ସତ୍ୟବାଦୀ ବଳିଆରସିଂହ
କଳକଳ ନିନାଦିନୀ ମହାନଦୀର ଦକ୍ଷିଣ ପାଶ୍ୱର୍ରେ ବହୁ ପ୍ରାଚୀନ କାଳରୁ ଅବସ୍ଥିତ ଶ୍ରୀ ନୀଳମାଧବଙ୍କ ପୀଠ । ବ୍ରହ୍ମାଦ୍ରି ଓ ପଦ୍ମାଦ୍ରି- ଦୁଇ ପାହାଡ଼ ଉପରେ ବିରାଜିତ ଶ୍ରୀ ନୀଳମାଧବଙ୍କ ମନ୍ଦିର ଉପରୁ ମହାନଦୀର ପ୍ରାକୃତିକ ଶୋଭାରାଶି ଉପଭୋଗ କରିବା ସହ ଶ୍ରୀ ନୀଳମାଧବଙ୍କ ଦର୍ଶନ ପାଇଁ ଦୈନିକ ଶହ ଶହ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଏହି ପର୍ଯ୍ୟଟନସ୍ଥଳୀ ଭୁବନେଶ୍ୱର ଠାରୁ ୮୫ କିଲୋମିଟର ଓ ନୟାଗଡ଼ ଠାରୁ ମାତ୍ର ୩୦ କି.ମି. ଦୂରରେ ଅବସ୍ଥିତ । ଏହି ସ୍ଥାନରୁ ନୟାଗଡ଼ ରେଳ ଷ୍ଟେସନର ଦୂରତା ୨୭ କି.ମି. ଓ ଖୋର୍ଦ୍ଧାରୋଡ଼ ରେଳଷ୍ଟେସନର ଦୂରତା ୭୦ କି.ମି. । ଏହି ପୀଠ ପୂର୍ବ ଦ୍ରାଘିମା ୮୫୦-୨୨’ ଓ ଉତ୍ତର ଅକ୍ଷାଂଶ ୨୫୦-୨୫’ ମଧ୍ୟରେ ଅବସ୍ଥିତ । ପ୍ରାଚୀନ କାଳରେ ମଧ୍ୟ-ଭାରତର ଯାତ୍ରୀମାନେ ମହାନଦୀ ଜଳପଥରେ ଗଣିଆ, କଣ୍ଟିଲୋ, ବାଙ୍କୀ ଆଦି ସ୍ଥାନ ଦେଇ ପୁରୀ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିଲେ । ସମ୍ବଲପୁରରୁ କଟକ ପାଇଁ ମହାନଦୀ ହିଁ ଜଳପଥ ଥିଲା । ନଦୀବନ୍ଧରେ ସ୍ଥଳପଥ ଥିଲା । କହିବାକୁ ଗଲେ ଏହାଥିଲା ପ୍ରାଚୀନ ଜଗନ୍ନାଥ ସଡ଼କ । ପ୍ରାଚୀନ କାଳରେ ନଦୀକୂଳମାନଙ୍କରେ ଜନବସତି ଗଢି ଉଠିଥିବାବେଳେ କେତେକ ସ୍ଥାନରେ ବାଣିଜ୍ୟିକ ପେଣ୍ଠମାନ ଗଢି ଉଠିଥିଲା । ପଶ୍ଚିମା ଯାତ୍ରୀମାନେ ମହାନଦୀ କୂଳେ କୂଳେ ଘଂଚ ଅରଣ୍ୟ ହିଂସ୍ର ଜନ୍ତୁ ଶ୍ୱାପ୍ୟ ସଂକୁଳ ଦେଇ ପାଦରେ ଚାଲି ଚାଲି ଆସିବାବେଳେ କେତେକଙ୍କ ପ୍ରାଣହାନି ଘଟୁଥିଲା । ଗଣିଆ ଠାରେ କେତେ ଯାତ୍ରୀ ଆସିଥିଲେ, କେତେ ନିହତ ହେଲେ ଓ କେତେ ରହିଲେ ତାହା ଗଣାଯାଉଥିବାରୁ ସ୍ଥାନର ନାମ ଗଣିଆ ହେଲା ବୋଲି କୁହାଯାଏ । ସେହିଭଳି କଣ୍ଟିଲୋ ଥିଲା ଏକ ବ୍ୟବସାୟ ବାଣିଜ୍ୟର ପେଣ୍ଠସ୍ଥଳୀ । ଏଠାରୁ ନଦୀପଥରେ ନୌକାଯୋଗେ ଲୁଣ, ଗୁଡ଼, ତୈଳବୀଜ, ମସଲା, ତୁଳା, ଧୂଆଁପତ୍ର, କଂସା ଓ ପିତ୍ତଳର ବାସନ ଆଦି ପଠାଯାଉଥିଲା । ଏ ସମସ୍ତ ଦ୍ରବ୍ୟକୁ ଓଜନ କରାଯାଇ ପଠାଯାଉଥିଲା । ଓଜନ କରିବାକୁ କଣ୍ଟା କୁହାଯାଏ । ଆମେ ବେଳେ ବେଳେ ଧର୍ମ ନିକିତିକୁ ଧର୍ମ କଣ୍ଟା କହିଥାଉ । ଏହି କଣ୍ଟା ଶବ୍ଦରୁ ଗ୍ରାମର ନାମ କଣ୍ଟିଲୋ ବୋଲି କଥିତ ହୁଏ । କଣ୍ଟିଲୋ ଠାରୁ ପୂର୍ବ ଦିଗରେ ୭/୮ କି.ମି. ଦୂରତାରେ ପଦ୍ମାବତୀ ନାମରେ ଏକ ପେଣ୍ଠସ୍ଥଳୀ ଗ୍ରାମ ଅଛି । ଏହା ନିକଟରେ ମହାନଦୀ ଗର୍ଭରୁ ପୁରୁଣା ଗୋପୀନାଥ ମନ୍ଦିରର ଚୂଡ଼ା ଦେଖାଯିବାକୁ ସମ୍ପ୍ରତି ଏହା ଚର୍ଚ୍ଚାକୁ ଆସିଛି । ପାଞ୍ଚଶହ ବର୍ଷର ଏହି ପୁରୁଣା ମନ୍ଦିର ଓ ଲାଗିକରି ଥିବା ପୁରୁଣା ପଦ୍ମାବତୀ ଗ୍ରାମ ୧୯୩୩ ମସିହାର ପ୍ରଳୟଙ୍କରୀ ବନ୍ୟାରେ ବୁଡ଼ିଯାଇଥିଲା । ଲୋକମାନେ ନିକଟବର୍ତ୍ତୀ ଏକ ଆମ୍ବତୋଟାକୁ ଉଠି ଆସିଥିଲେ ଯାହା ଏବେ ନୂତନ ପଦ୍ମାବତୀ ଗ୍ରାମ । ନଦୀ ଗର୍ଭରେ ବୁଡ଼ି ରହିଥିବା ଗୋପୀନାଥ ମନ୍ଦିର ନିକଟରୁ ବାଲିରେ ପୋତି ହୋଇଥିବା ୧୪ ଫୁଟର ଏକ କଙ୍କାଳ ୧୯୬୪ ମସିହାରେ ଉଦ୍ଧାର ହୋଇଥିଲା । ସେତେବେଳେ ଏହା ଗୋସିଙ୍ଗ ଦୈତ୍ୟର କଙ୍କାଳ ବୋଲି ଚର୍ଚ୍ଚା ହେଉଥିଲା । କାରଣ ପଦ୍ମାବତୀ ଓ କଣ୍ଟିଲୋ ମ୍ମବର୍ତ୍ତୀ ସ୍ଥାନରେ ଗୋସିଙ୍ଗ ପର୍ବତ ରହିଛି ଓ ଗୋସିଙ୍ଗ ଦୈତ୍ୟର ଏହା ନିବାସସ୍ଥଳୀ ଥିବା ଲୋକମାନେ କହିଥାନ୍ତି । ୧୯୬୪ରେ ମିଳିଥିବା ଏହି କଙ୍କାଳକୁ ଓଡ଼ିଶା ମ୍ୟୁଜିଅମ ପରୀକ୍ଷା କରିବା ପାଇଁ ନେଇଥିଲେ ମଧ୍ୟ ତାହା ମାନବ, ଦାନବ ବା ପଶୁ କାହାର କଙ୍କାଳ ତା’ର ବିବରଣୀ ପ୍ରକାଶ କରିନାହାନ୍ତି । ସମୟ ଚକ୍ରରେ ବହୁ ଘଟଣା ବିସ୍ମୃତିକୁ ଚାଲି ଯାଉଛି ।
ଲେଖକ ଉଦୟନାଥ ଦାସ ‘ଖଣ୍ଡପଡ଼ା ଇତିହାସ’ରେ ଲେଖିଛନ୍ତି କଣ୍ଟିଲୋ ନୀଳମାଧବଙ୍କ ପଶ୍ଚିମ ଦ୍ୱାର ପର୍ଯ୍ୟନ୍ତ ବଉଦ ରାଜ୍ୟ, ଦକ୍ଷିଣ ଦ୍ୱାର ପର୍ଯ୍ୟନ୍ତ ରଣପୁର ରାଜ୍ୟ ଏବଂ ପୂର୍ବଦ୍ୱାର ପର୍ଯ୍ୟନ୍ତ ବାଙ୍କୀ ରାଜ୍ୟର ସୀମା ଥିଲା । ପରବର୍ତ୍ତୀ ସମୟରେ ଏହା ସମ୍ପୂର୍ଣ୍ଣରୂପେ ଖଣ୍ଡପଡ଼ା ରାଜ୍ୟର ଅନ୍ତର୍ଭୁକ୍ତ ହେଲା । ଏହି ପୀଠଟି ଏବେ ପୂର୍ବତନ ଖଣ୍ଡପଡ଼ା ଗଡ଼ଜାତର ଭାପୁର ବ୍ଲକ୍ ଅଧିନରେ ରହିଛି । ହଜାର ବର୍ଷ ପୂର୍ବେ ବାଙ୍କୀ କିମ୍ବା ଖଣ୍ଡପଡ଼ା ରାଜ୍ୟର ସୃଷ୍ଟି ହୋଇନଥିଲା । ଏ ସମସ୍ତ ଅଞ୍ଚଳ ରଣପୁର ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ଇତିହାସ ଅନୁଯାୟୀ ଶବର ରାଜା ବିଶ୍ୱାବସୁ ଏଠାରେ କିତୁଙ୍ଗ ନାମକ ଭଗବାନଙ୍କୁ ପୂଜାର୍ଚ୍ଚନା କରୁଥିଲେ । ଶବରମାନଙ୍କର ସେହି ଦେବତା ମୁଖ୍ୟଥିଲେ । ଶବରମାନଙ୍କ ଭାଷାରେ ଦେବତାଙ୍କୁ କିତୁଙ୍ଗ କହୁଥିଲେ । ଯେହେତୁ ଏହି ଠାକୁର ଇନ୍ଦ୍ରନୀଳମଣି ପ୍ରସ୍ତର ବା ରତ୍ନ ନିର୍ମିତ ହୋଇଥିଲେ, ସେଥିପାଇଁ ତାଙ୍କୁ ପୁରାଣରେ ନୀଳମାଧବ ରୂପେ ବର୍ଣ୍ଣନା କରାଯାଇଛି । ଦାରୁରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ବହୁ ପରେ ହୋଇଛି । କିମ୍ବଦନ୍ତୀ ଓ ପୁରାଣ ଆଖ୍ୟାନ ଅନୁସାରେ ଶବର ରାଜା ବିଶ୍ୱାବସୁର କନ୍ୟା ଲଳିତା ଓ ବିଦ୍ୟାପତି ପ୍ରସଙ୍ଗ ଆସେ । ପ୍ରଭୁ କିତୁଙ୍ଗ ବା ନୀଳମାଧବ ଏଠାରୁ ଅନ୍ତର୍ଦ୍ଧାନ ହୋଇ ଦାରୁ ରୂପରେ ପୁରୀ ବାଙ୍କୀ ମୁହାଣଠାରେ ଲାଗିବା ଏବଂ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଠାକୁର ପ୍ରତିଷ୍ଠା ହେବା ଓ ମନ୍ଦିର ନିର୍ମାଣ ହେବା ପୁରାଣରେ ବର୍ଣ୍ଣିତ ହୋଇଛି ।
ରଣପୁର ଇତିହାସରୁ ଜଣାଯାଏ ଖ୍ରୀଷ୍ଟପୂର୍ବ ୧୭୨୭ରେ ରଣପୁର ରାଜବଂଶ ସ୍ଥାପିତ ହେଲା । ପ୍ରଭୁ ନୀଳମାଧବ ଅନ୍ତର୍ଦ୍ଧାନ ହୋଇ ପୁରୀ ଚାଲିଯିବା ପରେ ପ୍ରଭୁଙ୍କ ସ୍ୱପ୍ନାଦେଶରେ ବିଶ୍ୱାବସୁ ବିଦ୍ୟାପତି ଓ ଲଳିତା ପୁରୀ ଚାଲିଲେ ଏବଂ ବିଶ୍ୱାବସୁର ଭାଇ ବିଶ୍ୱବାସବ ନୀଳମାଧବ ପୂଜା ପାଉଥିବା ଆସ୍ଥାନ ଚକାଶିଳାକୁ ରଣପୁର ନେଇ ତାହା ମଣିନାଗ ପର୍ବତରେ ସ୍ଥାପନ କରି ସେଠାରେ ପୂଜା କଲେ ଓ ରଣପୁର ରାଜ୍ୟସ୍ଥାପନ, କଲେ । ପୁରୀରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଦ୍ୱାଦଶ ଶତାବ୍ଦୀର । ତା’ ପୂର୍ବରୁ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ମନ୍ଦିର ଭିନ୍ନ ରୂପରେ ସ୍ଥାପିତ ହୋଇଥିଲା । ଏ ପ୍ରସଙ୍ଗରେ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗାଲମାଧବଙ୍କ ପ୍ରସଙ୍ଗ ଆଲୋଚନାକୁ ଆସେ । ବର୍ତ୍ତମାନର ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଶ୍ରୀ ମହାଲକ୍ଷ୍ମୀଙ୍କ ମନ୍ଦିରର ଦକ୍ଷିଣପାଶ୍ୱର୍ରେ ଶ୍ରୀ ନୀଳମାଧବଙ୍କ ମନ୍ଦିର ଅଛି । କପିଳ ସଂହିତାର ଷଡ଼ବିଂଶ ଅଧ୍ୟାୟରେ କପିଳ ମୁନି ଶ୍ରୀ ନୀଳମାଧବ ମହାତ୍ମ୍ୟ ରେ କଣ୍ଟିଲୋସ୍ଥିତ ବ୍ରହ୍ମାଦି ପର୍ବତରେ ଥିବା ଶ୍ରୀ ନୀଳମାଧବ କିଭଳି ଅଲାଲ୍ୟ ନାମକ ଜଣେ ବିଷ୍ଣୁଭକ୍ତ ବ୍ରାହ୍ମଣ ଘରେ ରହିଲେ ଓ ସେ ଜ୍ୱରରେ ଅସୁସ୍ଥ ଥିବା ବେଳେ ମନ୍ତ୍ରପାଠ ଜାଣିନଥିବା ପୁଅକୁ ସ୍ୱାଦିଷ୍ଟ ପାୟସ ଖିରି ଭୋଗ ଠାକୁରଙ୍କୁ ଅର୍ପଣ କରିବାକୁ ପଠାଇଲେ । ପୁଅର ଆକୁଳ ନିବେଦନରେ ଠାକୁର ଖିରିଭୋଗ ଗ୍ରହଣ କରିଥିବା ଉଲ୍ଲେଖ ଅଛି । ନୀଳାଦ୍ରି ମହୋଦୟ, ସ୍କନ୍ଦ ପୁରାଣ, ଚିତ୍ତ ବିନୋଦ ଓ ଦେଉଳ ତୋଳା ଆଦି ପୁସ୍ତକରେ କଣ୍ଟିଲୋସ୍ଥିତ ଶ୍ରୀ ନୀଳମାଧବଙ୍କ ବର୍ଣ୍ଣନା ରହିଛି । ରାମାୟଣର ବର୍ଣ୍ଣନା ଅନୁସାରେ ରାମ, ଲକ୍ଷ୍ମଣ, ସୀତା ବନବାସ ସମୟରେ ମହାନଦୀ କୂଳରେ ରାମନାଥ, ସିଂହନାଥ ଓ ବଦ୍ରିନାଥଙ୍କୁ ସ୍ଥାପନ କରି କଣ୍ଟିଲୋସ୍ଥ ନୀଳମାଧବଙ୍କ ଅଭିଷେକ କରିଥିଲେ । ରାମ, ଲକ୍ଷ୍ମଣ, ସୀତା ବିଶ୍ରାମ ନେଇଥିବା ରଘୁନାଥ ମଠ ଏଠାରେ ଅବସ୍ଥିତ ।
ପୁରାଣ ବର୍ଣ୍ଣନା ଅନୁସାରେ ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନ ନାରଦଙ୍କ ଠାରୁ ବିଷ୍ଣୁ ମୂର୍ତ୍ତିର ସନ୍ଧାନ ଜାଣି ମୂର୍ତ୍ତି ଉଦ୍ଦେଶ୍ୟରେ ଚାରି ଦିଗକୁ ଚାର ପଠାଇଲେ । ବିଦ୍ୟାପତି ମାଳବରୁ ଯାଇ ସନ୍ଧାନ ନେବାରେ ଜାଣିଲେ ଯେ ନୀଳମାଧବ ମୂର୍ତ୍ତିକୁ ଶବର ଗୋପନ ଭାବରେ ଜଙ୍ଗଲ ଭିତରେ ପୂଜା କରୁଛି । ବିଶ୍ୱାବସୁର ଗାଁ କଣ୍ଟିଲୋ ଠାରୁ ୪କି.ମି. ଦୂର କାଳିଆପଲ୍ଲୀ ଗ୍ରାମ । ବିଶ୍ୱାବସୁ ପ୍ରତିଦିନ କାଳିଆ ପଲ୍ଲୀ ଠାରୁ ନଦୀପାର ହୋଇ ଘନ ଅରଣ୍ୟ ଭିତରେ ବ୍ରହ୍ମାଦୀସ୍ଥ ନୀଳମାଧବଙ୍କର ପୂଜା କରି ଯାଆନ୍ତି । ବ୍ରାହ୍ମଣମାନେ ନୀଳମାଧବଙ୍କ ପୂଜା ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ କାଳିଆ ପଲ୍ଲୀର ଶବରମାନେ ନୀଳମାଧବଙ୍କ ପୂଜାକରନ୍ତି ବୋଲି ଲୋକକଥା ପ୍ରଚଳିତ ଅଛି । ପୁରୀରେ ଶ୍ରୀ ଜଗନ୍ନାଥଙ୍କ ସେବା ପୂଜାରେ ବିଶ୍ୱାବସୁ ଓ ବିଦ୍ୟାପତି-ଲଳିତାର ବଂଶଧର ଦଇତାପତି ଏବଂ ପତି ଦଇତାପତିଭାବେ ରତଯାତ୍ରା, ସ୍ନାନଯାତ୍ରାରେ ଆଦିରେ ସେବା ଅଧିକାର ପାଇଆସିଛନ୍ତି । ଏପରିକି ରଣପୁର ମଣିନାଗ ପୀଠ, ଭୁଷଣ୍ଡପୁର ଉଗ୍ରତାରା ପୀଠରେ ପୂର୍ବରୁ କନ୍ଧ ପୂଜକମାନେ ସେବା କରୁଥିଲେ ହେଁ ଏବେ ବ୍ରାହ୍ମଣ ପୂଜକମାନେ ସେବା ପୂଜା କରୁଛନ୍ତି । କିନ୍ତୁ ଘଟଣାଁ ତାରେଣୀ ପୀଠରେ କନ୍ଧ ଦେହୁରୀ ପୂଜକଙ୍କ ଦ୍ୱାରା ସେବା ପୂଜା ଷୋଳଶ ଖ୍ରୀଷ୍ଟାବ୍ଦରୁ ଚାଲିଆସିଛି । ବିଶ୍ୱାବସୁଙ୍କର ଆଦିମ ବାସସ୍ଥାନ କାଳିଆପଲ୍ଲୀର ଏକ ପାହାଡ଼ ଉପରେ ପର୍ଯ୍ୟଟନ ବିଭାଗ ଦ୍ୱାରା ଏକ ମନ୍ଦିର ନିର୍ମାଣ କରାଯାଇଛି ।
ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ବେଢା ଭିତରେ ଯେପରି ଅନ୍ୟାନ୍ୟ ଦେବଦେବୀ ରହିଛନ୍ତି, ନୀଳମନ୍ଦିର ବେଢା ଭିତରେ ପ୍ରାୟ ଠିକ୍ ସେହିପରି ଅନ୍ୟାନ୍ୟ ଦେବାଦେବୀ ରହିଛନ୍ତି । ତେଣୁ ଅନେକ ନୀଳମାଧବଙ୍କ ମନ୍ଦିରକୁ ଶ୍ରୀମନ୍ଦିରର କ୍ଷୁଦ୍ରାକୃତି ବୋଲି କହିଥାନ୍ତି । କିନ୍ତୁ ଗବେଷକ ଅନ୍ତର୍ଯ୍ୟାମୀ ସାହୁଙ୍କ ମତରେ ଶ୍ରୀମନ୍ଦିର ନୀଳମାଧବ ମନ୍ଦିରର ଉନ୍ନତୀକୃତି ପୁରୀରେ ଚତୁର୍ଦ୍ଦାମୂର୍ତ୍ତିଙ୍କର ରଥଯାତ୍ରା ହୁଏ, କିନ୍ତୁ ଏଠାରେ ହୁଏ ନାହିଁ । ପୁରୀରେ ଚତୁର୍ଦ୍ଧାମୂର୍ତ୍ତି ଦାରୁ ନିର୍ମିତ କିନ୍ତୁ କଣ୍ଟିଲୋ ଶ୍ରୀ ନୀଳମାଧବଙ୍କ ମୂର୍ତ୍ତି ପ୍ରସ୍ତର ନିର୍ମିତ ।
କଣ୍ଟିଲୋ ନୀଳମାଧବଙ୍କ ମୂର୍ତ୍ତି ବେଶ ହୋଇଥିବାବେଳେ କମନୀୟ ଦିଶେ । କିନ୍ତୁ ମୂର୍ତ୍ତି ଖୋଲାଦେହରେ ଥିବାବେଳେ ପାଖରୁ ସାରାଦେହ ଆବଡ଼ା ଖାବଡ଼ା ଜଣାଯାଏ । ନାକ, ପାଟି ଓ ଅନ୍ୟ କେତେକ ଅଙ୍ଗ ପରିସ୍ଫୁଟ ନୁହେଁ । ଏହି ଆବଡ଼ା ଖାବଡ଼ା ଯୋଗେ ପୂଜାରୀମାନେ ଦର୍ଶକଙ୍କୁ ଠାକୁରଙ୍କ ଦେହ କଂଟକାକୃତି ବୋଲି ବୁଝାଇଥାନ୍ତି । ମୂର୍ତ୍ତିର ଶରୀର ଗଠନରୁ ଏହାର ପ୍ରାଚୀନତା ଜଣାଯାଏ । ନୀଳମାଧବଙ୍କ ଉପର ଦୁଇ ହସ୍ତରେ ଶଙ୍ଖ ଓ ଚକ୍ର ଧରିଥିବା ବେଳେ ତଳ ଦୁଇହସ୍ତ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ମସ୍ତକ ଉପରେ ରହିଛି ।
ଶ୍ରୀ ନୀଳମାଧବଙ୍କ ମନ୍ଦିର ତା’ର ଗଠନ ଶୈଳୀରୁ ଏହା ଅଷ୍ଟମରୁ ଦଶମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା ମତ ଆସେ । ବହୁକାଳ ପୂର୍ବେ ଏହା ବୌଦ୍ଧ ରାଜ୍ୟ ଅଧିନରେ ଥିଲା । ସମ୍ଭବତଃ ବୌଦ୍ଧର କୌଣସି ଭଞ୍ଜ ରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ନୀଳମାଧବଙ୍କ ମନ୍ଦିର ସଲଙ୍ଗ ରହିଛି ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର । ବିଷ୍ଣୁ ଓ ଶିବଙ୍କ ମନ୍ଦିର ଏକତ୍ର ରହିବା ବିରଳ ଦୃଷ୍ଟାନ୍ତ । ଏଠାରେ ସିଦ୍ଧେଶ୍ୱର ମହାଦେବ ମନ୍ଦିରର ଖ୍ୟାତି ରହିଛି । ଗନ୍ଧରାଡ଼ି ଠାରେ ନୀଳମାଧବ ଓ ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ଏକତ୍ର ଥିବାରୁ ଏବଂ କଣ୍ଟିଲୋ ଠାରେ ନୀଳମାଧବ ଓ ସିଦ୍ଧେଶ୍ୱର ମନ୍ଦିର ଏକତ୍ର ଥିବାରୁ ସମ୍ଭବତଃ ଏହି ଦୁଇ ସ୍ଥାନର ମନ୍ଦିର ଜଣେ ରାଜା କିମ୍ବା ସେହି ବଂଶର କୌଣସି ରାଜା କରିଥିବା ଅନୁମାନ କରାଯାଏ । ରାଜା ଶତ୍ରୁ ଭଂଜ ନିଜକୁ ପରମ ବୈଷ୍ଣବ ବୋଲି ଅଭିହିତ କରୁଥିବା ବେଳେ ଶିବଙ୍କର ମଧ୍ୟ ପ୍ରଶଂସକ ଥିଲେ । ତାଙ୍କ ପିତା ଓ ପିତାମହ ପରମ ଶୈବ ଥିଲେ । ତାଙ୍କ ପୁତ୍ର କେତେବେଳେ ନିଜକୁ ପରମ ମାହେଶ୍ୱର ତ କେତେବେଳେ ପରମ ବୈଷ୍ଣବ ବୋଲି ଅଭିହିତ କରୁଥିଲେ । କଣ୍ଟିଲୋ ଓ ଗନ୍ଧରାଡ଼ି ଉଭୟ ସ୍ଥାନର ମନ୍ଦିର ନିର୍ମାତା କୌଣସି ଜଣେ ରାଜା ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ନିର୍ମାତାଙ୍କ ନାମ ଜଣାପଡ଼ିନାହିଁ ।
ପର୍ବପର୍ବାଣି :-
ଶ୍ରୀ ନୀଳମାଧବଙ୍କ ପୀଠରେ ଶ୍ରୀମନ୍ଦିର ଢାଞ୍ଚାରେ ଅନ୍ନ, କ୍ଷୀରି, ଖେଚୁଡ଼ି, ପୁଳି, କାକରା, ମାଲପୁଆ ପ୍ରଭୃତି ଭୋଗ ଠାକୁରଙ୍କ ପାଖରେ ପ୍ରଚଳନ ରହିଛି । ମାଘ ମାସ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ନୀଳମାଧବଙ୍କ ଭୌମ ଏକାଦଶୀ ଉପଲକ୍ଷେ ଏକ ବିରାଟ ମେଳା କଣ୍ଟିଲୋ ଠାରେ ପ୍ରତିବର୍ଷ ହୁଏ । କପିଳ ସଂହିତାର ବର୍ଣ୍ଣନାନୁସାରେ ଭକ୍ତମାନେ ମାଘ ଶୁକ୍ଳ ଏକାଦଶୀ ଦିନ ମହାନଦୀରେ ସ୍ନାନସାରି ନୀଳମାଧବଙ୍କ ଦର୍ଶନ ପରେ ଠାକୁରଙ୍କ ଏକାଦଶୀ ମେଳା ଦେଖିଲେ ମୁକ୍ତି ପାଆନ୍ତି । କପିଳ ସଂହିତାର ଷକ୍ଷବିଂଶ ଅଧ୍ୟାୟରେ ଏପରି ଉଲ୍ଲେଖ ଅଛି :
“ଦକ୍ଷିଣସ୍ୟାଂ ମହାନଦ୍ୟା ମଣିନାଗୋତ୍ତରେ ତଥା ।
ତତ୍ର ମଧେ ବସାମ୍ୟେବ ମାଧବୋରହଂ ସଦା ଦ୍ୱିଜ ।।୪୪।।
ସଦାୟଂ ମାଘମାସେଽପି କାରୟସି ମହାତ୍ସବମ୍ ।
ୟେ ଦ୍ରକ୍ଷ୍ୟନ୍ତି ଜନସ୍ତତ୍ର ମାଂ ଶୁକ୍ଲୈକାଦଶୀ ଦିନେ ।।୪୫।।
ମାଘେ ସ୍ନତ୍ୱା ମହାନଦ୍ୟାଂ ତେ ଯାସ୍ୟନ୍ତି ମଦନ୍ତିକମ୍ ।
ସ୍ମୋତ୍ ଗଡ଼ା ଦାରୁରୂପୋ ସାସ୍ୟାମି ନୀଳ ପର୍ବତେ ।।୪୬।।
(ଅର୍ଥ- ମହାନଦୀର ଦକ୍ଷିଣତୀରେ ମଣିନାଗ ପର୍ବତର ଉତ୍ତରରେ ରହି ମାଧବନାମ ବହି ମାଘମାସ ଶୁକ୍ଳ ଏକାଦଶୀ ମହୋତ୍ସବ କରାଇବି । ଉକ୍ତ ସେହି ଏକାଦଶୀ ଦିନ ସେଠାକୁ ଯାଇ ମହାନଦୀରେ ସ୍ନାନକରି ମୋର ଦର୍ଶନରେ ପାପାମୁକ୍ତ ହେବ ଓ ଅନ୍ତେ ମୋର ପୁରରେ ସ୍ଥାନ ପାଇବ । ମୁଁ ଯେଉଁ ସ୍ଥାନରେ ରହିବି ସେ ସ୍ଥାନ ବ୍ରହ୍ମାଦ୍ରି ପର୍ବତ, ବ୍ରହ୍ମାଙ୍କ ସର୍ଜିତ, ଅତି ଘନ ଜଙ୍ଗଲ । ତାପରେ ସେଠାରୁ ଦାରୁ ରୂପରେ ଆସିବି ନୀଳ ସୁନ୍ଦର ପର୍ବତକୁ ।)
ଚନ୍ଦନଯାତ୍ରା ନୀଳ ମାଧବଙ୍କର ଏକୋଇଶ ଦିନ ବ୍ୟାପୀ ହୁଏ । ଏହି ସମୟରେ ଠାକୁର ସବୁଦିନେ ଚନ୍ଦନପୋଖରୀରେ ଚାପ ଖେଳନ୍ତି ଓ କଣ୍ଟିଲୋ ଗ୍ରାମର ପ୍ରତ୍ୟେକ ଘର ବିମାନରେ ଦୁଆର ଦୁଆର ବୁଲି ଭୋଗ ଖାଆନ୍ତି । କାର୍ତ୍ତିକ ପୂର୍ଣ୍ଣମୀବେଳେ ମାସରେ ଠାକୁରଙ୍କର ଝୁଲଣ ଯାତ୍ରା ମଧ୍ୟ ହୁଏ । ମହାନଦୀ ତଟରେ ଅବସ୍ଥିତ ଶ୍ରୀ ନୀଳମାଧବଙ୍କ ପୀଠ ଐତିହାସିକ ଓ ପୌରାଣିକ ଦୃଷ୍ଟିକୋଣରୁ ଯେତିକି ମହତ୍ୱପୂର୍ଣ୍ଣ, ରମଣୀୟ ସ୍ଥାନଭାବେ ସେତିକି ଆକର୍ଷଣୀୟ । ନିକଟସ୍ଥ ଧାନଚାଙ୍ଗଡ଼ା ଗ୍ରାମରୁ ମିଳିଥିବା ତାମ୍ରଫଳକରୁ ଏହି ପୀଠରୁ ଐତିହ୍ୟ ଜଣାପଡ଼େ । ଭଗବାନ ନୀଳମାଧବଙ୍କ ଚରଣରୁ ସର୍ବଦା ପବିତ୍ର ପାଣି ନିର୍ଗତ ହେଉଥାଏ । ଏହା ଭକ୍ତମାନଙ୍କ ମନରେ ଆକର୍ଷଣ ସୃଷ୍ଟି କରେ । ସେହିଭଳି ଏକ ଆକର୍ଷଣୀୟ ସ୍ଥାନ ରହିଚି ନିକଟବର୍ତ୍ତୀ ହନୁମାନ ହନୁମନ୍ତ ପ୍ରସାଦ ପାହାଡ଼ ଉପରେ ରହିଲେ । ସେଠାରୁ ପ୍ରବାହିତ ଏକ ଝରଣା ଦର୍ଶକଙ୍କୁ ମୁଗ୍ଧ କରିଥାଏ । କପିଳ ସଂହିତାରେ ଉଲ୍ଲେଖ ଅଛି:
“ରମଣୀୟଂ ତୁ ତଂ ଦୃଷ୍ଟା ହନୁମାନସ୍ତି ପତ୍ର ବୈ
ଚିରଂ ଜୀବୀ ରାମଭକ୍ତଃ କଳ୍ପାନ୍ତୋ ମନୁ ସର୍ବଦା ।।
(ଅର୍ଥ:ଏହି ରମଣୀୟ ସ୍ଥାନକୁ ଦେଖି ନିଜେ ପୁରୁଷୋତମଙ୍କ ଦ୍ୱାରା ମହାବୀର ହନୁମାନ ସ୍ଥାନ ପାଇଲେ । ସେ ଚିରଞ୍ଜିବୀ ରାମଭକ୍ତ । କଳ୍ପ କଳ୍ପ କାଳ ଧରି ରହିଥିବେ, ଏପରିକି କେତେ ମନୁ ପର୍ଯ୍ୟନ୍ତ ମଧ୍ୟ ।)
ହନୁମନ୍ତ୍ର ପ୍ରସାଦର ଶ୍ରୀ ରାମ ଆଶ୍ରମ ଏକ ଆକର୍ଷଣୀୟ ସ୍ଥାନ । ବ୍ରହ୍ମାଦ୍ରି ନିକଟରେ ୧ କିଲୋମିଟର ଦୂରତାରେ ଅଛି ମା’ ନାରାୟଣୀଙ୍କ ପୀଠ ଯାହା ଏକ ପୁରାଣ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ । କଣ୍ଟିଲୋ ନୀଳ ମାଧବଙ୍କ ପୀଠ ବହୁ ଶୋଭାର ଭଣ୍ଡାର ନେଇ ଦର୍ଶକଙ୍କ ମନମୁଗ୍ଧ କରିଥାଏ । ଏଠାରେ ମହାନଦୀ ପ୍ରଶସ୍ତ ହୋଇଥିବାରୁ ଏବଂ ନିକଟରେ ତଥା ଦୂରରେ ପାହାଡ଼ମାଳା ପ୍ରାଚୀର ପରି ଶୋଭା ପାଉଥିବାରୁ ଏହି ସ୍ଥାନଟି ଅତ୍ୟନ୍ତ ରମଣୀୟ । ମହାନଦୀରେ ନୌକାବିହାର ପାଇଁ ଏ ସ୍ଥାନଟି ପ୍ରଶସ୍ତ । ଦର୍ଶକମାନେ ଅନେକ ସମୟରେ ନୌକାରେ ଯାଇ ବାଣେଶ୍ୱର, ଭଟାରିକା, ସିଂହନାଥ ଓ ହନୁମନ୍ତିଆ ପ୍ରଭୃତି ସ୍ଥାନ ପରିଭ୍ରମଣ କରିଥାନ୍ତି । ପୂର୍ବକାଳରେ ଯାନବାହନର ସୁବିଧାନଥିବାରୁ ପଶ୍ଚିମାଯାତ୍ରୀ ଦଳଦଳହୋଇ ପଦଯାତ୍ରାରେ ଏଇ ଜଗନ୍ନାଥ ସଡ଼କ ଦେଇ ଜଗନ୍ନାଥ ଦର୍ଶନ କରି ଗଲାବେଳେ ତାଙ୍କ କଣ୍ଠରେ “କଂଟିଲୋ ବା ବର୍ତନ, ଜଗଦୀଶକା ଦର୍ଶନ” ଧ୍ୱନି ମୁଖରିତ କରୁଥିଲା । ସେମାନେ ପୁରୀ ଗ୍ରସ୍ତବେଳେ କଣ୍ଟିଲୋରେ ଦିନେ ଦୁଇଦିନ ରହି ପଥ ଅତିକ୍ରମ ଜନିତ କ୍ଲାନ୍ତି ମେଣ୍ଟାଇ ଆଦିଦେବ ନୀଳମାଧବଙ୍କ ଦର୍ଶନ କରୁଥିଲେ ।
ଏକଦା କଂସା ପିତ୍ତଳ ବାସନ ପାଇଁ ଭାରତ ପ୍ରସିଦ୍ଧ ହୋଇଥିବା ଏବଂ ଶ୍ରୀ ଜଗନ୍ନାଥଙ୍କ ଆଦିସ୍ଥଳ ପାଇଁ ଖ୍ୟାତି ଅର୍ଜନ କରିଥିବା ବ୍ରହ୍ମାଙ୍କ ସୃଷ୍ଟି ବ୍ରହ୍ମାଦ୍ରିର ଶ୍ରୀନୀଳମାଧବଙ୍କ ପୀଠର ଗୌରବ ବୃଦ୍ଧି ତତା ଆକର୍ଷଣୀୟ କରାଯିବା ପାଇଁ ଗୁରୁତ୍ୱ ଦେବାର ଆବଶ୍ୟକତା ଦେଖାଦେଇଛି ।
-ବିଶ୍ୱାତ୍ମା, ଏମ୍-୨୩, ବକ୍ସି ଜଗବନ୍ଧୁ ନଗର, ଖୋର୍ଦ୍ଧା
ଶୂନ୍ୟଭାଷ: ୯୨୩୭୦୮୯୫୦୯
