟାନ୍ ଓ ଓଡ୍ର ପ୍ରାକୃତ ଭାଷାରୁ ସୃଷ୍ଟି ହୋଇଥିବା ଓଡ଼ିଆ ଭାଷାର ଏକ ଦୀର୍ଘ ଇତିହାସ ରହିଛି। ପଞ୍ଚଦଶ ଶତାବ୍ଦୀରେ ଆଦିକବି ସାରଳା ଦାସଙ୍କ ମହାଭାରତର ଲୋକପ୍ରିୟତା ଓଡ଼ିଆ ଭାଷାର ଉତ୍‍ଥାନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସେ ସମୟରେ ପଞ୍ଚସଖାଙ୍କର ରଚିତ ବିଭିନ୍ନ ପୁରାଣ ଓଡ଼ିଆ ଭାଷାକୁ ଘରେ ଘରେ ଲେଖନ-ପଠନର ଭାଷା ଭାବେ ବିକଶିତ କରିଥିଲା। ଏହାପରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶରେ ଏକ ଅନନ୍ୟ ଭୂମିକା ଗ୍ରହଣ କରିଥିଲେ।

ନୂଆ ଲକ୍ଷ୍ୟ, ନୂଆ ସ୍ୱପ୍ନ-ଆଜି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୮୯ ବର୍ଷ ପୁରି 90ତମ ବର୍ଷ ଆରମ୍ଭ ହୋଇଛି। ଉତ୍କଳ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଭିତରୁ ଏକ ସ୍ଵତନ୍ତ୍ର ଓଡ଼ିଶାର ସର୍ବାଙ୍ଗୀନ ବିକାଶ କରିବା ଥିଲା ଅନ୍ୟ ଏକ ପ୍ରମୁଖ ଲକ୍ଷ୍ୟ।କିନ୍ତୁ, ଦୁର୍ଭାଗ୍ୟବଶତଃ, ସ୍ଵାଧୀନତାର 77 ବର୍ଷ ବିତିଯାଇଥିଲେ ସୁଦ୍ଧା, ଓଡ଼ିଶା ତାର ସାମର୍ଥ୍ୟକୁ ପୂର୍ଣ୍ଣ ରୂପେ ବିନିଯୋଗ କରି, ରାଜ୍ୟବାସୀଙ୍କ ଉନ୍ନତି ଦିଗରେ ଆଖିଦୃଶିଆ ସଫଳତା ହାସଲ କରିପାରିନାହିଁ । କିନ୍ତୁ, ଓଡ଼ିଆ ଜାତି ଭାବରେ ଆମର ସ୍ୱପ୍ନ ଅସୀମ, ଅସୁମାର। ଆମର ଲକ୍ଷ୍ୟ ଖୁବ୍ ବିଶାଳ। ସେହି ବିଶାଳ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମର ଓଡ଼ିଆ ଭାଇ ଭଉଣୀମାନେ ରାଜ୍ୟରେ ଆଣିଛନ୍ତି ପରିବର୍ତ୍ତନ। ଆପଣମାନଙ୍କ ପରିବର୍ତ୍ତନର ସ୍ୱପ୍ନ ଓ ବିଶାଳ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆପଣଙ୍କ ନୂଆ ସରକାର ଦୃଢ଼ ସଂକଳ୍ପ ଓ ଉତ୍ସାହର ସହ ଉଦ୍ୟମ ଆରମ୍ଭ କରିଛନ୍ତି। ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ। ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂରଣ ହେବ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣ କରିବୁ। ଆହୁରି ଆଗକୁ ଯାଇ, ୨୦୪୭ରେ ଆମର ଓଡ଼ିଶାକୁ ଆମେ ବିକଶିତ ଭାରତର ଏକ ଗ୍ରୋଥ୍‍ ଇଞ୍ଜିନ୍‍ କରିବୁ। ସମୃଦ୍ଧ ଓଡ଼ିଶାର ପ୍ରତ୍ୟେକଟି ସ୍ତମ୍ଭ ଓଡ଼ିଶାବାସୀ ହିଁ ନିର୍ମାଣ କରିବେ ଏବଂ ଓଡ଼ିଶାବାସୀ ହିଁ ପୁଣି ଥରେ ଲେଖିବେ ସେମାନଙ୍କର ଗୌରବମୟ ଇତିହାସ।

ମଧୁବାବୁଙ୍କ ଜନ୍ମମାଟିରେ ଆମର ଏହି ସଂକଳ୍ପ, ଓଡ଼ିଶା ପାଇଁ ଆଣିବ ଏକ ନୂଆ ସକାଳ। ମଧୁ-ମାଟିର ପ୍ରତ୍ୟେକଟି କଣିକା ଓଡ଼ିଆ ଜାତିର ସ୍ୱପ୍ନ ଓ ସଫଳତାର ବାର୍ତ୍ତାବହ। ସମୃଦ୍ଧ ଓଡିଶା ଗଠନର ତିନିଟି ଆଧାର– ଅସ୍ମିତା, ଉଚ୍ଚାଶା ଓ ଅବିଶ୍ରାନ୍ତ ଉଦ୍ୟମ। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମେ ତିନୋଟି ଶକ୍ତିର ଉପଯୋଗ କରିବୁ। ସେଇ ତିନୋଟି ଆଧାର ହେଉଛି –ଅସ୍ମିତା ହେଉଛି ଆମର ଓଡ଼ିଆ ସ୍ୱାଭିମାନ। ଆମର ମୌଳିକ ପରିଚୟ। ନିଜର ପରିଚୟ ବିନା ଆଗକୁ ବଢ଼ିବା ପାଇଁ ପ୍ରେରଣା ମିଳେ ନାହିଁ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆମର ଗର୍ବ ଓ ଗୌରବ। ସ୍ୱଭାବ କବି ଗଙ୍ଗାଧର ମେହେର ଲେଖିଥିଲେ –

‘ମାତୃଭୂମି ମାତୃଭାଷାରେ ମମତା
ଯା ହୃଦେ ଜନମି ନାହିଁ,
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ?’

ଦ୍ୱିତୀୟଟି ହେଉଛି ଉଚ୍ଚାଶା। ଉଚ୍ଚ ହେବା ପାଇଁ ପ୍ରଥମେ ଆମର ଆଶା, ଆକାଂକ୍ଷାକୁ ଉଚ୍ଚ କରିବାକୁ ପଡ଼ିବ। ବଡ଼ ସ୍ୱପ୍ନ ନ ଦେଖିଲେ, ଆମେ ବଡ଼ ହୋଇ ପାରିବା ନାହିଁ । ସେଥିପାଇଁ ଓଡ଼ିଶାକୁ ୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ଆମେ ସଂକଳ୍ପ ନେଇଛୁ। ତୃତୀୟଟି ହେଉଛି ଅବିଶ୍ରାନ୍ତ ଉଦ୍ୟମ। ଆମର ଏହି ଉଚ୍ଚ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଆମେ ଯେଉଁ ସମୟ, ଯେଉଁ ସୁଯୋଗ ପାଇଛୁ, ତା’ର ପ୍ରତ୍ୟେକଟି ମୁହୂର୍ତ୍ତକୁ ଓଡ଼ିଶାର ବିକାଶ, ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ପାଇଁ ବିନିଯୋଗ କରିବୁ। ଏହି ତିନୋଟି ଶକ୍ତିକୁ ଆଧାର କରି ଆଗାମୀ ଦିନରେ ଆମେ ବିକଶିତ ଓଡିଶା ଗଠନ କରିବୁ । ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ତ୍ୟାଗ ଓ ପରିଶ୍ରମ ଜରିଆରେ ଓଡ଼ିଶା, ଦେଶର ଏକ ଶ୍ରେଷ୍ଠ ରାଜ୍ୟ ଭାବେ ସାରା ଭାରତ ପାଇଁ ଆଲୋକ ବର୍ତ୍ତିକା ହେବ। ଏକ ପ୍ରକୃତ ଗଣତାନ୍ତ୍ରିକ ସରକାର ହେଉଛି ଯାହା ଲୋକଙ୍କ ସାଥିରେ ରହେ, ଲୋକଙ୍କ ସମସ୍ୟା ଶୁଣି ତାହାର ସମାଧାନ ପାଇଁ ଉଦ୍ୟମ କରେ। ଆମ ସରକାର ପ୍ରଥମ ଦିନରୁ ହିଁ ଲୋକଙ୍କ ପାଇଁ, ଲୋକଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରି ଆସୁଛି।

ପରିବର୍ତ୍ତନର ପ୍ରକ୍ରିୟା-ଆପଣମାନେ ଯେଉଁ ପରିବର୍ତ୍ତନର ଲକ୍ଷ୍ୟ ନେଇ ଆମର ନୂଆ ସରକାର ଗଠନ କରିଥିଲେ, ସେହି ପରିବର୍ତ୍ତନର ଭିତ୍ତି ଆମେ ଏହି ଅଳ୍ପ ସମୟ ମଧ୍ୟରେ ସ୍ଥାପନ କରିସାରିଛୁ। ଓଡ଼ିଶା ପାଇଁ ବିପୁଳ ସମ୍ଭାବନାର ଏକ ଯୁଗ ସୃଷ୍ଟି ହୋଇଛି। ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି… ସବୁ କ୍ଷେତ୍ରରେ ବ୍ୟାପକ ଅଗ୍ରଗତିର ପ୍ରକ୍ରିୟା ଆରମ୍ଭ ହୋଇଛି।ଶିକ୍ଷା ଓ ସ୍ୱାସ୍ଥ୍ୟ ହେଉଛି ସମାଜର ମୂଳଦୁଆ। ଏକ ଶିକ୍ଷିତ ଓ ସୁସ୍ଥ ଓଡ଼ିଶା ହିଁ, ସମୃଦ୍ଧ ଓଡ଼ିଶା ଗଠନ କରିପାରିବ। ଶିକ୍ଷା କ୍ଷେତ୍ରର ନବ କଳେବର ଆମର ଲକ୍ଷ୍ୟ। ନୂତନ ଶିକ୍ଷା ନୀତି-2020 ଲାଗୁ କରି ରାଜ୍ୟର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସବୁ ବିଭାଗ ମଧ୍ୟରେ ଶିକ୍ଷା କ୍ଷେତ୍ର ପାଇଁ ସର୍ବାଧିକ ବ୍ୟୟବରାଦ କରାଯାଇଛି। ଶିଶୁ ବାଟିକା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା, ପଞ୍ଚଶିକ୍ଷା ସେତୁ ଅଭିଯାନ ଆଦି ଯୋଜନା ଜରିଆରେ ସ୍କୁଲ ଶିକ୍ଷାର ସୁଦୃଢୀକରଣ ପାଇଁ ପଦକ୍ଷେପ ନିଆଯାଉଛି। ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଆସନ୍ତା କାଲି ଠାରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ଆରମ୍ଭ ହେବ। ଉଚ୍ଚ ଶିକ୍ଷା କ୍ଷେତ୍ରରେ ପି.ଏମ୍ ଉଷା ଯୋଜନା କାର୍ଯ୍ୟକାରୀ କରାଯାଇ ଗୁଣାତ୍ମକ ଶିକ୍ଷା ଓ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି।

ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ସୁଲଭ, ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ କରାଯାଉଛି। ଏହା ଦ୍ୱାରା ରାଜ୍ୟର ସାଢ଼େ ତିନି କୋଟିରୁ ଅଧିକ ଲୋକ ଦେଶର 29 ହଜାର ଡାକ୍ତରଖାନାରେ ଚିକିତ୍ସା ସେବା ପାଇପାରିବେ। ଏହା ଦ୍ୱାରା ଆମର ପ୍ରବାସୀ ଓଡ଼ିଆ ଭାଇ ଭଉଣୀମାନେ ବିଶେଷ ଉପକୃତ ହେବେ। ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା କାର୍ଯ୍ୟକାରୀ କରାଯାଇ 70 ବର୍ଷରୁ ଅଧିକ ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ଯୋଡା ଯାଉଛି। ଭିତ୍ତିଭୂମି ହେଉଛି ବିକାଶର ପ୍ରଥମ ପାହାଚ। ବିନା ଭିତ୍ତିଭୂମିରେ ଅର୍ଥନୈତିକ ଅଭିବୃଦ୍ଧିର ପରିକଳ୍ପନା କରାଯାଇପାରିବ ନାହିଁ। ରାଜ୍ୟ ରାଜପଥ ଗୁଡ଼ିକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାର ନୂତନ ସଡ଼କ ନୀତି ପ୍ରସ୍ତୁତ କରିବା ସହିତ ‘ଓଡ଼ିଶା ରାଜପଥ ପ୍ରାଧିକରଣ’ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା 5 ବର୍ଷରେ 75 ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡକ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଆ ଅସ୍ମିତାର ସୁରକ୍ଷା ଥିଲା ଆମର ଏକ ମୁଖ୍ୟ ପ୍ରତିଶ୍ରୁତି। ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ଠାରୁ ଆରମ୍ଭ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ଉନ୍ନତି ପାଇଁ 500 କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିବା ଆଦି ସମସ୍ତ ମୁଖ୍ୟ ପ୍ରତିଶ୍ରୁତି ପୂରଣ କରାଯାଇଛି।

ଓଡ଼ିଆ ଅସ୍ମିତା ଭବନ, ଓଡ଼ିଆ ଅନୁବାଦ ଏକାଡେମୀ, ତାଳପତ୍ର ପୋଥି ସଂଗ୍ରହାଳୟ, ପାଇକ ବିଦ୍ରୋହ ସ୍ମାରକୀ ଆଦି ଅନେକ ପ୍ରସ୍ତାବ କାର୍ଯ୍ୟକାରୀ କରାଯିବ। ବାଲିଯାତ୍ରା ଓ ଧନୁଯାତ୍ରା ଭଳି ମହୋତ୍ସବକୁ ଜାତୀୟ ମାନ୍ୟତା ପାଇଁ ପଦକ୍ଷେପ ନିଆଯାଉଛି। ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ କୁଟୁମ୍ବ ଯୋଜନାରେ ପେନ୍‍ସନ ପ୍ରଦାନ ଓ ଜରୁରୀକାଳିନ ପରିସ୍ଥିତି ସମୟରେ ମିଶା ଆଇନରେ ଗିରଫ ହୋଇଥିବା ସଂଗ୍ରାମୀମାନଙ୍କ ପାଇଁ ପେନସନ ପ୍ରଦାନର ବ୍ୟବସ୍ଥା କରାଯାଇଛି। ଆମର ଅସ୍ମିତାର ପ୍ରସାର ଯାତ୍ରାରେ ପ୍ରବାସୀ ଓଡ଼ିଆମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାନୁଆରୀ ମାସରେ ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ, ଓଡ଼ିଶା ପାଇଁ ବିଶ୍ୱ ମାନଚିତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରିଛି। ଏଥିରେ ପ୍ରବାସୀ ଓଡ଼ିଆମାନେ ଖୁବ୍ ଉତ୍ସାହର ସହ ଯୋଗଦେଇଥିଲେ। ପ୍ରବାସୀ ଓଡ଼ିଆ ମାନଙ୍କ ସହିତ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ‘ପ୍ରବାସୀ ଓଡ଼ିଆ: ଓ-ସମ୍ପର୍କ’ ନାମକ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରାଯିବ। ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହୋଇ ସେମାନଙ୍କ ଅମୂଲ୍ୟ ଅବଦାନ ରଖିବା ପାଇଁ ପ୍ରବାସୀ ଓଡ଼ିଆମାନେ ବେଶ୍‍ ଆଗ୍ରହୀ। ଏହି ଉଦ୍ଦେଶ୍ୟରେ ଆମେ ଏକ ସ୍ୱତନ୍ତ୍ର ପ୍ରବାସୀ ଓଡ଼ିଆ ନୀତି ମଧ୍ୟ ପ୍ରସ୍ତୁତ କରିବୁ ଏବଂ ପ୍ରତି ଦୁଇ ବର୍ଷରେ ପ୍ରବାସୀ ଓଡ଼ିଆ ଦିବସ ମଧ୍ୟ ପାଳନ କରାଯିବ।

ମହିଳା ସଶକ୍ତିକରଣ-

ମା’ମାନେ ହେଉଛନ୍ତି ଆମ ଜନସଂଖ୍ୟାର ଅଧା। ସେମାନଙ୍କ ଉନ୍ନତି ବିନା ଓଡ଼ିଶାର ପ୍ରଗତି ଅସମ୍ଭବ। ତେଣୁ, ଆମ ସରକାରଙ୍କ ଏକ ମୁଖ୍ୟ ଫୋକସ୍ ହେଉଛି, ମା’ମାନଙ୍କ ବିକାଶ ଆମର ସୁଭଦ୍ରା ଯୋଜନା ଏକ କୋଟିରୁ ଅଧିକ ମା’ମାନଙ୍କ ପାଇଁ ସଶକ୍ତିକରଣର ମାର୍ଗ ପ୍ରସ୍ତୁତ କରିଛି। 2027 ସୁଦ୍ଧା ଆମର 25 ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି। ବର୍ତ୍ତମାନ ସୁଦ୍ଧା 10 ଲକ୍ଷରୁ ଅଧିକ ମହିଳା ଲକ୍ଷପତି ହୋଇସାରିଲେଣି। ମୁଁ ଆଶା କରୁଛି, 2027ରେ ଆମେ ଆମର ଲକ୍ଷ୍ୟର ବହୁତ ଆଗରେ ଥିବୁ। ଓଡ଼ିଶାର ସଶକ୍ତ ମା’ମାନେ ହିଁ ନିର୍ମାଣ କରିବେ ସଶକ୍ତ ଓଡ଼ିଶା। ଯୁବବର୍ଗ ହେଉଛନ୍ତି ଓଡ଼ିଶାର ବିକାଶର ଇଞ୍ଜିନ। ଏକ ସମୃଦ୍ଧ ଓଡ଼ିଶା ପାଇଁ ଆମ ଯୁବବର୍ଗକୁ ଦକ୍ଷ ହେବାକୁ ପଡିବ ଏବଂ ଦକ୍ଷ ଯୁବବର୍ଗ ପାଇଁ ଆବଶ୍ୟକ ବିପୁଳ ସୁଯୋଗ। ଏହାକୁ ଦୃଷ୍ଟିରେ ରଖି ଆମ ସରକାର ଯୁବବର୍ଗଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଆରୋପ କରିଛି।ଦକ୍ଷତା ବିକାଶ ପାଇଁ ରାଜ୍ୟରେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ‘ସି.ଏମ୍- ଆସ୍ପାୟାର୍ ଯୋଜନା’, ପାରମ୍ପରିକ କ୍ଷେତ୍ରରେ ତାଲିମ ପାଇଁ ‘ନୂଆ ଓଡ଼ିଶା ଯୋଜନା’, ଆଇ.ଟି.ଆଇ ଓ ପଲିଟେକ୍‍ନିକ୍ ଗୁଡିକର କ୍ଷମତା ବୃଦ୍ଧି ଆଦି ଅନେକ ପଦକ୍ଷେପ ନିଆଯାଉଛି। ଦକ୍ଷ ଯୁବବର୍ଗଙ୍କ ପାଇଁ ଆବଶ୍ୟକ ସୁଯୋଗ। ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ପାଇଁ ଜାନୁଆରୀ ମାସରେ ଆମର ‘ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା-2025’ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି 17 ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ପାଇଛି। 13 ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଆମର ପଦକ୍ଷେପ, ଦକ୍ଷତା ଓ ଶିଳ୍ପ କ୍ଷେତ୍ରରେ ଏକ ନୂଆ କ୍ରାନ୍ତି ଆଣିବ। ଓଡ଼ିଶା ହେବ ଅସୀମ ସୁଯୋଗର ରାଜ୍ୟ।

 ଓଡିଶ ବିକାଶ ଉପରେ ପ୍ରଧାନମନ୍ତ୍ରୀଙ୍କ ଫୋକସ୍-

ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଓଡ଼ିଶାର ବିକାଶକୁ ସର୍ବାଧିକ ପ୍ରାଧାନ୍ୟ ଦେଇଛନ୍ତି। ତାଙ୍କର ପୂର୍ବୋଦୟ ପରିକଳ୍ପନାରେ ଓଡ଼ିଶା ହିଁ କେନ୍ଦ୍ରରେ ଅଛି। ଓଡ଼ିଶାର ବିକାଶ ପ୍ରତି ତାଙ୍କର ସ୍ୱତନ୍ତ୍ର ଫୋକସ୍ ଆମର ଲକ୍ଷ୍ୟ ସାଧନରେ ଏକ ବଡ଼ ଶକ୍ତି ଭାବେ କାମ କରୁଛି। ସେ ଶକ୍ତି ଆମ ବିକାଶ ପାଇଁ ଗୋଟିଏ ବଡ଼ ପୁଞ୍ଜି। ମୁଖ୍ୟମନ୍ତ୍ରୀ ଆଜି ସକାଳୁ ପ୍ରଥମେ ଭୁବନେଶ୍ୱର ରାଜଭବନ ନିକଟସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ସେ ସତ୍ୟଭାମାପୁର ଯାଇ ସେଠାରେ ମଧୁବାବୁଙ୍କ ଜୀବନୀ ଓ ସ୍ୱତନ୍ତ୍ର ଓଡିଶା ଗଠନ ସମ୍ପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍‍ଘାଟନ କରିଥିଲେ । ଏହା ପରେ ମଧୁବାବୁଙ୍କ ଜନ୍ମ ପୀଠର ସମନ୍ୱିତ ବିକାଶ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ । ମଧୁବାବୁଙ୍କ ଏନ୍ତୁଡିଶାଳ ସହିତ ତାଙ୍କ ସ୍ମୃତି ସହିତ ଜଡିତ ଅନେକ ସ୍ଥାନ ପରିଦର୍ଶନ କରିଥିଲେ ।

କାର୍ଯ୍ୟକ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ, ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ଓଡିଆ ଜାତି ପୂଜ୍ୟପୂଜାର ପରମ୍ପରାର ବିଶ୍ୱାସ ରଖେ । ଏ ଜାତି ପାଇଁ ଓ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାପୁରୁଷମାନଙ୍କୁ ସମ୍ମାନ ଦେବା ଆମ ସରକାରର ପ୍ରଥମ ପ୍ରାଥମିକତା । ମଧୁବାବୁ ଜୀବନୀରୁ ଆମକୁ ବହୁତ କିଛି ଶିଖିବାର ଅଛି । ଆମ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପୂଜ୍ୟପୂଜା ପରମ୍ପରା ସବୁଦିନ ପାଇଁ ଅବ୍ୟାହତ ରହିବ । ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମମାଟିରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଓଡିଆ ସ୍ୱାଭିମାନ, ଓଡିଶା ଓ ଓଡିଆ ଭାଷାକୁ ଭଲ ପାଇବାର କାର୍ଯ୍ୟକ୍ରମ । ଏ ଜାତିକୁ ମହାନ କରିଥିବା ବରପୁତ୍ରମାନଙ୍କ ନୀତି ଓ ଆଦର୍ଶକୁ ଆମେ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଆମେ ଯଦି ଲଗେଇ ପାରିବା ତେବେ ତାହା ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।କାର୍ଯ୍ୟକ୍ରମରେ ଓଡିଶା ଦିବସ ଉପଲକ୍ଷେ ମାନ୍ୟବର ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ବାର୍ତ୍ତା ପଠନ କରାଯାଇଥିଲା । ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ହୋଇଥିଲେ ଏବଂ କୃତି ଦିବ୍ୟାଙ୍ଗଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକଗଣ  ପ୍ରଶାନ୍ତ ବେହେରା, ସୌଭିକ ବିଶ୍ୱାଳ,  ସୋଫିଆ ଫିର୍ଦ୍ଦୋସ, ପ୍ରକାଶ ଚନ୍ଦ୍ର ସେଠୀ,  ଛବି ମଲ୍ଲିକ, ସାରଦା ପ୍ରଧାନ, ବିଜୟ କୁମାର ଦଳବେହେରା ଉପସ୍ଥିତ ଥିଲେ । କେନ୍ଦ୍ରାଞ୍ଚଳ ଆର୍.ଡି.ସି. ବି. ପରମେଶ୍ୱରନ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲାପାଳ  ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଧନ୍ୟବାଦ ଅର୍ପଣ କରିଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com